Advertisment

ନିଜ ଘର ଦାନ କରିଦେଲେ ଡା. ନାରାୟଣୀ ପଣ୍ଡା; ପୂର୍ବରୁ ନିଜ ଅର୍ଥ, ସମ୍ପତ୍ତି ବି ଦେଇ ସାରିଛନ୍ତି

ଡାକ୍ତର ପଣ୍ଡା ପୂର୍ବରୁ ନିଜର ଅର୍ଥ ଓ ସମ୍ପତ୍ତି ଭିନ୍ନ ଭିନ୍ନ ସଂସ୍ଥାକୁ ଦାନ କରି ସାରିଛନ୍ତି। ତାଙ୍କ ପାଖରେ କେବଳ ଗୋଟିଏ ଘର ଥିବା ବେଳେ ସେଠାରେ ସେ ରହୁଥିଲେ।

ଅଦ୍ୟତନ ହୋଇଛି
Doctor Narayani Panda

Doctor Narayani Panda

Advertisment

ପ୍ରଚାର, ପ୍ରସାର, ଆତ୍ମବିଜ୍ଞାପନଠୁ ସେ ବହୁ ଦୂରରେ । ପୂର୍ବରୁ ବିଭିନ୍ନ କଲେଜ, ଶିକ୍ଷାନୁଷ୍ଠାନକୁ ଲକ୍ଷ ଲକ୍ଷ ଟଙ୍କା ଦାନ କରି ସାରିଥିବା ବେଳେ ଏବେ ନିଜର ସର୍ବସ୍ୱ ଦାନ କରିଦେଲେ। ନିଜେ ରହୁଥିବା ଏକମାତ୍ର ଘରକୁ ବି ଚୁପଚାପ ଦାନ କରିଦେଲେ। ଏହାକୁ ଦାନ କରିବା ପରେ ତାଙ୍କ ମୁହଁରେ ଖେଳିଯାଇଛି ଆତ୍ମସନ୍ତୋଷର ହସ । ଏପରି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି। ସମ୍ବଲପୁରର ୮୭ ବର୍ଷିୟା ସମାଜସେବୀ ତଥା ଖ୍ୟାତାନାମା ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ନାରାୟଣୀ ପଣ୍ଡା ।

Advertisment

ଡାକ୍ତର ପଣ୍ଡା ପୂର୍ବରୁ ନିଜର ଅର୍ଥ ଓ ସମ୍ପତ୍ତି ଭିନ୍ନ ଭିନ୍ନ ସଂସ୍ଥାକୁ ଦାନ କରି ସାରିଛନ୍ତି। ତାଙ୍କ ପାଖରେ କେବଳ ଗୋଟିଏ ଘର ଥିବା ବେଳେ ସେଠାରେ ସେ ରହୁଥିଲେ। ମାତ୍ର ଏବେ ସେ ଉକ୍ତ ଘରକୁ ବି ହସ ହସ ମୁହଁରେ ଦାନ କରି ସାରିଛନ୍ତି। ଡାକ୍ତର ପଣ୍ଡା ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟକୁ ନିଜ ଘର ଦାନ କରି ଦେଇଛନ୍ତି।

ସମ୍ବଲପୁର ସହରର ଭୁତାପଡ଼ାସ୍ଥିତ ୮ ଡେସିମିଲ ପରିମିତ ଜାଗାରେ ନିର୍ମିତ ୨ ମହଲା ଘରଟିକୁ ଦାନ କରିଦେଇଛନ୍ତି ଡାକ୍ତର ପଣ୍ଡା । ଡାକ୍ତର ପଣ୍ଡାଙ୍କର ଉକ୍ତ ଘରଟିକୁ କିଛି ମାସ ହେଲା ସରକାରୀ ମହିଳା ମହାବିଦ୍ୟାଳୟର ହଷ୍ଟେଲ ଭାବେ ବ୍ୟବହାର କରାଯାଉଛି। ଏହି ଘରକୁ ୪ରୁ ୫ ମାସ ପୂର୍ବେ ହଷ୍ଟେଲ ଭାବେ ବ୍ୟବହାର କରାଯାଇଆସୁଛି । ମାତ୍ର ଏହା ମଧ୍ୟରେ ଡାକ୍ତର ପଣ୍ଡା ଏଥିନିମନ୍ତେ ଆବଶ୍ୟକ ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ଗତକାଲି ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ହସ୍ତାନ୍ତର କରି ଦେଇଛନ୍ତି ।

Advertisment

ଏନେଇ ସେ କହିଛନ୍ତି, ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର କିଛି ପିଲା ହଷ୍ଟେଲରେ ରହିବାକୁ ଜାଗା ନ ପାଇ ମୋ’ ପାଖକୁ ଆସି ସେମାନଙ୍କ ଦୁଃଖ କହିଥିଲେ। ତେଣୁ କିଛି ପିଲାଙ୍କୁ ଉପର ମହଲାରେ ରଖିଛି। ଏହାପରେ ଭାବିଲି ଘର ଆଉ କାହାକୁ ଦେବା ଅପେକ୍ଷା କଲେଜ ଛୁଆମାନଙ୍କୁ କାହିଁକି ନ ଦେବି। ତେଣୁ ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ଗତକାଲି ମହିଳା ମହାବିଦ୍ୟାଳୟକୁ ଘର ହସ୍ତାନ୍ତର କରି ଦେଇଛି। ଝିଅ ପିଲାଙ୍କ ହଷ୍ଟେଲ ପାଇଁ ଏହା ବ୍ୟବହାର ହେବ ।

ଏହି ଅବସରରେ ସେ କହିଛନ୍ତି, ମୁଁ ତ କୌଣସି ଜିନିଷ ନେଇ ଆର ପାରିକୁ ଯାଇ ପାରିବିନି, ତେଣୁ ଲୋଭ କାହିଁକି କରିବି। ଯେତିକି ଜିନିଷ ଦରକାର ସେତିକି ପାଖରେ ରଖି ଆଉ ସବୁ ଅନ୍ୟମାନଙ୍କୁ ଦାନ କରି ଦେବା ଉଚିତ।

ଏହା ପୂର୍ବରୁ ସେ ପାଠ ପଢ଼ୁଥିବା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଅତ୍ୟାଧୁନିକ ଆଇଟି ସେଣ୍ଟର ସ୍ଥାପନ ନେଇ ୩୦ ଲକ୍ଷ ପ୍ରଦାନ କରିଥିଲେ । ଉକ୍ତ କଲେଜରେ ସେ ପାଠ ପଢ଼ୁଥିବା ବେଳେ କଲେଜ ତରଫରୁ ତାଙ୍କୁ ସ୍କଲାରଶିପ୍‌ ପ୍ରଦାନ କରାଯାଇଥିଲା। କଲେଜର ଋଣ ଶୁଝିବାକୁ ଯାଇ ସେ ୩୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ।

ଅନୁରୂପ ସରକାରୀ ମହିଳା ମହାବିଦ୍ୟାଳୟର ନବ ନିର୍ମିତ ବହୁମୁଖୀ ସମ୍ମିଳନୀ କକ୍ଷ ଓ ଭିତ୍ତିଭୂମିର ବିକାଶ ନେଇ ୨୦ ଲକ୍ଷର ଅନୁଦାନ ଦେଇ ସାରିଛନ୍ତି। ବିଭିନ୍ନ ମହାବିଦ୍ୟାଳୟର ସ୍ୱତନ୍ତ୍ର ‘କର୍ପସ’ ପାଣ୍ଠିକୁ ବି ଡାକ୍ତର ପଣ୍ଡା ଲକ୍ଷାଧିକ ଟଙ୍କା ଦାନ କରି ସାରିଛନ୍ତି। ଏହା ପରେ ସମ୍ବଲପୁରର ପୁଟିବନ୍ଧ ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟର ଆସବାବପତ୍ର କ୍ରୟ ତଥା ଭିତ୍ତିଭୂମି ବିକାଶ ନେଇ ସେ ୧୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe