Advertisment

୧୬ ମାସରେ ୫୧ ବର୍ଷୀୟ ମହିଳାଙ୍କୁ ୫ ଥର ହୃଦଘାତ, ସମସ୍ତେ ହତବାକ୍‌

ମହିଳାଙ୍କ ଦେହରେ ୫ଟି ଷ୍ଟେନ୍ସ ଲାଗିଛି। ସେ ୬ ଥର ଆଞ୍ଜିଓପ୍ଲାଷ୍ଟି କରିଛନ୍ତି ଓ ତାଙ୍କର ଥରେ ବାଇପାସ୍‌ ସର୍ଜରୀ ମଧ୍ୟ ହୋଇଛି।

author-image
Hemant Lenka
Heart attack

Heart attack

ହାର୍ଟ ଆଟାକ ବା ହୃଦଘାତ କଥା ଶୁଣିଲେ ସମସ୍ତେ ଭୟଭୀତ ଓ ଆତଙ୍କିତ ହୁଅନ୍ତି। କିନ୍ତୁ ଜଣେ ୫୧ ବର୍ଷୀୟ ମହିଳାଙ୍କୁ ୧୬ ମାସରେ ୫ଥର ହାର୍ଟ ଆଟାକ ହୋଇଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ମୁମ୍ବାଇ ଉପକଣ୍ଠ ମୁଲୁଣ୍ଡରେ ରହୁଥିବା ଜଣେ ମହିଳାଙ୍କ ସହ ଏପରି ଘଟିଛି। ସେ ମଧ୍ୟ ୫ ଥରର ଚିକିତ୍ସା ପରେ ସୁସ୍ଥ ରହିଛନ୍ତି। ହେଲେ କାହିଁକି ସେ ବାରମ୍ବାର ଏପରି ହୃଦଘାତର ସମ୍ମୁଖୀନ ହେଉଛନ୍ତି, ତା’ର କାରଣ ଡାକ୍ତରମାନେ ଜାଣି ପାରୁ ନାହାନ୍ତି।

Advertisment

ମହିଳାଙ୍କ ଦେହରେ ୫ଟି ଷ୍ଟେନ୍ସ ଲାଗିଛି। ସେ ୬ ଥର ଆଞ୍ଜିଓପ୍ଲାଷ୍ଟି କରିଛନ୍ତି ଓ ତାଙ୍କର ଥରେ ବାଇପାସ୍‌ ସର୍ଜରୀ ମଧ୍ୟ ହୋଇଛି। ରେଖା(ଛଦ୍ମନାମ) ନାମକ ମହିଳା ଜଣଙ୍କ ଶେଷ ଥର ପାଇଁ ଡିସେମ୍ବର ୧ ଓ ୨ ତାରିଖରେ କ୍ୟାଥ ଲାବକୁ ଯାଇଥିଲେ। ଚିକିତ୍ସା ପରେ ସେ ବାହାରକୁ ଆସିଛନ୍ତି।

ଆସିଲା ପରେ ସେ କହିଛନ୍ତି, “ମୁଁ ଏତିକି ଜାଣିବାକୁ ଚାହେଁ ଯେ ମୋ ସହ ଭୁଲ କ’ଣ ରହିଛି। ଆଉ ୩ ମାସରେ ମୁଁ ପୁଣି ବ୍ଲକେଜର ସମ୍ମୁଖୀନ ହେବି କି ନାହିଁ, ସେକଥା ଜାଣିବାକୁ ଚାହୁଁଛି।”

Advertisment

ରେଖା ପ୍ରଥମଥର ପାଇଁ ୨୦୨୨ ମସିହା ସେପ୍ଟେମ୍ବର ମାସରେ ହୃଦଘାତର ସମ୍ମୁଖୀନ ହୋଇଥିଲେ। ସେ ଟ୍ରେନରେ ଜୟପୁରରୁ ବୋରିଭଲି ଆସୁଥିବା ବେଳେ ହୃଦଘାତ ଘଟିଥିଲା। ତାଙ୍କୁ ରେଳବାଇ ପକ୍ଷରୁ ତୁରନ୍ତ ଅହମଦାବାଦର ଗୋଟିଏ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଆଞ୍ଜିଓପ୍ଲାଷ୍ଟି ପାଇଁ ମୁମ୍ବାଇ ଅଣାଯାଇଥିଲା।

ଏହାପରେ ସେ ୧୬ ମାସରେ ଆଉ ୪ ଥର ହୃଦଘାତର ସାମ୍ନା କରିଛନ୍ତି। ଜୁଲାଇ ମାସରୁ ରେଖାଙ୍କ ଚିକିତ୍ସା କରୁଥିବା ଡାକ୍ତର ହସମୁଖ ରାୱତଙ୍କ କହିବା କଥା ଯେ ତାଙ୍କ ହାର୍ଟ ସମସ୍ୟା ଏବେ ବି ରହସ୍ୟମୟ ରହିଛି। ଡାକ୍ତର ରାୱତ ଜୁଲାଇ ମାସରୁ ଇତି ମଧ୍ୟରେ ରେଖାଙ୍କର ୨ ଥର ଆଞ୍ଜିଓପ୍ଲାଷ୍ଟି କରିଥିବା ବେଳେ ଗୋଟିଏ ଥର ବାଇପାସ୍‌ ସର୍ଜରୀ କରିଛନ୍ତି।

ରେଖା ନିଜର ସମସ୍ୟା ସମ୍ପର୍କରେ ଏକାଧିକ ବିଶେଷଜ୍ଞ ଡାକ୍ତରଙ୍କ ସହ କଥାବାର୍ତ୍ତା କରିଛନ୍ତି। ତଥାପି କେହି ବି ନିର୍ଦ୍ଦିଷ୍ଟ ଭାବେ କାହିଁକି ସେ ବାରମ୍ବାର ହୃଦଘାତର ସମ୍ମୁଖୀନ ହେଉଛନ୍ତି, ସେକଥା ଜାଣି ପାରୁ ନାହାନ୍ତି। ତେବେ ରକ୍ତ ଶିରାରେ କିଛି ସମସ୍ୟା ରହିଥିବା ସମସ୍ତେ ସନ୍ଦେହ କରୁଛନ୍ତି। ପରୀକ୍ଷାରୁ କିନ୍ତୁ ‌ଏନେଇ ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ।

ଚିକିତ୍ସା ପରେ ସେ ସୁସ୍ଥ ହେଉଥିଲେ ହେଁ କିଛି ମାସର ବ୍ୟବଧାନ ପରେ ସେ ଛାତିରେ ଯନ୍ତ୍ରଣା, ଗ୍ୟାସ ସମସ୍ୟା ଓ ଅଣନିଃଶ୍ୱାସୀ ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରେଖା କହିଛନ୍ତି, “ମୁଁ ଫେବୃଆରୀ, ମେ’, ଜୁଲାଇ ଓ ନଭେମ୍ବର ମାସରେ ହୃଦଘାତର ସମ୍ମୁଖୀନ ହୋଇଛି। ଗୋଟିଏ ଥର ହାର୍ଟ ଆଟାକ ଆଶଙ୍କାରେ ମଧ୍ୟ ମୋତେ ହସ୍ପିଟାଲ ନିଆଯାଇଥିଲା।”

ରେଖା ମଧୁମେହ, ଉଚ୍ଚ କୋଲେଷ୍ଟ୍ରଲ ଓ ମୋଟାପଣ ଭଳି ସମସ୍ୟାରେ ମଧ୍ୟ ପୀଡ଼ିତ ଥିଲେ। ୨୦୨୨ ସେପ୍ଟେମ୍ବର ମାସରେ ତାଙ୍କର ଓଜନ ୧୦୭ କେଜି ଥିଲା। ହେଲେ ପ୍ରଥମ ହୃଦଘାତ ପର ଠାରୁ ଇତି ମଧ୍ୟରେ ସେ ୩୦ କେଜି ଓଜନ ହରାଇ ସାରିଲେଣି। କୋଲେଷ୍ଟ୍ରଲ ହ୍ରାସ ପାଇଁ ତାଙ୍କୁ ପିସିଏସ୍‌କେ୯ ଇଞ୍ଜେକସନ ମଧ୍ୟ ଦିଆଯାଉଛି। ମଧୁମେହ ନିୟନ୍ତ୍ରଣରେ ରହିଛି। କିନ୍ତୁ ହାର୍ଟ ସମସ୍ୟା ତାଙ୍କର ଜାରି ରହିଛି।

ଡାକ୍ତର ରାୱତଙ୍କ କହିବା କଥା ଯେ ସାଧାରଣତଃ ହାର୍ଟ ରୋଗୀଙ୍କର ବ୍ଲକେଜ ସମାନ ସ୍ଥାନରେ ହୁଏ। ହେଲେ ରେଖାଙ୍କ କ୍ଷେତ୍ରରେ ଏହା ଭିନ୍ନ ରହିଛି। ତାଙ୍କର ବିଭିନ୍ନ ସ୍ଥାନରେ ବ୍ଲକେଜ ଦେଖାଯାଉଛି। ୯୦% ବ୍ଲକେଜ ଯୋଗୁ ସେ ପ୍ରଥମଥର ହୃଦଘାତର ସମ୍ମୁଖୀନ ହୋଇଥିଲେ। ଦୁଇ ଥର ଡାହାଣ ଆଟରେରୀରେ ୯୯% ବ୍ଲକେଜ ଯୋଗୁ ହୃଦଘାତ ହୋଇଥିଲା। ମୁଖ୍ୟ ଆଟରେରୀ ମଧ୍ୟ ତାଙ୍କର ସମସ୍ୟା ରହିଥିଲା। ଏହାପରେ ଆଉ ୨ଟି ସ୍ଥାନରେ ମଧ୍ୟ ବ୍ଲକେଜ ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି।

ଡିସେମ୍ବର ୧ ଓ ୨ ତାରିଖରେ ରେଖା ହୃଦଘାତର ସମ୍ମୁଖୀନ ହେବା ପରେ ତାଙ୍କୁ ଡାକ୍ତରମାନେ ଷ୍ଟେରୋଏଡ ଓ ଅନ୍ୟ କିଛି ଭିନ୍ନ ମେଡିସିନ ଦେବା ଆରମ୍ଭ କରିଛନ୍ତି। ଏହା ତାଙ୍କ ସମସ୍ୟା ସମାଧାନ କରିବ ବୋଲି ରେଖା ଆଶା ରଖିଛନ୍ତି।

Heart Attack On Stage Sudden Heart Attack Heart Disease Hearth Attack