ଜୁହାର ବାବୁ ଜୁହାର; ପଦୁଗୁଡାର ଦୁଃଖ ଟିକେ ବୁଝ...

ସୋନାଲିଙ୍କ ସଂଳାପର ସେହି ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି। ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ଭାଇରାଲ୍‌ ହେଉଥିବା ଭିଡିଓରେ କମେଣ୍ଟ ଦେବାକୁ ଯାଇ କେତେକ ଲୋକ ଇଏ ଦଶମନ୍ତପୁର ଦୁଃଖର ପ୍ରମାଣ ଲେଖିଛନ୍ତି।

ସୋନାଲିଙ୍କୁ କୋଳରେ ଧରିଛନ୍ତି ମନ୍ତ୍ରୀ

  • Published: Thursday, 17 August 2023
  • , Updated: 17 August 2023, 04:15 PM IST

ଜୁହାର ବାବୁ ଜୁହାର। ପଦୁଗୁଡାର ଦୁଃଖ ଟିକେ ବୁଝ...। କୁନି ଝିଅର ମୁହଁରୁ ଶୁଣାଯାଉଥିବା ଇଏ ଏକ ସଂଳାପ ହୋଇଥାଇପାରେ। ହେଲେ ଏହାରି ଭିତରେ ରହିଛି ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‌ ଜିଲ୍ଲା ଦଶମନ୍ତପୁର ଦୁଃଖ। ଯାହାର ଭଡିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେବା ପରେ ଲୋକେ ପଚାରିଛନ୍ତି ନାନା ପ୍ରଶ୍ନ।

କଥାଟି ଏମିତି। କୋରାପୁଟ ସଦର ମହକୁମାରେ ପାଳିତ ହୋଇଛି ସ୍ୱାଧୀନତା ଦିବସ। ଏଥିରେ ମୁଖ୍ୟ ଅତିଥିଭାବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏହାଛଡ଼ା ଜିଲ୍ଲାପାଳ, ବିଧାୟକ, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ, ଡିଆଇଜି ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ହୋଇଥିଲା ଫେନ୍‌ସି ଡ୍ରେସ୍‌ ପ୍ରତିଯୋଗିତା। ଆଉ ମଞ୍ଚକୁ ଆସିଥିଲେ କୋରାପୁଟ ସରସ୍ଵତୀ ଶିଶୁ ମନ୍ଦିର ୪ ବର୍ଷର ଶିଶୁ ବାଟୀକାରେ ପଢ଼ୁଥିବା ସୋନାଲି ଦାଶ।

ମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିଙ୍କ ଆଗରେ ଖୋଲିଥିଲେ ପ୍ରଶାସନର ପୋଲ୍‌। ସଂଳାପରେ ସେ କହିଥିଲେ “ଦଶମନ୍ତପୁର ପଦୁଗୁଡ଼ା ଗାଁରୁ ଆସିଛି। ଗାଁକେ ଯିବା କେ ରାସ୍ତା ନାଏଁ। ଆମ ଗାଁ କେ କୂଆ ନାଇଁ, ଟ୍ୟୁବୱେଲ୍‌ ନାଇଁ। ଆମେ ଚୁଆରୁ ପାଣି ଆଣି ପିଉଛୁ ବାବୁ। ଆମେ ବେଶୀ କଷ୍ଟରେ ଅଛୁ ବାବୁ। ଜର, ଦୁକା ହେଲେ ଖଟିଆରେ ଲୋକେ ବହି ବହି ମେଡ଼ିକାଲ୍‌ ନେଉଛୁ ବାବୁ। ଆମ ଗାଁ କେ ଫୋନ୍‌ ନାଏଁ, ଟାୱାର ନାଏଁ। ଆମେ ବେଶୀ କଷ୍ଟରେ ଅଛୁ ବାବୁ...”। ଏମିତି କେତେ କ’ଣ ସଂଳାପ ଉଚ୍ଚାରଣ କରିଥିଲେ କୁନି ଝିଅ ସୋନାଲି। ତାଙ୍କ ଅଭିନୟରେ ମୁଗ୍ଧ ହୋଇଥିଲେ ମନ୍ତ୍ରୀ ମହାଶୟ। ଆଉ ନିଜ କୋଳରେ ବସାଇ ମିଠା ଖୁଆଇ ଦେଇଥିଲେ।

ସୋନାଲିଙ୍କ ସଂଳାପର ସେହି ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି। ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ଭାଇରାଲ୍‌ ହେଉଥିବା ଭିଡିଓରେ କମେଣ୍ଟ ଦେବାକୁ ଯାଇ କେତେକ ଲୋକ ଇଏ ଦଶମନ୍ତପୁର ଦୁଃଖର ପ୍ରମାଣ ଲେଖିଛନ୍ତି। ଆଉ କିଛି ଲୋକ କମେଣ୍ଟ ଦେଇ ଖଣି ଅଞ୍ଚଳରୁ ଆଦାୟ ହେଉଥିବା କୋଟି କୋଟି ଟଙ୍କାର ରାଜସ୍ୱରେ କାହିଁକି ବିକାଶ ହୋଇପାରୁନି ବୋଲି ପ୍ରଶ୍ନ କରିଛନ୍ତି। ସିଏ ଯାହା ହେଉନା କାହିଁ ସୋନାଲିଙ୍କ ଅଭିନୟ ଲୋକଙ୍କ ମନ କିଣିପାରିଥିଲା।

ରିପୋର୍ଟ- କୋରାପୁଟରୁ ସୂର୍ଯ୍ୟନାରାୟ ପଣ୍ଡା

Related story