Siddamati Nelavigi
ସମୟ ଆଉ ବୟସ ଲକ୍ଷ୍ୟ ଆଗରେ ଏକ ବଡ଼ ପ୍ରତିବନ୍ଧକ ବୋଲି ଅନେକ ଲୋକ ଅନୁଭବ କରନ୍ତି। ସମୟ ଚାଲିଗଲାଣି, ବୟସ ଗଡ଼ିଗଲାଣି ଭଳି ନୈରାଶ୍ୟଜନକ ମନୋଭାବ ଅନେକଙ୍କ ମନକୁ ଆସେ। ଯଦି ଲକ୍ଷ୍ୟ ହାସଲ ପୂର୍ବରୁ ଏସବୁ ଭାବନା ମନକୁ ଆସୁଛି, ତେବେ ଏହି ବୃଦ୍ଧାଙ୍କ କାହାଣୀକୁ ଥରେ ପଢ଼ନ୍ତୁ...
ବୟସ, ତାଙ୍କ ଇଚ୍ଛାଶକ୍ତି ଆଗରେ ହାର୍ ମାନିଯାଇଛି। 'ବୟସ ଗଡ଼ିଗଲାଣି ତୁ କଣ ପାରିବୁ'ର ନକାରାତ୍ମକ ଭାବନା ତାଙ୍କ ପଥ ହୁଡ଼ି ପାରିନି। ଆଉ ୮୮ ବର୍ଷ ବୟସରେ ସେ ୧୬ଟି ବର୍ଗ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ ୨୦ ମେଡାଲ୍ ଜିତି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଯେଉଁଥିରେ ରହିଛି ୧୬ଟି ସ୍ୱର୍ଣ୍ଣ, ତିନୋଟି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ। ଏହି ବୃଦ୍ଧା ଜଣକ ହେଉଛନ୍ତି ବେଙ୍ଗାଲୁରର ହାଭେରୀ ନିବାସୀ ସିଦ୍ଦମତୀ ନେଲାୱିଗି।
ନିକଟରେ ବେଙ୍ଗାଲୁରୁରେ ବରିଷ୍ଠ ନାଗରିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୧୪୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ, ଯେଉଁମାନଙ୍କ ମଧ୍ୟରେ ଥିଲେ ସିଦ୍ଦମତୀ। ସିଦ୍ଦମତୀ କ୍ରୀଡ଼ା, ଲୋକ ଗୀତ, ବକ୍ତୃତା, କାହାଣୀ କହିବା ଏବଂ ଚିତ୍ରାଙ୍କନ ସମେତ ବିଭିନ୍ନ ଇଭେଣ୍ଟରେ ଭାଗ ନେଇଥିଲେ। ଏସବୁ ପ୍ରତିଯୋଗିତୀରେ ସେ ବିଜୟ ଲାଭ ମଧ୍ୟ କରିଛନ୍ତି। ସବୁଠୁ ବଡ଼ କଥା ହେଉଛି କି ୮୮ ବର୍ଷ ବୟସରେ ସିଦ୍ଦମତୀ ୧୦୦ ମିଟର ଚାଲି ପ୍ରତିଯୋଗିତାରେ ପୁରସ୍କୃତ ହୋଇଛନ୍ତି।
ଏହି ବିଜୟ ପରେ ସେ କହିଛନ୍ତି, 'ମୁଁ ପ୍ରତିଦିନ ଅତି କମରେ ଏକ ଘଣ୍ଟା ଚାଲିଥାଏ। ଏହି ଅଭ୍ୟାସ ମୋତେ ଜିତିବାରେ ସାହାଯ୍ୟ କରିଛି ବୋଲି ଭାବୁଛି। କୌଣସି କାର୍ଯ୍ୟ ପାଇଁ ବୟସ ଏକ ପ୍ରତିବନ୍ଧକ ନୁହେଁ। ଜଣେ ମାନସିକ ସ୍ତରରେ ଦୃଢ଼ ହେବା ସହ ନିଜକୁ ଉତ୍ସାହିତ କରିବା ପାଇଁ ସାମର୍ଥ ଆବଶ୍ୟକ।'
ସେ ଆହୁରି କହିଛନ୍ତି, 'କୋଭିଡ ପାଇଁ ଏହି ପ୍ରତିଯୋଗିତା ତିନି ବର୍ଷ ପାଇଁ ବନ୍ଦ ରହିଥିବାରୁ ମୋତେ ଖୁବ୍ ବିବ୍ରତ ଲାଗିଥିଲା। କିନ୍ତୁ ମୁଁ ଘରେ ନିୟମିତ ଭାବେ ଅଭ୍ୟାସ କରୁଥିଲି।' ଜୀବନରେ ମୁଁ କେବେ ବ୍ୟସ୍ତ ହେବି ନାହିଁ, କାରଣ ମୁଁ ନିଜକୁ ବ୍ୟସ୍ତ ରଖିବାର ଉପାୟ ପାଇଛି’।
କଥାରେ ଅଛି, 'କିଛି ଲୋକ ବୃଦ୍ଧ ହୋଇ ଜନ୍ମ ହୋଇଥିବାବେଳେ କେତେକ ବୃଦ୍ଧ ହୁଅନ୍ତି ନାହିଁ।' ବାସ୍ତବରେ ସିଦ୍ଦମତୀ ଏହାକୁ ପ୍ରମାଣ କରି ଦେଖାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us