Advertisment

ଗାଈଗୋରୁଙ୍କ ସେବାରେ ସମର୍ପିତ ସନ୍ତୋଷ

ଯେଉଁଠି ଶୁଣିଲେ ଗାଈଗୋରୁ ବିପଦରେ ଅଛନ୍ତି, ସେଠାରେ ଯାଇ ସେମାନଙ୍କ ସେବା କରୁଛନ୍ତି। ସେହି ଗାଈଗୋରୁଙ୍କୁ କେହି ନପାଳିଲେ ନିଜେ ଆଣି ରଖୁଛନ୍ତି।

author-image
Biswajit Samal
ଅଦ୍ୟତନ ହୋଇଛି
cow

cow

ଗୋ ପ୍ରେମରେ ପାଗଳ ଯାଜପୁର ଜିଲ୍ଲା ବିଝାଂରପୁର ବ୍ଲକ ଧରମପୁର ଗାଁର ଯୁବକ ସନ୍ତୋଷ ସାମଲ। ଗୁହାଳରେ ରହୁଛନ୍ତି। ସେଠାରେ ଖାଉଛନ୍ତି, ସେଇଠି ବି ଶୋଇ ପଡୁଛନ୍ତି। ଯେଉଁଠି ଶୁଣିଲେ ଗାଈଗୋରୁ ବିପଦରେ ଅଛନ୍ତି, ସେଠାରେ ଯାଇ ସେମାନଙ୍କ ସେବା କରୁଛନ୍ତି। ସେହି ଗାଈଗୋରୁଙ୍କୁ କେହି ନପାଳିଲେ ନିଜେ ଆଣି ରଖୁଛନ୍ତି।

Advertisment

ସନ୍ତୋଷ ଗାଡି ଚାଳକ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ। ତେବେ ବେଆଇନ ଗାଈ ଗୋରୁ ଚାଲାଣ ସହିତ ଲୋକେ ଗାଈଗୋରୁଙ୍କ ଯତ୍ନ ନନେଇ ବାହାରେ ଛାଡ଼ି ଦେଉଥିବା ଦେଖି ତାଙ୍କୁ ଭାରି କଷ୍ଟ ହୋଇଥିଲା। ଏହାପରେ ସେ ନିଜକୁ ଗୋ’ ସେବାରେ ନିୟୋଜିତ କରିଥିଲେ। କାମଧନ୍ଦା ଛାଡ଼ି ଗାଁ ଗାଁ ବୁଲି ଗାଈ ଓ ଷଣ୍ଢଙ୍କ ସେବା ଆରମ୍ଭ କରିଥିଲେ।

ପରବର୍ତ୍ତୀ ସମୟରେ ନିଜ ଉଦ୍ୟମରେ ଏକ ଗୋଶାଳା କରିଥିଲେ। ନିଜ ଜମିରେ ସେ ଏହି ଗୋଶାଳା କରିଛନ୍ତି। ଏହାର ନାଁ ରଖିଛନ୍ତି ‘ବାସୁଦେବ’। ଏବେ ସେଠାରେ ପାଖାପାଖି ୪୦ଟି ଗାଈ, ବାଛୁରୀ ଓ ଷଣ୍ଢ ଅଛନ୍ତି। ସେମାନଙ୍କ ଖାଇବା ପିଇବା କଥା ବୁଝୁଛନ୍ତି ସନ୍ତୋଷ। ନିଜର ସ୍ୱଳ୍ପ ରୋଜଗାରରେ ଛଣ, କୁଣ୍ଡା ଓ ଦାନା କିଣି ଖାଇବାକୁ ଦେଉଛନ୍ତି। ଗାଈଗୋରୁ ଅସୁସ୍ଥ ହେଲେ ନିଜେ ଔଷଧ ଦେଇ ସେମାନଙ୍କ ଚିକିତ୍ସା କରୁଛନ୍ତି। ଗାଈଗୋରୁଙ୍କ ସେବା ପାଇଁ ସନ୍ତୋଷଙ୍କର ଏଭଳି ସର୍ମପଣ ଭାବ ଦେଖି ଅନେକ ଲୋକ ସହାୟତା ମଧ୍ୟ ଦେଉଛନ୍ତି।

Advertisment

ପ୍ରଶାସନ ତରଫରୁ ସହାୟତା ମିଳିଲେ ଗୋ ବଂଶ ବୃଦ୍ଧି ଓ ସୁରକ୍ଷା ଲାଗି ସେ କାର୍ଯ୍ୟ କରିବାକୁ ମନସ୍ଥ କରିଛନ୍ତି। ୧୦୦୦ ରୁ ୧୫୦୦ ଗାଈଗୋରୁଙ୍କୁ ଗୋଶାଳାରେ ରଖି ସେମାନଙ୍କ ସେବା କରିପାରିବେ ବୋଲି କହିଛନ୍ତି ସନ୍ତୋଷ। ସନାତନ ଧର୍ମରେ ଗୋମାତାର ଆବଶ୍ୟକତା ଥିବାରୁ ଆଗାମୀ ପିଢି କିପରି ଗୋ’ମାତାଙ୍କୁ ପୂଜା କରିବେ ଓ ଗୋ ବଂଶ ବୃଦ୍ଧି ଏବଂ ସୁରକ୍ଷା ଲାଗି ସଚେତନ ହେବେ, ସେ ନେଇ ବଞ୍ଚିଥିବା ଯାଏ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି ସନ୍ତୋଷ। ସନ୍ତୋଷ ଦିନ ରାତି ଗାଈଗୋରୁଙ୍କ ସେବାରେ ଲାଗିଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ପ୍ରଶଂସା କରିବା ସହିତ ଗୋପ୍ରେମୀ ବୋଲି କହୁଛନ୍ତି।

ରିପୋର୍ଟ – ଯାଜପୁରରୁ ସଂଞ୍ଜୀବ ନାୟକ

Cow Farming