Advertisment

ଅଭାବର ଶିକୁଳିରେ ବାନ୍ଧି ହୋଇନାହାନ୍ତି +୩ ଛାତ୍ରୀ, ଘରେ ଘରେ ପକାଉଛନ୍ତି ପେପର

ଭୋରୁ ଭୋରୁ ପ୍ରବଳ ଶୀତ। ଶୋଇଛି ପୂରା ନୀଳଗିରି ସହର। ସେହି ଘନ କୁହୁଡ଼ି ଭିତରେ ପେପର ପକାଇବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତି ବର୍ଷା। ଶୀତବସ୍ତ୍ର ପିନ୍ଧି ସାଇକେଲ ଧରି ଚାଲି ଯାଆନ୍ତି ବସ୍‌ଷ୍ଟାଣ୍ଡକୁ। ସେଠାରୁ ପେପର ଧରି ଫେରନ୍ତି।

Barsa

Barsa

Advertisment

ଶୀତୁଆ ସକାଳ। ସ୍ୱର୍ଣ୍ଣଚୂଡ଼ ପାହାଡ଼ରୁ ମାଡ଼ି ଆସୁଛି ବାଘୁଆ ଶୀତ ସାଙ୍ଗକୁ ଘନ କୁହୁଡ଼ି। ତାହାରି ଭିତରେ ଅସୁମାରୀ ସ୍ୱପ୍ନକୁ ସାଥୀରେ ଧରି ବାହାରି ପଡ଼ନ୍ତି ବର୍ଷା। ରାଜରାଜୁଡ଼ା ଅମଳର ସହର ନୀଳଗିରିର ଏ ଗଳିରୁ ସେ ଗଳି ଘୂରି ବୁଲନ୍ତି। ଆଉ ଘରେ ଘରେ ଖବର କାଗଜ ପକାନ୍ତି +୩ରେ ପଢ଼ୁଥିବା ଛାତ୍ରୀ ବର୍ଷାରାଣୀ ବିଶ୍ୱାଳ। ସେହି ରୋଜଗାରରେ ନିଜେ ପଢ଼ିବା ସହିତ ସାନ ଭଉଣୀର ପଢ଼ା ଖର୍ଚ୍ଚ ଉଠାଉଛନ୍ତି। ଭବିଷ୍ୟତରେ ସେ ଜଣେ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ବାଲେଶ୍ୱର ଜିଲ୍ଲାରୁ ଆସିଛି ଏପରି ସଂଘର୍ଷର କାହାଣୀ।

Advertisment

ନୀଳଗିରି ଟାଉନରେ ବାସ କରନ୍ତି ବର୍ଷାରାଣୀ ବିଶ୍ୱାଳ। ପିଲାଟି ବେଳୁ ମେଧାବୀ। ମାଟ୍ରିକ୍‌ ଓ ଯୁକ୍ତ ଦୁଇରେ ପ୍ରଥମ ଶ୍ରେଣୀରେ ପାସ୍‌ କରିଥିଲେ। ଏବେ ନୀଳଗିରି ମହିଳା ମହାବିଦ୍ୟାଳୟରେ +୩ ଦ୍ୱିତୀୟ ବର୍ଷରେ ଏଜୁକେଶନ୍‌ ଅନର୍ସ ରଖି ପଢ଼ୁଛନ୍ତି। ହେଲେ ତାଙ୍କ ପାଇଁ ପ୍ରତିବନ୍ଧକ ସାଜିଛି ଅର୍ଥ। ବାପା ଅମରେନ୍ଦ୍ର ବିଶ୍ୱାଳ ଜଣେ ହକର(ଖବର କାଗଜ ବିକାଳି) ଓ ଛୋଟ ଫଳ ଦୋକାନ କରିଛନ୍ତି। ସେଥିରୁ ଯାହା ରୋଜଗାର କରନ୍ତି, ସେଥିରେ ପରିବାର ଚଳାଇବା କଷ୍ଟକର। ସେଥିରେ ପୁଣି ପାଠ ପଢ଼ା। ସେ କଥା ନକହିବା ଭଲ। ଏପରି ସ୍ଥିତିରେ ନିଜର ଓ ସାନ ଭଉଣୀର ପାଠ ପଢ଼ା ଦାୟିତ୍ୱ ନେଲେ ବର୍ଷା। ସେଥିପାଇଁ ଘରୁ ଗୋଡ଼ କାଢ଼ିବାକୁ ନିଷ୍ପତ୍ତି ନେଇଥିଲେ।

ଭୋରୁ ଭୋରୁ ପ୍ରବଳ ଶୀତ। ଶୋଇଛି ପୂରା ନୀଳଗିରି ସହର। ସେହି ଘନ କୁହୁଡ଼ି ଭିତରେ ପେପର ପକାଇବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତି ବର୍ଷା। ଶୀତବସ୍ତ୍ର ପିନ୍ଧି ସାଇକେଲ ଧରି ଚାଲି ଯାଆନ୍ତି ବସ୍‌ଷ୍ଟାଣ୍ଡକୁ। ସେଠାରୁ ପେପର ଧରି ଫେରନ୍ତି। ତା’ପରେ ପେପରକୁ ସାଇକେଲ୍‌ ଡାଲାରେ ରଖି ଚାଲି ଯାଆନ୍ତି ବର୍ଷା। ନୀଳଗିରି ସହରରେ ଏ ଗଳିରୁ ସେ ଗଳି ଘୂରି ବୁଲନ୍ତି। ଆଉ ଘରେ ଘରେ ଖବର କାଗଜ ପକାନ୍ତି। ସକାଳ ୯ଟା ବେଳେ କ୍ଲାନ୍ତ ଶରୀର ଧରି ଘରକୁ ଫେରନ୍ତି ବର୍ଷା।

Advertisment
Barsaପେପର ବାଣ୍ଟୁଛନ୍ତି ବର୍ଷା

ଅଭାବ ଅନଟନ ଭିତରେ ମାଆ ଗାୟତ୍ରୀ ବିଶ୍ୱାଳ ଯାହା ରୋଷେଇ କରିଥାଆନ୍ତି, ତାକୁ ଖାଇ ସାଇକେଲ ଧରି କଲେଜ ବାହାରି ଯାଆନ୍ତି ବର୍ଷା। କ୍ଳାସରେ ବସି ପାଠ ପଢ଼ନ୍ତି। ଅପରାହ୍ନରେ ଘରକୁ ଫେରନ୍ତି। ଖାଇସାରି କିଛି ସମୟ ପାଇଁ ଘରେ ବିଶ୍ରାମ ନିଅନ୍ତି। ସଞ୍ଜ ନଇଁ ଆସିଲେ ଚାଲି ଯାଆନ୍ତି ବାପାଙ୍କ ଛୋଟ ଫଳ ଦୋକାନକୁ। ସେଠାରେ ହିସାବ କିତାବ କରନ୍ତି। ବାପାଙ୍କୁ ସାହାଯ୍ୟ କରନ୍ତି। ରାତି ହେବା ପୂର୍ବରୁ ଘରକୁ ପଳାଇ ଆସନ୍ତି ବର୍ଷା। କିଛି ସମୟ ପାଠ ପଢ଼ନ୍ତି। ତା’ପର ଆଗାମୀ ଦିନର ଶଙ୍କଳ୍ପକୁ ମନେ ପକାଇ ଶୋଇ ପଡ଼ନ୍ତି ବର୍ଷା। ଆଉ ଅପେକ୍ଷା କରିଥାନ୍ତି ଆସନ୍ତା ସକାଳ ସ୍ପର୍ଶକୁ।

ଏଜୁକେଶନ୍‌ ଅନର୍ସ ରଖି ପାଠ ପଢ଼ୁଥିବା ବର୍ଷା ଭବିଷ୍ୟତରେ ବିଇଡି କରି ଜଣେ ଭଲ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ଆଉ ନିଜେ ରୋଜଗାରରେ ବାପାଙ୍କ ପାଇଁ ଗୋଟିଏ ଘର ଖଣ୍ଡିଏ କରିବେ ବୋଲି କହିଛନ୍ତି। ନିଜର ପେପର ବିକା ପଇସାରେ ନିଜ ପାଠ ପଢ଼ିବା ସହିତ ସାନ ଭଉଣୀକୁ ପଢ଼ାଉ ଥିବାରୁ ନିଜକୁ ଗର୍ଭ ଲାଗୁଛି ବୋଲି ବର୍ଷା କହିଛନ୍ତି।

Barsaଘରେ ବସି ପାଠ ପଢ଼ୁଛନ୍ତି ବର୍ଷା

ଜୀବନର ନୂଆ ଚ୍ୟାଲେଞ୍ଜକୁ ନେଇ ବର୍ଷା କହିଛନ୍ତି, ଘରେ ଆର୍ଥିକ ସ୍ଥିତି ଭଲ ନଥିଲା। ତେଣୁ ହକର ହେବାକୁ ପଡ଼ିଲା। ପ୍ରଥମେ ପ୍ରଥମେ ଟିକେ ସମସ୍ୟା ହେଉଥିଲା। ଏବେ କିନ୍ତୁ ଆଉ ସେମିତି କିଛି ଅସୁବିଧା ହେଉନାହିଁ। ନିଜ ରୋଜଗାରରେ ପାଠ ପଢ଼ୁଥିବାରୁ ନିଜକୁ ଗର୍ବ ଲାଗୁଛି। ସାଙ୍ଗ ଓ ସାଥୀମାନେ କେହି ମୋତେ ଥଟା କରନ୍ତି ନାହିଁ। ବରଂ ପ୍ରଶଂସା କରନ୍ତି। କାରଣ ଇଏ ହେଉଛି ମଧ୍ୟବିତ୍ତ ପରିବାର ଦୁଃଖ ବୋଲି ବର୍ଷା ନିଜର ପ୍ରତିକ୍ରିୟାରେ କହିଛନ୍ତି।

ରିପୋର୍ଟ- ନୀଳଗିରିରୁ ବିଶ୍ୱମ୍ଭର ଦାସ

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe