Advertisment

ଚାଲିବା ଭଲ, କିନ୍ତୁ ଏହା ଆପଣଙ୍କୁ ସଂପୂର୍ଣ୍ଣ ଫିଟ ରଖି ପାରିବ ତ?

୨୦୨୩ରେ ବ୍ରିଟିଶ ଜର୍ଣ୍ଣାଲ ଅଫ ସ୍ପୋର୍ଟସ ମେଡିସିନରେ ଦର୍ଶାଯାଇଥିଲା ଯେ ୧୧ ମିନିଟ ଦ୍ରୁତଗତିରେ ଚାଲିବା ଦ୍ୱାରା ହୃଦ ରୋଗ, ଷ୍ଟ୍ରୋକ ଓ କିଛି ନିର୍ଦ୍ଦିଷ୍ଟ ଧରଣର କର୍କଟ ରୋଗର ଆଶଙ୍କା ହ୍ରାସ ପାଇଥାଏ।

author-image
Hemant Lenka
walk

walk

ସବୁବେଳେ ସମସ୍ତେ ଚାଲିବାକୁ ପରାମର୍ଶ ଦିଅନ୍ତି। ଚାଲିବା ମଧ୍ୟ ଭଲ। ଆହତ ସମସ୍ୟାରୁ ମୁକୁଳିବା, ଫିଟନେସ ଯାତ୍ରା ଆରମ୍ଭ କରିବା ବେଳେ କିମ୍ବା ନିଜକୁ ଆକ୍ଟିଭ ରଖିବା ପାଇଁ ସ୍ୱାସ୍ଥ୍ୟ ବ୍ୟକ୍ତିବିଶେଷମାନେ ସର୍ବଦା ଚାଲିବାକୁ କୁହଅନ୍ତି। ଏହାକୁ ଫିଟ ରହିବାର ସବୁଠାରୁ ସହଜ ଉପାୟ ବୋଲି ବିବେଚନା କରାଯାଏ। କିନ୍ତୁ ନିକଟରେ କିଛି ବିଶେଷଜ୍ଞ କେବଳ ଚାଲିବା ଦ୍ୱାରା ଜଣେ ଦୀର୍ଘ ସମୟ ଧରି ନିଜ ସ୍ୱାସ୍ଥ୍ୟକୁ ଠିକ ରଖିପାରିବ କି ନାହିଁ, ତା’ ଉପରେ ମତ ରଖିଛନ୍ତି। ଗୋଟିଏ ବାକ୍ୟରେ କହିଲେ, କେବଳ ଚାଲିବା ଦ୍ୱାରା ଜଣେ ବ୍ୟକ୍ତି ସଂପୂର୍ଣ୍ଣ ଫିଟ ରହିପାରିବ କି? ଫିଟ ରହିବା ପାଇଁ ଆଉ କୌଣସି ବ୍ୟାୟାମର ଆବଶ୍ୟକତା ନାହିଁ କି?

Advertisment

ଚାଲିବା ବେଶ ସରଳ ଓ ଏହାର ଅନେକ ଫାଇଦା ରହିଛି

ଚାଲିବା ଗୋଟିଏ ପ୍ରଭାବଶାଳୀ, କମ ଶାରୀରିକ ପରିଶ୍ରମ ଦ୍ୱାରା ଭଲ ବ୍ୟାୟାମ। ଏଥିପାଇଁ କୌଣସି ସ୍ୱତନ୍ତ୍ର ସରଞ୍ଜାମ ଓ କଠିନ ପରିଶ୍ରମର ଆବଶ୍ୟକ ନାହିଁ। ଏହାକୁ ଆପଣମାନେ ବେଶ ସହଜରେ କରିପାରିବେ। ସ୍ପୋର୍ଟସ ଇଞ୍ଜୁରୀ ଓ ଜଏଣ୍ଟ ରିପ୍ଲେସମେଣ୍ଟ ସ୍ପେଶାଲିଷ୍ଟ ଡାକ୍ତର ଅପୂର୍ବ ଦୁଆ କହିଛନ୍ତି, “ଶାରୀରିକ ବ୍ୟାୟାମ ପାଇଁ ଚାଲିବା ସବୁଠାରୁ ସହଜ ଉପାୟ। ଏହା ହାଡ଼କୁ ସଶକ୍ତ କରେ, ଜଏଣ୍ଟଗୁଡ଼ିକୁ ଠିକ ରଖେ ଓ ଶରୀରରେ ଅଧିକ ନମନିୟତା ସୃଷ୍ଟି କରିବାରେ ସହାୟକ ହୁଏ। ଅତିରିକ୍ତ ସହାୟତା ଓ ସ୍ଥିରତା ବଳରେ ଏହାକୁ ଗଣ୍ଠି ଅଞ୍ଚଳରେ ଥିବା ମାଂସପେଶୀକୁ କାର୍ଯ୍ୟକ୍ଷମ କରିଥାଏ।”

୨୦୨୩ରେ ବ୍ରିଟିଶ ଜର୍ଣ୍ଣାଲ ଅଫ ସ୍ପୋର୍ଟସ ମେଡିସିନରେ ଦର୍ଶାଯାଇଥିଲା ଯେ ୧୧ ମିନିଟ ଦ୍ରୁତଗତିରେ ଚାଲିବା ଦ୍ୱାରା ହୃଦ ରୋଗ, ଷ୍ଟ୍ରୋକ ଓ କିଛି ନିର୍ଦ୍ଦିଷ୍ଟ ଧରଣର କର୍କଟ ରୋଗର ଆଶଙ୍କା ହ୍ରାସ ପାଇଥାଏ। ୨୦୨୧ରେ ଜାମା ନେଟୱାର୍କ ଓପନ ପକ୍ଷରୁ ହୋଇଥିବା ଗବେଷଣାରୁ ଜଣାପଡ଼ିଥିଲା ଯେ ଆଦୌ ଚାଲୁ ନଥିବା ଲୋକଙ୍କ ତୁଳନାରେ ଦୈନିକ ୭ ହଜାର ଷ୍ଟେପ ଚାଲୁଥିବା ଜଣେ ବ୍ୟକ୍ତିଙ୍କ ସଅଳ ମୃତ୍ୟୁର ଆଶଙ୍କା ୫୦ରୁ ୭୦% କମ। ଏପରି କି ପର୍ଯ୍ୟାୟକ୍ରମେ ଅଳ୍ପ ଅଳ୍ପ ସମୟ ଚାଲିବା ମଧ୍ୟ ପ୍ରଭାବଶାଳୀ। ଆମେରିକାନ କାର୍ଡିଓଲୋଜୀରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ୫ ମିନିଟ ଧରି ଦୌଡ଼ି ଦ୍ୱାରା ହୃଦୟର ମାଂସପେଶୀକୁ ଯେଉଁ ଫାଇଦା ମିଳିଥାଏ, ସମାନ ଫାଇଦା ୧୫ ମିନିଟ ଚାଲିବା ଦ୍ୱାରା ବି ହୋଇଥାଏ।

Advertisment

କେବଳ ଚାଲିବା ଯଥେଷ୍ଟ ନୁହେଁ!

ଅନେକ ଫାଇଦା ସତ୍ତ୍ୱେ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ ଚାଲିବାର ଲାଭ ସୀମିତ। ଆଦୌ ଶାରୀରିକ ବ୍ୟାୟାମ କରୁ ନଥିବା କିମ୍ବା ନୂଆ କରି ଆରମ୍ଭ କରୁଥିବା ଲୋକଙ୍କ ପାଇଁ ଚାଲିବା ଭଲ। ଏହାଦ୍ୱାରା ସେମାନଙ୍କ ରକ୍ତ ସଞ୍ଚାଳନ ଭଲ ହେବ। ସେମାନେ ଫିଟ ଅନୁଭବ କରିବେ ଓ ମାନସିକ ସ୍ୱାସ୍ଥ୍ୟାବସ୍ଥାକୁ ମଧ୍ୟ ଏହା ଫାଇଦା ଦେବ। କିନ୍ତୁ ଆପଣ ଯେତେବେଳେ ନିଜର ଫିଟନେସ ଯାତ୍ରାକୁ ଆଗକୁ ନେବେ ସେତେବେଳେ ଆପଣଙ୍କ ଶରୀର ସକ୍ରିୟ ଓ ଶକ୍ତିଶାଳୀ ରହିବା ପାଇଁ ଅଧିକ କିଛି ଆଶା କରିବ।

ଫିଜିଓଥେରାପିଷ୍ଟ ନେହା କୁମାର କହିଛନ୍ତି, “ଚାଲିବା ଦ୍ୱାରା ହୃଦୟ ଓ ଫୁସଫୁସକୁ ଫାଇଦା ମିଳିଥାଏ। କିନ୍ତୁ ଏହା ମାଂସପେଶୀ ଜନିତ କ୍ଷତି କିମ୍ବା ବୟସଜନିତ ହାଡ଼ର ଶକ୍ତି ହ୍ରାସ କ୍ଷମତାକୁ ରୋକିବାରେ ସହାୟକ ହୋଇ ନଥାଏ। ସ୍ୱାସ୍ଥ୍ୟର ଏହି ଦିଗକୁ ବଜାୟୀ ରଖିବା ପାଇଁ ଆପଣଙ୍କୁ ଶକ୍ତିବୃଦ୍ଧି ଜନିତ ତାଲିମ ନେବାକୁ ପଡ଼ିବ। ଅର୍ଥାତ ମାଂସପେଶୀ ଓ ହାଡ଼ର ଶକ୍ତିକୁ ବଜାୟୀ ରଖିବା ପାଇଁ ଚାଲିବା ସହ ଅନ୍ୟ କିଛି ବ୍ୟାୟାମ କରିବାକୁ ହେବ।”

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆମେରିକାନ ହାର୍ଟ ଆସୋସିଏସନ ପ୍ରସ୍ତାବ ଦେଇଛନ୍ତି ଯେ ପ୍ରତି ସପ୍ତାହରେ ଜଣଙ୍କୁ ଅତିକମରେ ୧୫୦ରୁ ୩୦୦ ମିନିଟ ଧରି ହାଲୁକାରୁ ମଧ୍ୟମ ଧରଣର ଏରୋବିକ ବ୍ୟାୟାମ କରିବାକୁ ପଡ଼ିବ। ଦୁଇ ସଂସ୍ଥାର କହିବା କଥା ଯେ ସପ୍ତାହକୁ ଦୁଇ ଦିନ ମାଂସପେଶୀକୁ ସଶକ୍ତ କରିପାରୁଥିବା ବ୍ୟାୟାମ ନିହାତି ଆବଶ୍ୟକ। ଏହି ଆବଶ୍ୟକତା କେବଳ ଚାଲିବା ଦ୍ୱାରା ପୂରଣ ହୋଇ ନଥାଏ।

୨୦୨୪ରେ ପ୍ରକାଶିତ ଗୋଟିଏ ରିପୋର୍ଟରୁ ଜଣାପଡ଼ିଛି ଯେ ୧୫୦ ନିୟୁତ ପ୍ରାପ୍ତ ବୟସ୍କ ଭାରତୀୟ ଓ ୪୫ ନିୟୁତ କିଶୋର/କିଶୋରୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାରି କରିଥିବା ଫିଜିକାଲ ଆକ୍ଟିଭିଟୀ ଗାଇଡଲାଇନକୁ ପୂରଣ କରିବାରେ ଅକ୍ଷମ। ଯେଉଁମାନେ କିଛି ଶାରୀରିକ ପରିଶ୍ରମ କରୁଥିବା କହିଛନ୍ତି, ସେମାନେ କେବଳ ଚାଲିବା ଉପରେ ଫୋକସ କରୁଛନ୍ତି। ପ୍ରାୟ ୫୯% ସକ୍ରିୟ ଭାରତୀୟ ଶକ୍ତି ବୃଦ୍ଧି ହେବା ଭଳି ବ୍ୟାୟାମ କରୁ ନାହାନ୍ତି। ଏହା ବୟସାଧିକ ଲୋକଙ୍କ କ୍ଷେତ୍ରରେ ଆହୁରି ସାଂଘାତିକ। ଶକ୍ତି ବୃଦ୍ଧି ତାଲିମ ବିନା ମାଂସପେଶୀର କ୍ଷମତା ହ୍ରାସ ପାଏ। ଏହାଦ୍ୱାରା ଇଞ୍ଜୁରୀ ଓ ଦୁର୍ବଳ ବାଲାନ୍ସ ଭଳି ସମସ୍ୟାର ଆଶଙ୍କା ବୃଦ୍ଧି ପାଇଥାଏ।

ଅଧିକ ଚାଲିବା କ୍ଷତିକାରକ କି?

ଚାଲିବା ଦ୍ୱାରା ଆହତ ହେବାର ଆଶଙ୍କା ଯଦିଓ କମ ଏହା ସଂପୂର୍ଣ୍ଣ ଭାବେ ବିପଦ ମୁକ୍ତ ନୁହେଁ। ଅଧିକ ଚାଳିବା, ବିଶେଷ କରି ଖରାପ ଜୋତା କିମ୍ବା ତ୍ରୁଟିପୂର୍ଣ୍ଣ ଶୈଳୀ ଦ୍ୱାରା ଆଣ୍ଠୁଗଣ୍ଠି ଓ ମାଂସପେଶୀରେ ସମସ୍ୟା ସୃଷ୍ଟି ହୋଇପାରେ। ଏହି ବିପଦ ବୟସ୍କଙ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧିକ ରହିଥାଏ। ତେଣୁ ଚାଲିବା ସମୟରେ ନିଜ ଶରୀରର କ’ଣ ଚାହୁଁଛି, ତା’ ଉପରେ ଧ୍ୟାନ ଦିଅନ୍ତୁ। ଆବଶ୍ୟକ ସ୍ଥଳରେ ବିଶ୍ରାମ ନିଅନ୍ତୁ। ନିୟମ ଭାବେ ଜୋତା ବଦଳାଇବା ମଧ୍ୟ ଭଲ।

Health Walking Benefits