Advertisment

ପ୍ରିୟଙ୍କା ପନୱାରଙ୍କ ପାଇଁ ବଦଳି ଯାଇଥିଲା ନିୟମ, SPOTରେ ସାମିଲ ହୋଇଥିଲେ ମହିଳା

ପ୍ରିୟଙ୍କା ଜଣେ କୁସ୍ତିଯୋଦ୍ଧା। ୨୦୧୧ରେ ସେ ଉତ୍ତର ପ୍ରଦେଶ ପୁଲିସ୍‌ରେ ଭର୍ତ୍ତି ହୋଇଥିଲେ। ୨୦୧୭ରେ SPOTରେ ସାମିଲ ହୋଇଥିଲେ।

Priyanka Panwar

Priyanka Panwar

Advertisment

୨୦୧୭ ମସିହାର କଥା। ଉତ୍ତର ପ୍ରଦେଶ ପୁଲିସର ଆତଙ୍କବାଦ ନିରୋଧ ସ୍କ୍ୱାଡ୍‌ (ATS)ର ମୁଖ୍ୟ ଥାଆନ୍ତି ଅସୀମ ଅରୁଣ। ଏଟିଏସ୍ ଅଧୀନରେ ଏକ ସ୍ପେଶାଲ ପୁଲିସ୍ ଅପରେସନ୍ ଟିମ୍ (SPOT) ଗଠନ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଗୁଇନ୍ଦା ସୂଚନା ସଂଗ୍ରହ କରିବା ଓ ଆତଙ୍କବାଦ ଏବଂ ନକ୍ସଲ ବିରୋଧୀ ଅପରେସନ୍ ଚଲାଇବା ହେଉଛି ଏହାର ମୂଳ ଲକ୍ଷ୍ୟ।

Advertisment

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ SPOTରେ ସାମିଲ ହେବା ପାଇଁ ଆଗ୍ରହୀ ଥିବା ପୁଲିସ୍ କର୍ମଚାରୀମାନଙ୍କୁ ନାଁ ଦେବାକୁ କୁହାଯାଇଥିଲା। SPOTରେ ସାମିଲ ହେବା ପାଇଁ ରହିଥିବା ପରୀକ୍ଷା ବ୍ୟବସ୍ଥା ବେଶ୍ କଷ୍ଟକର। ତେଣୁ ଆବେଦନ କରିଥିବା ପୁଲିସ୍ କର୍ମଚାରୀଙ୍କ ମଧ୍ୟରୁ ଅଳ୍ପ ଏହି ପରୀକ୍ଷାରେ ପାସ୍ ହୋଇଥିଲେ।

SPOT ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଥିବା ବେଳେ ଦିନେ ଏହା ଦାୟିତ୍ୱରେ ଥିବା ଇନ୍‌ସପେକ୍ଟର ତତ୍‌କାଳୀନ ଏଟିଏସ୍ ମୁଖ୍ୟ ଅସୀମ ଅରୁଣଙ୍କୁ କହିଥିଲେ ଯେ ଜଣେ ମହିଳା ପୁଲିସ୍ କର୍ମଚାରୀ ମଧ୍ୟ ପରୀକ୍ଷା ଦେବାକୁ ଆବେଦନ କରିଛନ୍ତି। ଏନେଇ ସେ କ’ଣ କରିବେ ବୋଲି ଅସୀମ ଅରୁଣଙ୍କୁ ପଚାରିଥିଲେ।

Advertisment

ଏହା ଶୁଣି ଉକ୍ତ ମହିଳା ପୁଲିସ୍ କର୍ମଚାରୀଙ୍କୁ ଡକାଇବାକୁ କହିଥିଲେ ଅସୀମ ଅରୁଣ। ଖବର ପାଇ ପ୍ରିୟଙ୍କା ପନୱାର ଆସି ଅସୀମ ଅରୁଣଙ୍କୁ ଭେଟିଲେ। ସେ ଅସୀମ ଅରୁଣଙ୍କୁ କହିଥିଲେ, ସାର୍‌, ମୁଁ ବି ଜଣେ କମାଣ୍ଡୋ ହେବି।

ପ୍ରିୟଙ୍କା ଜଣେ କୁସ୍ତିଯୋଦ୍ଧା। ୨୦୧୧ରେ ସେ ଉତ୍ତର ପ୍ରଦେଶ ପୁଲିସ୍‌ରେ ଭର୍ତ୍ତି ହୋଇଥିଲେ। ତାଙ୍କ ଉତ୍ସାହ ଓ ଫିଟ୍‌ନେସ୍‌ ଦେଖି ଅସୀମ ଅରୁଣ ଭୁଲ୍ କରିଥିବା ଅନୁଭବ କରିଥିଲେ। SPOTରେ ସାମିଲ ହେବା ପାଇଁ ଆହ୍ୱାନ କରାଯାଇଥିବା ଦରଖାସ୍ତରେ ମହିଳା ପୁଲିସ୍ କର୍ମଚାରୀଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିଲା। ଅରୁଣ ଅସୀମ ସଙ୍ଗେ ସଙ୍ଗେ ଏହି ତ୍ରୁଟି ସୁଧାରିଥିଲେ ଓ ପ୍ରିୟଙ୍କାଙ୍କୁ SPOT ପାଇଁ ପରୀକ୍ଷା ଦେବାକୁ ଅନୁମତି ଦେଇଥିଲେ। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ପ୍ରିୟଙ୍କା ଏହି କଠିନ ପରୀକ୍ଷାରେ ପାସ୍ କରିଥିଲେ ଓ SPOTରେ ସାମିଲ ହେବା ପାଇଁ ପ୍ରଶିକ୍ଷଣ ନେଇଥିଲେ।

ପ୍ରିୟଙ୍କା ତାଙ୍କ କାର୍ଯ୍ୟରେ ବହୁତ ଭଲ ପ୍ରଦର୍ଶନ କଲେ। ତାଙ୍କଠାରୁ ପ୍ରେରଣା ପାଇ ଅନ୍ୟ ଝିଅମାନେ SPOTରେ ସାମିଲ ହେଲେ ଓ ବିପଦଜନକ ଅପରେସନଗୁଡ଼ିକରେ ସାମିଲ ହେଲେ।

ପ୍ରିୟଙ୍କାଙ୍କ ଏହି ପ୍ରେରଣାଦାୟୀ କାହାଣୀକୁ ‘ଏକ୍ସ’ ଯୋଗେ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ନିଜେ ଅସୀମ ଅରୁଣ। ୧୯୯୪ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅସୀମ ଅରୁଣ ୨୦୨୨ ମସିହାରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତିରେ ପାଦ ଥାପିଥିଲେ। ସେ ବିଜେପିରେ ଯୋଗ ଦେଇଥିଲେ ଓ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ସେ କନ୍ନୌଜ ସଦର ଆସନରୁ ବିଜୟୀ ହୋଇଥିଲେ। ଏବେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଅଛନ୍ତି।

ସେ ପ୍ରିୟଙ୍କାଙ୍କ SPOT କମାଣ୍ଡୋ ହେବା ପଛର ରୋଚକ କାହାଣୀକୁ ତାଙ୍କ ‘ଏକ୍ସ’ରେ ବର୍ଣ୍ଣନା କରିବା ସହିତ ଆମ ଝିଅମାନେ କାହାଠାରୁ ପଛରେ ନାହାନ୍ତି ବୋଲି ଲେଖିଛନ୍ତି। ସେ ଲେଖିଛନ୍ତି, ବିପଦର ସମ୍ମୁଖୀନ ହେବା ହେଉ ଅବା କାର୍ଯ୍ୟଦକ୍ଷତା,ଆମ ଝିଅମାନେ କାହାଠାରୁ ପଛରେ ନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe