Advertisment

ଜେଲରେ କଏଦୀଙ୍କୁ ଥାର୍ଡ ଡିଗ୍ରୀ: ଆଇନ ପ୍ରାଧିକରଣକୁ ବି ଖାତିର କରୁନାହାନ୍ତି ଜେଲ୍ ଡିଜି, କାର୍ଯ୍ୟାନୁଷ୍ଠାନ ଶୂନ

ରାଜ୍ୟରେ ବିଭିନ୍ନ ଜେଲରେ ୪୪୪ଜଣ ବିଚାରାଧୀନ ବନ୍ଦୀଙ୍କୁ କୋର୍ଟଙ୍କ ଦ୍ୱାରା ଜାମିନ ପ୍ରଦାନ କରାଯାଇଥିଲେ ମଧ୍ୟ ସେମାନେ ମୁକୁଳି ପାରୁନଥିବା ନେଇ ହାଇକୋର୍ଟଙ୍କୁ ରାଜ୍ୟ ଆଇନସେବା ପ୍ରାଧିକରଣ ଅବଗତ କରିଛନ୍ତି ।

author-image
Ordigital Desk
Jail

Jail

ଓଡ଼ିଶାରେ ଜେଲ୍ ବିଭାଗ ଏବେ ବେଲଗାମ । ନା ମାନବାଧିକାର ଉଲ୍ଲଘଂନକୁ ଭୟ ଅଛି ନା ଆଇନକୁ ଖାତିର ଅଛି । ସମ୍ବିଧାନ, ସୁପ୍ରିମକୋର୍ଟ ଓ ସବୁ ଆଇନକୁ ଫୁ’ କରି ଓଡ଼ିଶାର ଜେଲ୍ ବିଭାଗ ଏବେ ବେପରୁୱା ଢଙ୍ଗରେ କାମ କରୁଛି । ଏହାର ସଦ୍ୟ ପ୍ରମାଣ ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ( ବରିଷ୍ଠ ସିଭିଲ ଜଜ୍ ପାହ୍ୟା)ଙ୍କ ଦୁଇଟି ଚିଠିରୁ ସ୍ପଷ୍ଟ ହୋଇଛି । କଏଦୀଙ୍କୁ ଜେଲ୍ ଭିତରେ ଦିଆଯାଉଥିବା ଥାର୍ଡ ଡିଗ୍ରୀର ତଥ୍ୟପ୍ରମାଣ ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଜେଲ୍ ଡିଜିଙ୍କୁ ପରାମର୍ଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣ । ମାତ୍ର କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ଦୁଇ ଦୁଇ ଥର ଚିଠିର ଜବାବ ଦେବାକୁ ବି ଜେଲ୍ ଡିଜି ଆଗ୍ରହ ଦେଖାଇନଥିବା ଜଣାପଡ଼ିଛି । ସେହିପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ରାଜ୍ୟ ଜେଲ୍ ବିଭାଗ ଜାମିନ ପାଇଥିବା ୪୪୪ଜଣ ବନ୍ଦୀଙ୍କୁ ଖଲାସ କରୁନଥିବାକୁ ନେଇ ହାଇକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିବା ପରେ ଜେଲ୍ ବିଭାଗର ବିପର୍ଯ୍ୟସ୍ତ ସ୍ଥିତି ପୁଣିଥରେ ପଦାରେ ପଡ଼ିଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୌଦାମିନୀ ସିଂ ଗତ ମାର୍ଚ୍ଚ ୬ ଓ ୧୧ତାରିଖରେ ରାଜ୍ୟ ଜେଲ୍ ଡିଜିଙ୍କୁ ଦୁଇଟି ଚିଠି ଲେଖି ଭୁବନେଶ୍ୱର ସ୍ପେଶାଲ ଜେଲ୍ ଅନ୍ତେବାସୀଙ୍କ ପ୍ରତି ହେଉଥିବା ଅମାନବୀୟ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜେଲ ପରିସରରେ ଏଭଳି ଲଜ୍ୟାଜନକ ଓ ବେଆଇନ କାର୍ଯ୍ୟକୁ ବନ୍ଦ ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ସିଂ ତାଙ୍କ ଚିଠିରେ ଦର୍ଶାଇଥିଲେ ଯେ, ମାର୍ଚ୍ଚ ୫ ତାରିଖରେ ସେ ସ୍ୱତନ୍ତ୍ର ଜେଲ୍ ପରିସରକୁ ଅଚାନକ ପରିଦର୍ଶନରେ ଯାଇଥିବାବେଳେ ବାଙ୍ଗା ନାୟକ ନାମକ ଜଣେ କଏଦୀଙ୍କ ଜେଲ୍ କର୍ତ୍ତୃପକ୍ଷ ଦ୍ୱାରା ଅମାନବିକ ନିର୍ଯାତନାର ଶିକାର ହୋଇଥିବା ଦେଖିବାକୁ ପାଇଥିଲେ । ସମ୍ପୃକ୍ତ କଏଦୀଙ୍କ ହାତ-ଗୋଡ଼,ପାଦ ଓ ମୁଣ୍ଡରେ ପ୍ରବଳ ଆଘାତ ସହ ଖଣ୍ଡିଆ ହୋଇଥିଲା । ଜେଲ କର୍ମଚାରୀମାନେ ଶ୍ରୀ ନାୟକଙ୍କୁ ପ୍ରବଳ ମାଡ଼ ମାରିବା ପରେ ଟେକି ଫୋପାଡ଼ି ଦେଇଥିଲେ ଓ ସେ ଅଚେତ ହୋଇଯିବାରୁ ତାଙ୍କୁ ଜେଲ ପରିସରରେ ଥିବା ମେଡିକାଲରେ ସାଲାଇନ୍ ଓ ଆଣ୍ଟିବାୟୋଟିକ ଦେଇ ସୁସ୍ଥ କରାଇଥିଲେ । ଜେଲ୍ ବିଭାଗର ବରିଷ୍ଠ ସର୍କଲ ଅଧୀକ୍ଷକ ଡିଏନ୍ ବାରିକଙ୍କ ଉପସ୍ଥିତିରେ ସେ ଏନେଇ ଜେଲର ଓ ଅଧୀକ୍ଷକଙ୍କୁ ଏନେଇ ପ୍ରଶ୍ନ କରିଥିଲେ । ସେ ଏହି ଘଟଣାରେ ଉଦବେଗ ପ୍ରକାଶ କରି ସର୍କଲ ଅଧୀକ୍ଷକ ଶ୍ରୀ ବାରିକଙ୍କୁ ମଧ୍ୟ ଏହି ଘଟଣାର ତଦନ୍ତ ଗୁରୁତ୍ୱର ସହ କରିବାକୁ ପରାମର୍ଶ ଦେଇଥିଲେ । ଏହି ସମସ୍ତ ଘଟଣାକ୍ରମ ସମ୍ପର୍କରେ ଶ୍ରୀମତୀ ସିଂ ଜେଲ୍ ଡିଜିଙ୍କୁ ଚିଠି ଲେଖି ଜଣାଇବା ସହ ଉଚ୍ଚସ୍ତରୀୟ ତଦନ୍ତ କରି କଏଦୀଙ୍କ ସହ ଏଭଳି ଅମାନବିକ କାର୍ଯ୍ୟ କରିଥିବା ଅଧିକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣାଇବାକୁ କହିଥିଲେ ।

ଅନୁରୂପ ଭାବେ ମାର୍ଚ୍ଚ ୧୧ତାରିଖରେ ମଧ୍ୟ ସେହି ସ୍ପେଶାଲ ଜେଲରେ ଥିବା ଅନ୍ୟ ଜଣେ କଏଦୀ ରଞ୍ଜନ ବେହେରାଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଜେଲ୍ ଡିଜିଙ୍କୁ ଚିଠି ଲେଖି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପରାମର୍ଶ ଦେଇଥିଲେ ।

Advertisment

ମାତ୍ର ଉଭୟ ଚିଠି ଉପରେ ଜେଲ୍ ଡିଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତ ଦୂରର କଥା ତଦନ୍ତ ମଧ୍ୟ କରିନାହାନ୍ତି କିମ୍ବା ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ବି ଅବଗତ କରାଇ ନଥିବା ଜଣାପଡ଼ିଛି ।

ଏପରିକି ଭୁବନେଶ୍ୱର ସ୍ପେଶାଲ ଜେଲ୍ କର୍ତ୍ତୃପକ୍ଷଙ୍କ ଉପରେ ତୃତୀୟ ମହଲାର ଆଶୀର୍ବାଦ ଥିବା ଯୋଗୁ ତାଙ୍କ ବିରୁଦ୍ଧରେ ଜେଲ୍ ଡିଜି କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ସାହାସ କରିପାରୁନଥିବା ଜଣାପଡ଼ିଛି । ସ୍ପେଶାଲ ଜେଲ୍ ଅଧୀକ୍ଷକଙ୍କ ବିରୁଦ୍ଧରେ ଲୋକାୟୁକ୍ତରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ସୂଚନା ମିଳିଛି ।

ରାଜ୍ୟର ଜେଲ୍ କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁ ବିଭିନ୍ନ ଜେଲରେ ଅପରାଧିକ କାର୍ଯ୍ୟକଳାପ ସହ ଗ୍ୟାଙ୍ଗୱାର, ନିଶାଦ୍ରବ୍ୟ କାରବାର ଆଦି ଏବେ ନିତିଦିନିଆ ଘଟଣା ପାଲଟିଛି । ଏନେଇ ଗଣମାଧ୍ୟମରେ ବିଭିନ୍ନ ସମୟରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ଜେଲ୍ କର୍ତ୍ତୃପକ୍ଷ ନିଦାବିଷ୍ଣୁ ପାଲଟିଛନ୍ତି । କଏଦୀମାନଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣର ହସ୍ତକ୍ଷେପ ପାଇଁ ନିର୍ଦ୍ଦେଶ ସତ୍ତ୍ୱେ ଜେଲ୍ କର୍ତ୍ତୃପକ୍ଷଙ୍କ ବେଖାତିର ମନୋଭାବ ଯୋଗୁ ରାଜ୍ୟର ଜେଲଗୁଡ଼ିକ ଅସୁରକ୍ଷିତ ହୋଇପଡ଼ିଛି ଓ ଖୋଲାଖୋଲି ମାନବିକ ଅଧିକାରର ଉଲ୍ଲଘଂନ ହେଉଛି ।

ସୂଚନାଯୋଗ୍ୟ, ରାଜ୍ୟରେ ବିଭିନ୍ନ ଜେଲରେ ୪୪୪ଜଣ ବିଚାରାଧୀନ ବନ୍ଦୀଙ୍କୁ କୋର୍ଟଙ୍କ ଦ୍ୱାରା ଜାମିନ ପ୍ରଦାନ କରାଯାଇଥିଲେ ମଧ୍ୟ ସେମାନେ ମୁକୁଳି ପାରୁନଥିବା ନେଇ ହାଇକୋର୍ଟଙ୍କୁ ରାଜ୍ୟ ଆଇନସେବା ପ୍ରାଧିକରଣ ଅବଗତ କରିଛନ୍ତି ।

Odisha Police Jail