Advertisment

‘ଜଙ୍ଗଲ ଜମିର ପଟ୍ଟା ଦିଅ, ମନରେଗାରେ କାମ ଦିଅ’

ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।

author-image
Debendra Prusty
Mandipanka Village

Mandipanka Village

ଦେବ ରଞ୍ଜନ, ନୀହାରକାନ୍ତି ଦାଶ

ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡ଼ିଶାର ଦୁଇ ଜଣିଆ ସଦସ୍ୟ ଗଲା ନଭେମ୍ବର ୧୦ ତାରିଖ ଦିନ ଦାରିଙ୍ଗବାଡ଼ି ବ୍ଲକ ଅଧୀନସ୍ଥ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗ୍ରାମ ଓ ପଡ଼ୋଶୀ ଡମା ଗ୍ରାମକୁ ଯାଇଥିଲା। ଉକ୍ତ ତଥ୍ୟ ଅନୁସନ୍ଧାନକାରୀ ଦଳରେ ନୀହାରକାନ୍ତି ଦାଶ ଓ ଦେବ ରଞ୍ଜନ ସଦସ୍ୟ ଥିଲେ। ଏହି ଦୁଇ ଜଣିଆ ଦଳ ଉକ୍ତ ମହିଳାଙ୍କ ପରିବାରର ସଦସ୍ୟ, ଗ୍ରାମବାସୀ, ନିର୍ବାଚିତ ପ୍ରତିନିଧି, ଏନଜିଓ ଓ ବ୍ଲକ ବିଡିଓଙ୍କୁ ସାକ୍ଷାତ କରିଥିଲା।

Advertisment

ବ୍ରହ୍ମପୁରରୁ ଚିକିତ୍ସିତ ହୋଇ ଫେରିଥିବା ପ୍ରଭାତୀ ପାଟ୍ଟମାଝୀ, ସୁସନା ପାଟ୍ଟମାଝୀ ଓ ଜୀବନ୍ତୀ ପାଟ୍ଟମାଝୀଙ୍କୁ ଦଳ ଭେଟିଥିଲା। ଏହି ତିନି ଜଣଙ୍କୁ ଏପରିକି ଅନ୍ୟ ପାଞ୍ଚ ଜଣଙ୍କୁ ମଧ୍ୟ ସୁଭଦ୍ରା ଯୋଜନାର କୌଣସି କିସ୍ତିରେ ଟଙ୍କା ମିଳିନାହିଁ। ଏପରିକି ସମଗ୍ର ମାଣ୍ଡିପଙ୍କା ଗ୍ରାମରେ କାହାରିକୁ ବି ସୁଭଦ୍ରା ଯୋଜନାରେ ଟଙ୍କା ମିଳିନଥିବା ସେମାନେ ପ୍ରକାଶ କଲେ। ପ୍ରଭାତୀଙ୍କ ସ୍ଵାମୀ ତାରଣ ପାଟ୍ଟମାଝୀ ଆଦିବାସୀ କନ୍ଧ ସଂପ୍ରଦାୟର। ତାରଣଙ୍କୁ କିନ୍ତୁ କାଳିଆ ଯୋଜନାରେ ପ୍ରଥମ କିସ୍ତି ବାବଦରେ ଥରେ ମାତ୍ର ପାଞ୍ଚ ହଜାର ଟଙ୍କା ମିଳିଥିଲା ଯାହା ଅନ୍ୟ ସାତ ପରିବାରକୁ ମଧ୍ୟ ମିଳିନାହିଁ।

ଗ୍ରାମବାସୀଙ୍କ ଠାରୁ ଜାଣିଲୁ ଯେ ପ୍ରତି ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ନିଜ ବିଲରୁ ଆସିଥିବା ଖାଦ୍ୟ ଶସ୍ୟ ସରିଯାଏ। ଲୋକେ ସେହି ସମୟର ଖାଦ୍ୟ ଆବଶ୍ୟକତା ପୂରଣ ଲାଗି ଆମ୍ବ ଟାକୁଆ ପୂର୍ବରୁ ସଂଗ୍ରହ କରିଥାନ୍ତି। ଘରେ ଚାଉଳ ସରିଆସିଲେ ସେହି ଆମ୍ବ ଟାକୁଆର କୋଇଲିକୁ ଗୁଣ୍ଡ କରି, ତାକୁ ଭିଜାଇ ସେହିଥିରେ ଟାକୁଆ ପେଜ ତିଆରି କରିଥାନ୍ତି। ଡିସେମ୍ବରରେ ପୁଣି ନୂଆ ଧାନ ଆସିଗଲେ ବଳକା ଟାକୁଆକୁ ସେମାନେ ଫୋପାଡ଼ି ଦେଇଥାନ୍ତି।

Advertisment

ମାଣ୍ଡିପଙ୍କାର ସେହି ଆଠ ଜଣ ମହିଳା ଖାଇଥିବା ଭିଜା କୋଇଲି ଗୁଣ୍ଡ ସଂପୂର୍ଣ୍ଣ ଫିମ୍ପି ମାରିଯାଇଥିଲା। ଫଳରେ, ଖାଇବାର କିଛି ଘଣ୍ଟା ପରେ ଅତ୍ୟଧିକ ଝାଡ଼ା ଓ ବାନ୍ତି ହେଲା। ଏହା ଜନସ୍ୱାସ୍ଥ୍ୟ ସମ୍ପର୍କିତ ବିଷୟ। ଉଲ୍ଲେଖନୀୟ ବିଷୟ ହେଲା ଯେ କ୍ଷତିଗ୍ରସ୍ତ ଆଠ ଜଣ ମହିଳାଙ୍କ ମଧ୍ୟରୁ ସାତ ଜଣ ମହିଳା ୨୫ରୁ ୩୫ ବର୍ଷ ବୟସର। ଦୁଃଖର କଥା ଯେ କେହି ଜଣେ ହେଲେ ସ୍କୁଲ ଯାଇନାହାନ୍ତି। ତେଣୁ ଦାରିଦ୍ର୍ୟ ଯେ ଉକ୍ତ ଅଞ୍ଚଳରେ କେତେ ବ୍ୟାପ୍ତ ତାହା ଏହିଥିରୁ ମଧ୍ୟ ବୁଝାପଡ଼େ। ଏବେ ମୃତ ରୁନି ମାଝୀଙ୍କର ଛଅ ମାସର ଛୋଟ ଝିଅର ଜୀବନ ଘୋର ଅନିଶ୍ଚିତତା ମଧ୍ୟରେ ରହିଛି।

ଆମ୍ବ ଟାକୁଆ ଖାଇବା ଯଦି ପାରମ୍ପରିକ ଖାଦ୍ୟ ହୋଇଥାନ୍ତା ତେବେ ଏଥିରୁ ପ୍ରସ୍ତୁତ ଖାଦ୍ୟ ଆଦିବାସୀଙ୍କ ଧରଣୀ ପେନୁ, କେଡୁ ପୂଜା (କନ୍ଧମାଳ ଆଦିବାସୀଙ୍କ ମୁଖ୍ୟ ପର୍ବ) ବା ହିନ୍ଦୁଙ୍କ ଦେବାଦେବୀଙ୍କ ନିକଟରେ ପୂଜା ଦ୍ରବ୍ୟ ଭାବରେ ରଖାଯାଇଥାନ୍ତା। ପୁଣି ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏହାକୁ ପୁଷ୍ଟିକର ଖାଦ୍ୟ ବୋଲି ଯୁକ୍ତି କରୁଛନ୍ତି। ସତରେ ଯଦି ଏଥିରେ ପୌଷ୍ଟିକତା ରହିଛି ବୋଲି ସରକାର କହୁଛନ୍ତି ତେବେ ସ୍କୁଲ ବହିର ସନ୍ତୁଳିତ ଖାଦ୍ୟ ବା ପୌଷ୍ଟିକ ଖାଦ୍ୟ ତାଲିକାରେ ଯେଉଁଠି ଭାତ, ଡାଲି, ଅଣ୍ଡା ଓ ଶାଗ ଇତ୍ୟାଦି ରହୁଛି ସେଥିରେ କୋଇଲିକୁ ସାମିଲ କରାଯିବ କି? ଟାକୁଆ ଆମ ଦୃଷ୍ଟିରେ ନା ପାରମ୍ପରିକ ନା ପୌଷ୍ଟିକ। ଲୋକେ ଏହାକୁ ସଂଗ୍ରହ କରି ରଖିଥାନ୍ତି। ପୁଣି ନୂଆ ଶସ୍ୟ ଆସିବା ପରେ ବଳକା ଟାକୁଆ ଫିଙ୍ଗିଦେଇଥାନ୍ତି। ଅନ୍ୟ କୌଣସି ବଳକା ଶସ୍ଯ କଣ କେହି ଫିଙ୍ଗିଥାଏ?

ମାଣ୍ଡିପଙ୍କାରେ ସମୁଦାୟ ୩୦୦ ଘର ଅଛି। ଏଥିରେ ମୁଖ୍ୟତଃ ଆଦିବାସୀ ଓ ଦଳିତ ପରିବାର ରୁହନ୍ତି। ଗାଁର ପୁଅ ଝିଅ ୧୪/୧୫ ବର୍ଷ ହେଲେ କେରଳ ଯିବା ଆରମ୍ଭ କରିଦେଉଛନ୍ତି। ଗାଁର ପ୍ରାୟ ୩୦୦ ପିଲା ଏବେ କେରଳରେ ଅଛନ୍ତି। ଲୋକଙ୍କ ଲାଗି ପ୍ରାୟରିଟି ହାଉସ ହୋଲ୍ଡ ବା ପିଏଚଏଚ ତାଲିକାରେ ଦିଆଯାଉଥିବା ମୁଣ୍ଡ ପିଛା ୫ କିଗ୍ରା ଚାଉଳ କଦାପି ଯଥେଷ୍ଟ ନୁହେଁ। ସେଥିରେ ପୁଣି କେୱାସି ଅପଡେଟ ନାମରେ ଦୀର୍ଘ ତିନି ମାସ ହେଲା (ଏପ୍ରିଲ, ମେ ଓ ଜୁନ) ସେମାନଙ୍କୁ ଚାଉଳରୁ ବଞ୍ଚିତ କରାଗଲା। ସମାଜବିଜ୍ଞାନୀ ପ୍ରଫେସର ଜୟତୀ ଘୋଷଙ୍କ ମତରେ ଦେଶବ୍ୟାପୀ ଇ-କେୱାସୀ ଅପଡେଟ କରିବା ପଛରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ହେଲା ପୂର୍ବରୁ ପାଉଥିବା ହିତାଧିକାରୀଙ୍କ ସଂଖ୍ୟାକୁ ବିଭିନ୍ନ ଆଳ ଦେଖାଇ ସଂଖ୍ୟା କମ କରିବା।

ଆମ ଦଳର ଏଥିରେ ଦ୍ଵିମତ ନାହିଁ ଯେ ଆଜି ଆମ୍ବଟାକୁଆ ଜନିତ ମୃତ୍ୟୁ ଲାଗି ସରକାରଙ୍କ ବ୍ୟବସ୍ଥା ହିଁ ସଂପୂର୍ଣ୍ଣ ଦାୟୀ। ଅଞ୍ଚଳର ସମସ୍ୟାକୁ ଦୃଷ୍ଟିରେ ରଖି କେତେକ ତାତ୍କାଳିକ ଉପଚାର ଲାଗି ନିମ୍ନ ଲିଖିତ ଦାବି ‘ଗାସ’ ତରଫରୁ କରାଯାଉଛି। ଦାବି ସମୂହ ହେଉଛି -

୧. ସମସ୍ତ ପିପିଏଚ ପରିବାରକୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରାଯାଉ ଯାହା ଦ୍ଵାରା ଚାଉଳର ଅଭାବ ରହିବ ନାହିଁ।

୨. ଅଗଷ୍ଟ ଠାରୁ ଡିସେମ୍ବର ମଧ୍ୟରେ ମନରେଗା ମାଧ୍ୟମରେ ନିହାତି ୧୦୦ ଦିନ କାର୍ଯ୍ୟ ଦିବସ ପ୍ରତି ବର୍ଷ ସୃଷ୍ଟି କରାଯାଉ। ସରକାର କାମ ଯୋଗାଇ ନପାରିଲେ ମନରେଗା ନିୟମ ଅନୁସାରେ ବେକାରୀ ଭତ୍ତା ଦିଅନ୍ତୁ। ଲୋକଙ୍କ ଲେବର କାର୍ଡ ସରକାରୀ ଅଧିକାରୀ ବା ଠିକାଦାର ନିଜ ପାଖରେ ରଖିବା ଏକ ଅପରାଧ ବୋଲି ଧରାଯାଇ ସେମାନଙ୍କ ବିରୁଦ୍ଧରେ କ୍ରିମିନାଲ ଆକ୍ସନ ନିଆଯାଉ। ମନରେଗାରେ କାର୍ଯ୍ୟ କରିଥିବା ଲୋକଙ୍କ ମଜୁରୀ ଶୀଘ୍ର ପେମେଣ୍ଟ କରାଯାଉ।

୩. ଜଙ୍ଗଲ ଅଧିକାର ଆଇନ ବଳରେ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉ। ଜଙ୍ଗଲରେ ଲୋକଙ୍କ ଆବଶ୍ୟକତାକୁ ନେଇ ଚାରା ରୋପଣ କରାଯାଉ। ତାହାହେଲେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଲୋକେ କିଛି ମାସ ଚଳିପାରିବେ। ଆଞ୍ଚଳିକ ସମବାୟମାନଙ୍କୁ ସକ୍ରିୟ କରାଗଲେ ଲୋକେ ଉପଯୁକ୍ତ ମୂଲ୍ୟ ମଧ୍ୟ ପାଇପାରିବେ।

୪. ଗ୍ରାମରେ ଅଧିକ ସଂଖ୍ୟାରେ ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରାଥମିକ ସ୍କୁଲ ତିଆରି କରନ୍ତୁ। ଲୋକେ ଯେପରି ଦାଦନ ଖଟିବାକୁ ଅଞ୍ଚଳରୁ ନଯିବେ ସେଥିଲାଗି ପଦକ୍ଷେପ ନିଅନ୍ତୁ।

ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡ଼ିଶା

Odisha Tribes Daringbadi Starvation Death Mango Kernel