Advertisment

ଛାତିରେ ପଥର ରଖି ନାତୁଣୀଙ୍କୁ ସରକାରଙ୍କ ହାତରେ ଟେକିଦେଲା ଜେଜେ ବାପା

ନାତୁଣୀର ଭବିଷ୍ୟତକୁ ଦୃଷ୍ଟିରେ ରଖି କଠୋର ନିଷ୍ପତ୍ତି ନେଇଛନ୍ତି ଜେଜେ ବାପା।

Mukunda

Mukunda

Advertisment

ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଶାଖାଡୁଙ୍ଗୁରୀ ଗାଁର ମୁକୁନ୍ଦ ବନଛୋର ତାଙ୍କ ୯ ବର୍ଷର ନାତୁଣୀଙ୍କୁ ସରକାରଙ୍କ ହାତରେ ଟେକି ଦେଇଛନ୍ତି। ଗୋଟିଏ ପଟେ ଦାରିଦ୍ର୍ୟ ଓ ଅନ୍ୟପଟେ ଜୀବନର ଅନ୍ତିମ ପାହାଚରେ ପହଞ୍ଚି ସାରିଥିବା ମୁକୁନ୍ଦ ତାଙ୍କ ନାତୁଣୀଙ୍କ ଭବିଷ୍ୟତ ଚିନ୍ତା କରି ଅଥୟ ହୋଇପଡ଼ିଥିଲେ। ତେଣୁ ଛାତିରେ ପଥର ରଖି ଏମିତି ଏକ ନିଷ୍ପତ୍ତି ନେଲେ।

Advertisment

ମୁକୁନ୍ଦ ବନଛୋରଙ୍କୁ ୭୫ ଟପିଲାଣି। ତାଙ୍କ ସ୍ତ୍ରୀଙ୍କୁ ୭୩ ଛୁଇଁସାରିଲାଣି। ସେମାନଙ୍କ ଦୁଃଖ କାହାଣୀ ଆରମ୍ଭ ହୁଏ ୨୦୧୬ରୁ। ସେହି ବର୍ଷ ଏକ ଦୁର୍ଘଟଣାରେ ସେମାନଙ୍କ ପୁଅଙ୍କ ମୃତ୍ୟୁ ହୋଇଥିଲା। ପୁଅ ମରିଯିବା ପରେ ସେମାନଙ୍କ ବୋହୂ ମାନସିକ ଭାରସାମ୍ୟ ହରାଇଥିଲେ। ସେ ଘର ଛାଡ଼ି କେଉଁଆଡ଼େ ପଳାଇଥିଲେ। ସେତେବେଳକୁ ମୁକୁନ୍ଦଙ୍କ ନାତୁଣୀଙ୍କୁ ହୋଇଥାଏ ପାଖାପାଖି ୧୦ ମାସ। ସେଇ ଛୋଟ ଝିଅଟିର ବାପାମା’ ବନିଥିଲେ ମୁକୁନ୍ଦ ଓ ତାଙ୍କ ପତ୍ନୀ। ଲାଳନ ପାଳନ କରି ତାକୁ ବଡ଼ କରି ଥିଲେ।

ନାତୁଣୀ ବଡ଼ ହେବା ସହିତ ମୁକୁନ୍ଦଙ୍କ ଚିନ୍ତା ବଢ଼ି ଚାଲିଥିଲା। ନାତୁଣୀର ଶୈଶବ ଶେଷ ହୋଇ ନଥିବା ବେଳେ ସେ ଓ ତାଙ୍କ ପତ୍ନୀ ବୟସର ଅପରାହ୍ନରେ ପହଞ୍ଚି ସାରିଥିବାରୁ ସବୁବେଳେ ନାତୁଣୀର ଭବିଷ୍ୟତକୁ ନେଇ ଚିନ୍ତିତ ରହୁଥିଲେ ମୁକୁନ୍ଦ। ପୁଣି ସେମାନଙ୍କର ସମ୍ପତ୍ତି ବୋଲି ସେମିତି କିଛି ନାହିଁ। ସରକାରଙ୍କ ତରଫରୁ ମିଳୁଥିବା ସାମନ୍ୟ କିଛି ଭତ୍ତା ଟଙ୍କା ଓ ଚାଉଳରେ ସେମାନେ ଚଳନ୍ତି। ଇଚ୍ଛା ନଥିଲେ ବି ବହୁ ଭାବିବା ପରେ ସେ ନାତୁଣୀଙ୍କୁ ସରକାରଙ୍କ ହାତରେ ଟେକି ଦେବାକୁ ନିଷ୍ପତ୍ତି ନେଇଥିଲେ।

Advertisment

ବୁଧବାର ନାତୁଣୀଙ୍କୁ ଧରି ସେ ଯାଇଥିଲେ ଜିଲ୍ଲା ଶିଶୁ ସୁରକ୍ଷା ସମିତି। ସେଠାରେ ଯାଇ ନିଜ ଦୁଃଖ ଜଣାଇଥିଲେ। ତାଙ୍କ କଥା ଶୁଣି ସିଡବ୍ଲ୍ୟୁସି ଅଧିକାରୀ ବି ତାଜୁବ ହୋଇଯାଇଥିଲେ। ତେବେ ଝିଅଟିର ଭବିଷ୍ୟତକୁ ଦୃଷ୍ଟିରେ ରଖି, ତାଙ୍କୁ ଗାଇସିଲେଟ ବ୍ଲକର ଏକ ବାଳାଶ୍ରମକୁ ପଠାଯାଇଥିବା ସୂଚନା ମିଳିଛି। ସେଠାରେ ଏବେ ସେ ୨ ମାସ ରହିବ। ୨ ମାସ ଭିତରେ ତାଙ୍କ ପରିବାର ଲୋକେ ଚାହିଁଲେ ତାଙ୍କୁ ଫେରାଇ ନେଇ ପାରିବେ। ନ ହେଲେ ପରବର୍ତ୍ତୀ ସମୟରେ ସମସ୍ତ ସରକାରୀ ନିୟମ ଓ ପ୍ରକ୍ରିୟାକୁ ଅନୁକରଣ କରି ଝିଅଟିକୁ ପୋଷ୍ୟ ସନ୍ତାନ ଭାବେ କାହାକୁ ହସ୍ତାନ୍ତର କରାଯାଇପାରେ।

ଛାତିରେ ପଥର ରଖି ନାତୁଣୀଙ୍କୁ ସରକାରଙ୍କ ହାତରେ ଟେକି ଦେଇଥିଲେ ବି ତାଙ୍କୁ ଝୁରି ହେଉଛନ୍ତି ମୁକୁନ୍ଦ। ଶେଷ ସମୟରେ ଥରେ ନାତୁଣୀଙ୍କୁ ଦେଖି ଦେଲେ ଆଉ କିଛି ଅବଶୋଷ ରହନ୍ତା ନାହିଁ ବୋଲି କାନ୍ଦି କାନ୍ଦି କହିଛନ୍ତି ମୁକୁନ୍ଦ। 

ସିଡବ୍ଲ୍ୟୁସି ସଦସ୍ୟ ରାଧା ଅଗ୍ରୱାଲ କହିଛନ୍ତି, ଯେଉଁ ଛୁଆ ମାନଙ୍କର ବାପାମା’ ନାହାନ୍ତି ବା ଯେଉଁ ବାପାମା’ମାନେ ଏତେ ଅସହାୟ ଅବସ୍ଥାରେ ଅଛନ୍ତି ଯେ ସେମାନଙ୍କ ଛୁଆର ଯତ୍ନ ନେଇପାରିବେ ନାହିଁ, ତା’ହେଲେ ସେମାନଙ୍କ ଛୁଆଙ୍କୁ ସେମାନେ ସରକାରଙ୍କୁ ଦେଇ ପାରିବେ। ସରକାର ସେହି ଛୁଆର ଯତ୍ନ ନେବେ। ଆଉ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ସୁଯୋଗ୍ୟ ପରିବାରକୁ ହସ୍ତାନ୍ତର କରିବେ। ମୁକୁନ୍ଦ ଏବେ ତାଙ୍କ ନାତୁଣୀଙ୍କୁ ଦେଇଥିବା ପ୍ରକ୍ରିୟାକୁ ସରେଣ୍ଡର ବୋଲି ଆମେ କହୁଛୁ। ତାଙ୍କ ପାଖରେ ଏବେ ୨ ମାସ ସମୟ ଅଛି। ସେ ତାଙ୍କ ନିଷ୍ପତ୍ତିର ପୁନଃବିଚାର କରିପାରିବେ। ସେ ଚାହିଁଲେ ଦୁଇ ମାସ ଭିତରେ ଛୁଆଟିକୁ ଫେରାଇ ନେଇ ଯାଇପାରିବେ। ୨ ମାସ ପୂରଣ ହେଲା ପରେ ଯଦି କାହାର କିଛି ଆପତ୍ତି ନଥିବ, ତା’ହେଲେ ଆମେ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ କେହି ଗ୍ରହଣ କରିପାରିବେ ବୋଲି ଆଇନ ଅନୁଯାୟୀ ଘୋଷଣା କରିଦେବୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe