Advertisment

ଦିବ୍ୟାଙ୍ଗଙ୍କୁ ଜୀବନସାଥୀ କଲେ ବିଦୁସ୍ମିତା, ସମାଜ ପାଇଁ ସୃଷ୍ଟି କଲେ ଉଦାହରଣ

ପ୍ରେମିିକ ବସନ୍ତ ନିଜର ଅକ୍ଷମତା ପାଇଁ ତାଙ୍କର ପ୍ରେମିକାକୁ ଅନ୍ୟତ୍ର ବିବାହ ପାଇଁ କହିଥିଲେ। କିନ୍ତୁ ବିଦୁସ୍ମିତା ତାଙ୍କର କୌଣସି କଥାକୁ ଖାତିର ନକରି ତାଙ୍କ ହାତ ଧରିବାକୁ କହିଥିଲେ।

author-image
Manoj Swain
ଅଦ୍ୟତନ ହୋଇଛି
Bidusmita who married Disabled man

Bidusmita who married Disabled man

ଆଜି ଏହି ସ୍ୱାର୍ଥ ପର ଦୁନିଆରେ ଦେଖିବାକୁ ମିଳିଛି ବିରଳ ମାନବିକତା। ଯିଏ କି ନିଜର ସବୁ ସ୍ବପ୍ନକୁ ପଛରେ ପକାଇ ସମାଜ ପାଇଁ ସୃଷ୍ଟି କରିଛନ୍ତି ଏକ ଉଦାହରଣ। ଝିଅଟିଏ ସ୍ୱପ୍ନ ଦେଖିଥାଏ କିପରି ଏକ ଭଲ ସ୍ୱାମୀଟିଏ ପାଇବ ଏବଂ ସୁଖରେ ଘର ସଂସାର କରିବ। ହେଲେ ଜଣେ ଦିବ୍ୟାଙ୍ଗଙ୍କୁ ଜୀବନସାଥୀ ଭାବେ ବାଛି ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଯୁବତୀ। ବାଲେଶ୍ଵର ଜିଲ୍ଲା ସୋରଠାରେ ଥିବା ତାରିଣୀ ମନ୍ଦିରରେ ହୋଇଛି ଏହି ନିଆରା ବିବାହ। ଯାହାକି ସମାଜ ପାଇଁ ଉଦାହରଣ ସାଜିଛି।

Advertisment

ପ୍ରେମ ଚିରନ୍ତନ, ପ୍ରେମ ଶାଶ୍ୱତ। ବାଲେଶ୍ୱର ଜିଲ୍ଲା ଶିମୁଳିଆ ବ୍ଲକ ଶେରପୁର ଗାଁର ବସନ୍ତ ପାଣିଗ୍ରାହୀ ଓ ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ବିଦୁସ୍ମିତା ଲେଙ୍କା। ଏହି ଦୁଇ ପ୍ରେମ ପକ୍ଷୀ ଦୀର୍ଘ ୮ ବର୍ଷ ଧରି ଉଭୟ ଉଭୟଙ୍କୁ ବହୁତ ଭଲ ପାଉଥିଲେ। ଆଉ ସେତେବେଳେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଦୁଇ ଜଣ ପରସ୍ପରକୁ ପୂର୍ବରୁ କଥା ଦେଇଥିଲେ କେହି କାହାକୁ ଛାଡ଼ିବେ ନାହିଁ।

ହେଲେ ଦିନେ ଅଚାନକ ଘଟିଗଲା ଏକ ଅଘଟଣ। ପ୍ରେମିକ ବସନ୍ତ ପାଣିଗ୍ରାହୀ ବାଇକରେ ଯିବା ବାଟରେ ଦୁର୍ଘଟଣାରେ ଶିକାର ହୋଇଥିଲେ ଯାହାଦ୍ୱାରା ତାଙ୍କର ସ୍ପାଇନାଲ କର୍ଡରେ ଗୁରୁତର ଆଘାତ ହୋଇଥିଲା ଏବଂ ସେ ସ୍ନାୟୁ ଜନିତ ରୋଗରେ ପଡ଼ିଯାଇଥିଲେ। ଦୀର୍ଘ ୪ ମାସ ଧରି ଡାକ୍ତରଖାନାରେ ଚିକିତ୍ସା ହେବା ପରେ ତାଙ୍କର ଗୋଡ଼ ଭଲ ହୋଇନଥିଲା ଏବେ ପର୍ଯ୍ୟନ୍ତ ତାଙ୍କ ଗୋଡ଼ ଅଚଳ ହୋଇଯାଇଛି। ତେଣୁ ସବୁଦିନ ପାଇଁ ସେ ହୁଇଲ ଚେୟାରରେ ବସିବାକୁ ବାଧ୍ୟ ହୋଇଯାଇଛନ୍ତି।

Advertisment

ବସନ୍ତ ନିଜର ଅକ୍ଷମତା ପାଇଁ ପ୍ରେମିକା ବିଦୁସ୍ମିତାଙ୍କୁ ଅନ୍ୟତ୍ର ବିବାହ ପାଇଁ କହିଥିଲେ। କିନ୍ତୁ ବିଦୁସ୍ମିତା ତାଙ୍କର କୌଣସି କଥାକୁ ଖାତିର ନକରି ତାଙ୍କ ହାତ ଧରିବାକୁ କହିଥିଲେ। ଉଭୟ ରାଜି ହୋଇଥିଲେ ବିବାହ ପାଇଁ। ଏହି ଘଟଣାକୁ ନେଇ ଝିଅ ଘର ଲୋକ ରାଜି ନହେବାରୁ ସେ ଘରୁ ପଳାଇ ଆସିଥିଲେ। ପରେ ଝିଅ ଘର ଲୋକ ବାଧ୍ୟ ହୋଇ ବିବାହ ପାଇଁ ରାଜି ହୋଇଥିଲେ।

ସବୁ କିଛି ଜାଣି ମଧ୍ୟ ବିଦୁସ୍ମିତା ନିଜ ପ୍ରେମକୁ ପାଇବା ପାଇଁ ସବୁକିଛି ତୁଚ୍ଛ କରିଦେଇଛନ୍ତି। ଆଉ ବସନ୍ତଙ୍କ ସହିତ ଜୀବନ ବିତାଇବାକୁ ପଣ କରିଛନ୍ତି। ଉଭୟଙ୍କ ଭଲ ପାଇବା ପାଖରେ ହାର ମାନିଛି ଅକ୍ଷମତା। ବିଦୁସ୍ମିତା ଏକ ମହାନ କାମ କରି ସମାଜର ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

ଏହି ନିଆରା ପ୍ରେମକୁ ସ୍ୱୀକୃତି ମିଳିବା ପରେ ବସନ୍ତ ଆଉ ବିଦୁସ୍ମିତା ସାରା ଜୀବନ ପାଇଁ ହୋଇଛନ୍ତି ଜୀବନସାଥୀ। ସୋମବାର ଦିନ ସମସ୍ତ ବୈଦିକ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହୋଇଥିବାବେଳେ ଉଭୟ ବେଶ ଖୁସି ଥିବା ଦେଖିବାକୁ ମିଳିଛି। ଏନେଇ ବିଦୁସ୍ମିତା କହିଛନ୍ତି, ଯଦି ବିବାହ ପରେ ଏପରି ଅଘଟଣ ଘଟିଥାନ୍ତା ତେବେ ସେ କଣ ତାଙ୍କ ହାତ ଛାଡିଦେଇଥାନ୍ତି। ମୁଁ ତାଙ୍କ ମନକୁ ଭଲପାଇଥିଲି, ଶରୀରକୁ ନୁହେଁ।

Odisha Balasore