Advertisment

କାଗଜ କଲମ ଧରି ଥାନାରେ ପହଞ୍ଚିଲେ ବିଧାୟକ

ବରିଷ୍ଠ ନାଗରିକଙ୍କ ଏପରି କଥା ବିଧାୟକଙ୍କୁ ବ୍ୟଥିତ କରିଥିଲା। ତେଣୁ ସେ ସେହି ସନ୍ଧ୍ୟାରେ ୪ ପ୍ୟାକେଟ୍‌ କାଗଜ ଓ ୨୦ଟି କଲମ ଧରି ଥାନାରେ ପହଞ୍ଚି ଥିଲେ। କାଗଜ କଲମ ରିସିଭ୍‌ କରିବା ପାଇଁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ମହିଳା କର୍ମଚାରୀଙ୍କୁ ଡାକିଥିଲେ।

author-image
Manoranjan Sial
Police

Police

ଏଫ୍‌ଆଇଆର୍‌ ଲେଖିବା ପାଇଁ ଥାନାରେ କାଗଜ କଲମ୍‌ କାଗଜ ମିଳୁନି। ଅଭିଯୋଗ କରିବା ପାଇଁ ଆସୁଥିବା ଲୋକଙ୍କୁ ଦୁର୍ବ୍ୟବହାର କରାଯାଉଛି। ତେଣୁ ଲୋକମାନେ ଥାନାକୁ ଯିବା ପାଇଁ ଭୟ କରୁଛନ୍ତି। ଆଜି ଏପରି ସଙ୍ଗୀନ ଅଭିଯୋଗ ଆଣି ଜଗତସିଂହପୁର ଥାନାରେ ପହଞ୍ଚିଛନ୍ତି ବିଧାୟକ ଅମରେନ୍ଦ୍ର ଦାସ। ଆଉ ଏଫ୍‌ଆଇଆର୍‌ ଲେଖାଇବା ପାଇଁ ଥାନାକୁ କାଗଜ ଓ କଲମ ଦେଇଛନ୍ତି। ଲୋକଙ୍କ ସରକାରରେ ଏପରି ଖବରକୁ ନେଇ ଆଜି ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚା ଚାଲିଛି।

Advertisment

ବିଧାୟକ ଅମରେନ୍ଦ୍ର ଦାସ ନିର୍ବାଚନ ସମୟରେ ସରେଣ୍ଡର କରିଥିବା ନିଜର ବନ୍ଧୁକ ଆଣିବା ପାଇଁ ଗୁରୁବାର ସନ୍ଧ୍ୟାରେ ଜଗତସିଂହପୁର ଥାନାକୁ ଯାଇଥିଲେ। ସେହି ସମୟରେ ଜଣେ ବରିଷ୍ଠ ନାଗରିକଙ୍କୁ ଥାନା କର୍ମଚାରୀ ଦୁର୍ବ୍ୟବହାର କରିଥିବା ଦେଖିବାକୁ ପାଇଥିଲେ। ଏପରିକି ଏଫ୍‌ଆଇଆର୍‌ ଲେଖିବାକୁ କାଗଜ କଲମ ନଥିବା କହିଥିଲେ। ଯେଉଁଥିପାଇଁ ବ୍ୟକ୍ତି ଜଣକ ବିରକ୍ତି ପ୍ରକାଶ କରି ଥାନାରୁ ଫେରି ଯାଉଥିଲେ। ସେହି ସମୟରେ ସେ ବିଧାୟକଙ୍କୁ ସବୁ କଥା କହିଥିଲେ। ପୂର୍ବରୁ ମଧ୍ୟ ପୁଲିସ୍‌ଙ୍କ ବିରୋଧରେ ଏପରି ନାନା ଅଭିଯୋଗ ଶୁଣିଥିଲେ ଶ୍ରୀ ଦାସ।

ବରିଷ୍ଠ ନାଗରିକଙ୍କ ଏପରି କଥା ବିଧାୟକଙ୍କୁ ବ୍ୟଥିତ କରିଥିଲା। ତେଣୁ ସେ ସେହି ସନ୍ଧ୍ୟାରେ ୪ ପ୍ୟାକେଟ୍‌ କାଗଜ ଓ ୨୦ଟି କଲମ ଧରି ଥାନାରେ ପହଞ୍ଚି ଥିଲେ। କାଗଜ କଲମ ରିସିଭ୍‌ କରିବା ପାଇଁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ମହିଳା କର୍ମଚାରୀଙ୍କୁ ଡାକିଥିଲେ। ହେଲେ ସେହି ସମୟରେ ଥାନାରେ ଥିବା ବରିଷ୍ଠ କର୍ମଚାରୀମାନେ ବିଧାୟକଙ୍କୁ ବହୁ ବୁଝାଇଥିଲେ। ମାତ୍ର ବିଧାୟକ ନିଜ ଜିଦ୍‌ରେ ଅଟଳ ରହିଥିଲେ। କାଗଜ କଲମ ରିସିଭ୍‌ କଲେ ଥାନାରୁ ଯିବେ ବୋଲି ରୋକ୍‌ଠୋକ୍‌ ଭାବେ କହିଥିଲେ। ପରେ ଥାନାବାବୁ ବାଧ୍ୟ ହୋଇ କାଗଜ ଓ କଲମ ରିସିଭ କରିଥିଲେ।

Advertisment

ବିଧାୟକ ଅମରେନ୍ଦ୍ର ଦାସ କହିଛନ୍ତି, ସରକାର ହେଉଛନ୍ତି ସାଧାରଣ ଲୋକଙ୍କ ସରକାର। ତାଙ୍କ ପାଇଁ ଏ ସରକାର। ତେଣୁ ତାଙ୍କୁ ସମ୍ମାନ ଦେବା ଓ ସେବା ଯୋଗାଇଦେବା ଆମ ସରକାରର ପ୍ରାଥମିକତା। ହେଲେ ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକଙ୍କୁ ଠିକ୍‌ ଭାବେ ବ୍ୟବହାର ଦେଖାଯାଉନି। ଏଫଆଇଆର୍‌ ଲେଖିବା ପାଇଁ ଲୋକମାନେ ବହୁ ହଇରାଣ ହରକତ ହେଉଛନ୍ତି। ସେମାନଙ୍କୁ କାଗଜକଲମ ଯୋଗାଇ ଦେଉନାହାନ୍ତି। ତେଣୁ ଥାନାକୁ କାଗଜ ଓ କଲମ ଯୋଗାଇ ଦେଇଛି ବୋଲି ଶ୍ରୀ ଦାସ କହିଛନ୍ତି।

ଏହି ଘଟଣା ନେଇ ଜଗତସିଂହପୁର ଏସ୍‌ପି ରାହୁଳ ପି.ଆର୍‌ କହିଛନ୍ତି, ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନିଆଯିବ। 

ରିପୋର୍ଟ- ଜଗତସିଂହପୁରରୁ ଶଶାଙ୍କ ଶେଖର ପଣ୍ଡା

Bjp Jagatsinghpur