Advertisment

ରାତିରେ ଅତିଥି ହୋଇଥିଲେ, ସକାଳେ ହୋଟେଲ ମାଲିକ ଓ କର୍ମଚାରୀଙ୍କୁ ବାନ୍ଧି ପକାଇଲେ

ଆଜି ସକାଳେ ଅଜବ ଘଟଣା ଘଟିଥିଲା। ସକାଳ ପ୍ରାୟ ୧୦ଟାରୁ ୧୧ଟା ହେବ। ହୋଟେଲ୍‌ର ଉପର ମହଲାରେ ସଫେଇ କରୁଥିବା କର୍ମଚାରୀଙ୍କୁ ୩ ଯୁବକ ପ୍ରଥମେ ବାନ୍ଧି ପକାଇଥିଲେ। ପରେ ତଳ ମହଲାକୁ ଆସି ହୋଟେଲ ମ୍ୟାନେଜରଙ୍କୁ ବାନ୍ଧି ପକାଇ ପ୍ରବଳ ମାଡ଼ ମାରିଥିଲେ।

author-image
Manoranjan Sial
Hotel

Bargarh

ରାତିରେ ଅତିଥି ହୋଇ ହୋଟେଲ୍‌କୁ ଆସିଥିଲେ। ଅତିଥି ଦେବୌ ଭବଃ ଭାବି ସତ୍କାର କରିଥିଲେ ହୋଟେଲ୍‌ କର୍ମଚାରୀ। ଆଉ ରହିବା ପାଇଁ ରୁମ୍‌ ଦେଇଥିଲେ। ହେଲେ ସକାଳେ ହୋଟେଲ୍‌ ମାଲିକ, ତାଙ୍କ ପୁଅ ଓ ଅନ୍ୟ କର୍ମଚାରୀଙ୍କୁ ବାନ୍ଧି ପକାଇଲେ ଅତିଥି ହୋଇଥିବା ୩ ଦୁର୍ବୃତ୍ତ। ଏପରି ଅଭିଯୋଗ ଆସିଛି ବରଗଡ଼ ଟାଉନ୍‌ରୁ।

Advertisment

ବରଗଡ଼ ଟାଉନ୍‌ରେ ରହିଛି ଘରୋଇ ବସ୍‌ ଷ୍ଟାଣ୍ଡ। ସେହି ବସ୍‌ ଷ୍ଟାଣ୍ଡ ନିକଟରେ ରହିଛି ଓରିଏଣ୍ଟାଲ ହୋଟେଲ। ଶନିବାର ରାତିରେ ସେହି ହୋଟେଲରେ ୩ ଜଣ ଯୁବକ ପହଞ୍ଚିଥିଲେ। ରାତ୍ର ଯାପନ ପାଇଁ ସେମାନେ କହିଥିଲେ। ତେଣୁ ହୋଟେଲ୍‌ କର୍ମଚାରୀମାନେ ସେମାନଙ୍କୁ ୩୦୫ ନମ୍ୱର ରୁମକୁ ଆଲର୍ଟ କରିଥିଲେ। ଏହା ପରେ ସେମାନେ ସେହି ରୁମ୍‌ରେ ରହିଥିଲେ। ରାତ୍ର ଯାପନ କରୁଥିବା ୩ ଯୁବକ ହିନ୍ଦୀ ଭାଷାରେ କଥା ବାର୍ତ୍ତା କରୁଥିଲେ।

ଆଜି ସକାଳେ ଅଜବ ଘଟଣା ଘଟିଥିଲା। ସକାଳ ପ୍ରାୟ ୧୦ଟାରୁ ୧୧ଟା ହେବ। ହୋଟେଲ୍‌ର ଉପର ମହଲାରେ ସଫେଇ କରୁଥିବା କର୍ମଚାରୀଙ୍କୁ ୩ ଯୁବକ ପ୍ରଥମେ ବାନ୍ଧି ପକାଇଥିଲେ। ପରେ ତଳ ମହଲାକୁ ଆସି ହୋଟେଲ ମ୍ୟାନେଜରଙ୍କୁ ବାନ୍ଧି ପକାଇ ପ୍ରବଳ ମାଡ଼ ମାରିଥିଲେ। ପରେ ବନ୍ଧୁକ ଦେଖାଇ ହୋଟେଲ ମାଲିକ ନୀହାର ରଞ୍ଜନ ମହାନ୍ତି ଓ ମାଲିକଙ୍କ ପୁଅଙ୍କୁ କାବୁ କରି ରସିରେ ବାନ୍ଧି ପକାଇଥିଲେ। ତେବେ କୌଶଳ କରି ହୋଟେଲ ମାଲିକଙ୍କ ପୁଅ ପୁଲିସକୁ ଖବର ଦେଇଥିଲେ।

Advertisment

ଖବର ପାଇ ଟାଉନ୍‌ ଥାନା ପୁଲିସ ହୋଟେଲ୍‌ରେ ପହଞ୍ଚିଥିଲେ। ପୁଲିସ୍‌କୁ ଦେଖି ଦୁଇ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ଜଣେ ଅଭିଯୁକ୍ତକୁ ପୁଲିସ କାବୁ କରିବା ସହିତ ଗୋଟିଏ ବନ୍ଧୁକ ଓ ସ୍ଵିପଟ କାରକୁ ଜବତ କରିଛି। ତେବେ କେଉଁ ଉଦ୍ଦେଶ୍ୟରେ ସେମାନେ ହୋଟେଲ୍‌ରେ ଡେରା ପକାଇଥିଲେ ଓ କାହିଁକି ହୋଟେଲ କର୍ମଚାରୀଙ୍କୁ ବାନ୍ଧି ପକାଇଥିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ଅଟକ ଅଭିଯୁକ୍ତର ନାଁ ପୁଲିସ୍‌ ପ୍ରକାଶ କରୁନାହିଁ। ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ମିଳିଥିବା ସୂଚନା ଅନୁସାରେ ହୋଟେଲ କ୍ୟାମ୍ପସରେ ଏକ ସୁନା ଦୋକାନ ରହିଛି। ଏହାଛଡ଼ା ପାଖରେ ବଡ଼ବଡ଼ ମଲ ରହିଛି। ଅଭିଯୁକ୍ତମାନେ ଏହି ସବୁ ଦୋକାନରେ ଡ଼କାୟତି ଉଦ୍ୟମ ପାଇଁ ଆସିଥିବା ସନ୍ଦେହ କରାଯାଉଛି।

ରିପୋର୍ଟ- ବରଗଡ଼ରୁ ଦୀପକ କୁମାର ଶର୍ମା

Loot Crime Baragarh