Advertisment

ଭୁଲ କାହାର? ଭତ୍ତା ଟଙ୍କା ପାଇଁ ଟ୍ରଲିରେ ବୁହା ହେଲେ ବୃଦ୍ଧା

ଭତ୍ତା ଟଙ୍କା ପୌର ପରିଷଦର କାର୍ଯ୍ୟାଳୟକୁ ଫେରାଇ ଦିଆଯାଇଥିବା ଲବଙ୍ଗ ମାଉସୀଙ୍କ ନାତିକୁ ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ। ଏହା ପରେ ଲବଙ୍ଗ ମାଉସୀଙ୍କୁ ତାଙ୍କ ନାନି ଏକ ଟ୍ରଲିରେ ବୋହି ନେଇଥିଲେ ପୌର ପରିଷଦର କାର୍ଯ୍ୟାଳୟକୁ।

Paralakhemundi

Paralakhemundi

Advertisment

ଭୁଲ କାହାର? ବୃଦ୍ଧା ମାଉସୀଙ୍କର ନା ସରକାରୀ ବିଧି ବ୍ୟବସ୍ଥାର? କାହିଁକି ଟ୍ରଲିରେ ବୁହାହେଲେ ୯୫ ବର୍ଷୀୟା ବୃଦ୍ଧା? ଯେଉଁଠି ଅସହାୟଙ୍କୁ ଘରେ ଭତ୍ତା ଟଙ୍କା ଦେବାର ବ୍ୟବସ୍ଥା ହୋଇଛି ବୋଲି ରାଜ୍ୟ ସରକାର ଡିଣ୍ଡିମ୍ୱ ପିଟୁଛନ୍ତି, ସେଠି ଜଣେ ବୃଦ୍ଧା କାହିଁକି ଟ୍ରଲିରେ ବୁହା ହେଲେ?

Advertisment

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ୧୨ ନମ୍ବର ୱାର୍ଡର ଲବଙ୍ଗ ଗୟା। ବାୟସ ପ୍ରାୟ ୯୫ ବର୍ଷ ହେବ। ଚାଲିବା ପାଇଁ ପାଦରେ ବଳ ନାହିଁ। ଅଭାବୀ ଭିତରେ ଘାଣ୍ଟି ହେଉଥିଲେ ମଧ୍ୟ ମିଳୁନଥିଲା ବାର୍ଦ୍ଧକ୍ୟ ଭତ୍ତା। ଗତ ତିନି ମାସ ହେଲା ସେ ପାଉନଥିଲେ ବାର୍ଦ୍ଧକ୍ୟ ଭତ୍ତା। ଭତ୍ତା ପାଇଁ ଲବଙ୍ଗ ମାଉସୀଙ୍କ ନାତି ବହୁବାର ବ୍ୟାଙ୍କ ଯାଇ ଖାଲି ହାତରେ ଫେରିଛନ୍ତି।

ଭତ୍ତା ଟଙ୍କା ପୌର ପରିଷଦର କାର୍ଯ୍ୟାଳୟକୁ ଫେରାଇ ଦିଆଯାଇଥିବା ଲବଙ୍ଗ ମାଉସୀଙ୍କ ନାତିକୁ ବ୍ୟାଙ୍କ କର୍ତ୍ତୃପକ୍ଷ କହିଥିଲେ। ଏହା ପରେ ଲବଙ୍ଗ ମାଉସୀଙ୍କୁ ତାଙ୍କ ନାନି ଏକ ଟ୍ରଲିରେ ବୋହି ନେଇଥିଲେ ପୌର ପରିଷଦର କାର୍ଯ୍ୟାଳୟକୁ। ସେ ଚିତ୍ର ଥିଲା ଅତି ଦୟନୀୟ। କାଠ ପଟା ପଡ଼ିଥିବା ଅଣଓସାରିଆ ଟ୍ରଲିରେ ଜାକିଜୁକି ହୋଇ କାନ୍ଦକାନ୍ଦ ଆଖିରେ ଶୋଇଛନ୍ତି ଲବଙ୍ଗ ମାଉସୀ। ନିଜ ମୁଣ୍ଡକୁ ଟ୍ରଲିର କାଠ ପଟାରେ ରଖିବାକୁ ସେ ସାହସ କରିପାରୁ ନାହାନ୍ତି। ତଥାପି ମୁଣ୍ଡକୁ ତଳେ ରଖିବାକୁ ସେ ଚେଷ୍ଟା କରୁଛନ୍ତି। ସେପଟେ ନାତି, ଆଈର ମୁଣ୍ଡକୁ ଧରୁଛନ୍ତି। କୁଆଡେ ତାଙ୍କ ମୁଣ୍ଡ ଟ୍ରଲି ପଟାରେ ବାଡେଇଯିବ କି? ଟ୍ରଲିରେ ବୁହାହୋଇ ପାରଳାଖେମୁଣ୍ଡି ପୌର ପରିଷଦର କାର୍ଯ୍ୟାଳୟକୁ ଆସିବା ପରେ ଲବଙ୍ଗ ମାଉସୀଙ୍କୁ ମିଳିଲା ବକେୟା ଭତ୍ତା।

Advertisment

ଡିବିଟି ସିଷ୍ଟମକୁ ଖତମ କରି ହିତାଧିକାରୀଙ୍କ ହାତରେ ବାର୍ଦ୍ଧକ୍ୟ ଭତ୍ତା ଦେବାର ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର। ଯେଉଁ ହିତାଧିକାରୀମାନେ ଚାଲି ପାରିପାରୁ ନାହାନ୍ତି, ସେମାନଙ୍କୁ ଘରେ ଭତ୍ତା ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା। ହେଲେ ରାଜ୍ୟ ସରକାରଙ୍କ ଏହି ଘୋଷଣା କେବଳ ଘୋଷଣାରେ ରହିଗଲା ପରି ମନେ ହେଉଛି। କାରଣ- ଯଦି ଅସହାୟ ବୃଦ୍ଧ/ବୃଦ୍ଧାଙ୍କୁ ଘରେ ଭତ୍ତା ଟଙ୍କା ଦେବାର ବ୍ୟବସ୍ଥା ହୋଇଥିଲା, ତାହାହେଲେ ୯୫ ବର୍ଷୀୟ ଲବଙ୍ଗ ମାଉସୀଙ୍କୁ କାହିଁକି ଟ୍ରଲିରେ ବୁହା ହେବାକୁ ପଡ଼ିଲା? ଜିଲ୍ଲା ସଦର ମହକୁମାରେ ଯଦି ଏପରି ଚିତ୍ର, ତାହାହେଲେ ଦୁର୍ଗମ ଅଞ୍ଚଳରେ ସ୍ଥିତି କେମିତି ଥିବ?

ସେପଟେ ପାରଳାଖେମୁଣ୍ଡି ପୌର ପରିଷଦର ନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ କହିଛନ୍ତି, ଘଟଣାର ଅନୁଧ୍ୟାନ କରିବା ସହ କାର୍ଯ୍ୟନୁଷ୍ଠାନ ନିଆଯିବ।

ରିପୋର୍ଟ- ପାରଳାଖେମୁଣ୍ଡିରୁ ଆଦର୍ଶ ଦାସ

Paralakhemundi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe