ନ୍ୟାୟ ପାଇଁ କେତେବେଳେ ଧାରଣାରେ ବସୁଥିଲେ ତ ଆଉ କେତେବେଳେ କାନ୍ଦୁଥିଲେ। ଯେଉଁଥିପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିଲେ ବ୍ରହ୍ମପୁରର କେ.ଦୀପିକା। ହେଲେ ଆଜି ସେ ବିବାଦରେ। ଗୋଟିଏ ଭିଡିଓକୁ ନେଇ ସେ ବିବାଦରେ। ଭିଡିଓରେ ଦେଖିବାକୁ ମିଳିଛି ତାଙ୍କର ଉଗ୍ରରୂପ। ଯେଉଁ ଭିଡ଼ିଓକୁ ଧରି ଦୀପିକାଙ୍କ ପ୍ରେମିକ ଦିନେଶଙ୍କ ମାଆ ପହଞ୍ଚିଛନ୍ତି ଆଇଜିଙ୍କ ଅଫିସ୍ରେ।
ଭିଡିଓରେ ଦେଖିବାକୁ ମିଳିଛି, ଗତ ୨୩ ତାରିଖରେ ଦୀପିକା ନିଜ ପୁଅକୁ ଧରି ପ୍ରେମିକ ଦିନେଶଙ୍କ ଘରକୁ ଆସିଥିଲେ। ସେତେବେଳେ ଘରେ ତାଲା ପଡ଼ିଥିଲା। ଏହା ଦେଖି ଦୀପିକା ଛୁଆକୁ ଘର ଆଗରେ ବସାଇ ଦେଇଥିଲେ। ତା’ପରେ ଘର ସମ୍ମୁଖରେ ଠିଆ ହୋଇଥିବା ଏକ ସ୍କୁଟରକୁ ଘୁଷାରି ଘୁଷାରି ନେଇ ଡ୍ରେନ୍ରେ ପକାଇ ଦେଇଥିଲେ। ସେହି ସମୟରେ ଗାଳି ଦେଉଥିବା ଭିଡିଓରେ ଶୁଣିବାକୁ ମିଳୁଛି।
ଦୀପିକାଙ୍କ ଏପରି କାର୍ଯ୍ୟ ଅତିଷ୍ଠ ହୋଇଛନ୍ତି ପ୍ରେମିକ ଦିନେଶଙ୍କ ମାଆ ଆଇଜିଙ୍କ ପାଖରେ ଫେରାଦ ହୋଇଛନ୍ତି। ଏଫ୍ଆଇଆର୍ ସେ ଦର୍ଶାଛନ୍ତି, ଦୀପିକା ପ୍ରତିଦିନ ଘର ଦାଣ୍ଡରେ ବସିବାରୁ ଯିବା ଆସିବାରେ ଅସୁବିଧା ହେଉଛି। ଦିନେଶଙ୍କ ଜେଜେ ବାପା, ଜେଜେ ମାଆ ଓ ପୂରା ପରିବାର ମାନସିକ ଅବସାଦରେ ରହୁଛନ୍ତି। ଏଥିସହିତ ଗତ ୨୩ ତାରିଖରେ ଦୀପିକା ଗାଡ଼ି ଫିଙ୍ଗିବାର ଭିଡିଓ ଦେଖାଇଥିଲେ।
ତେବେ ଡିଏନ୍ଏ ରିପୋର୍ଟକୁ ନେଇ ଦିନେଶଙ୍କ ମାଆ କହିଛନ୍ତି, କୋର୍ଟ ଯାହା ନିଷ୍ପତ୍ତି ନେବ, ତାକୁ ସେମାନେ ମାନିନେବେ।
ଗାଡି ଭଙ୍ଗା ଭିଡିଓକୁ ନେଇ ଦୀପିକା କହିଛନ୍ତି, ଗତ ୨୩ ତାରିଖ ଶ୍ୱଶୁର ଘର ଯାଇଥିଲେ। ସେତେବେଳେ ତାଙ୍କୁ ଦେଖି ତାଙ୍କ ଶ୍ଵଶୁର ଗାଳି ଦେଇଥିଲେ। ପରେ ଘରେ ପଶି ତାଲା ପକାଇ ଦେଇଥିଲେ। ହେଲେ ଘର ବାହାରେ ବାଇକ ଛାଡ଼ି ଯାଇଥିଲେ। ଖରାପ ଭାଷାରେ ଗାଳି ଦେବାରୁ ରାଗି ଯାଇ ଗାଡ଼ିଟିକୁ ଓଲଟାଇଦେଇ ନାଳରେ ପକାଇବାକୁ ଚେଷ୍ଟା କରିଥିଲି ବୋଲି ଦୀପିକା କହିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।