Advertisment

ଜଙ୍ଗଲରେ ଶିଶୁକନ୍ୟା ଛାଡ଼ି ପଳାଇଗଲେ ବାପା-ମାଆ!

ଆଜକୁ ୫ ଦିନ ତଳେ ଉଭୟ ଡ୍ୟାମରେ ମାଛ ଧରୁଥିଲେ। ଠିକ୍‌ ସେହି ସମୟରେ ଡ୍ୟାମ ଆର ପାର୍ଶ୍ୱରେ ଥିବା ଜଙ୍ଗଲରେ ଛୁଆର କାନ୍ଦ ଶୁଣିଥିଲେ। ଘଞ୍ଚ ଓ ଶୂନ୍‌ଶାନ୍‌ ଜଙ୍ଗଲରେ ଛୁଆର କାନ୍ଦ ଶୁଣି ପ୍ରଥମେ ବିସ୍ମିତ ହୋଇଥିଲେ ସୁକଳଦେଈ ଓ ମଙ୍ଗୁଳି।

author-image
Manoranjan Sial
Child

Child

ଝିଅ କ’ଣ କରିନପାରିବେ? ମାଆଟିଏ ହୋଇ ମହାମାରୀ କୋଭିଡ୍‌ ସମୟରେ ରୋଗୀଙ୍କ ସେବା କରିଛନ୍ତି। ଭାରତର ଚନ୍ଦ୍ରାଯାନ ମିଶନରେ ପ୍ରମୁଖ ଭୂମିକା ନେଇଛନ୍ତି। ମହାକାଶକୁ ଯାଇଛନ୍ତି। ତଥାପି ଏ ଝିଅ ଆଜି କାହିଁକି ହୋଇଛନ୍ତି ଆଲୋଡ଼ା? କଣ ପାଇଁ ବାପା ମାଆ ନିଜର ଜନ୍ମକଲା ଝିଅକୁ ଜଙ୍ଗଲରେ ଛାଡ଼ି ପଳାଇ ଯାଇଛନ୍ତି? ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଘଞ୍ଚ ଜଙ୍ଗଲରୁ ଏପରି ଚିତ୍ର ଆସିବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

Advertisment

ଚିତ୍ରକୁଣ୍ଡା ବ୍ଲକର ସୁକଳଦେଈ ହନ୍ତାଳ ଓ ମଙ୍ଗୁଳି ମାଝି। ଉଭୟ ପ୍ରତିଦିନ ଚିତ୍ରକୁଣ୍ଡା ଡ୍ୟାମ୍‌ରେ ମାଛ ଧରି ପରିବାର ଭରଣ ପୋଷଣ କରନ୍ତି। ଆଜକୁ ୫ ଦିନ ତଳେ ଉଭୟ ଡ୍ୟାମରେ ମାଛ ଧରୁଥିଲେ। ଠିକ୍‌ ସେହି ସମୟରେ ଡ୍ୟାମ ଆର ପାର୍ଶ୍ୱରେ ଥିବା ଜଙ୍ଗଲରେ ଛୁଆର କାନ୍ଦ ଶୁଣିଥିଲେ। ଘଞ୍ଚ ଓ ଶୂନ୍‌ଶାନ୍‌ ଜଙ୍ଗଲରେ ଛୁଆର କାନ୍ଦ ଶୁଣି ପ୍ରଥମେ ବିସ୍ମିତ ହୋଇଥିଲେ ସୁକଳଦେଈ ଓ ମଙ୍ଗୁଳି। ତା’ପରେ ମନ ଭିତରେ ସାହସ ଜୁଟାଇ ଡଙ୍ଗାକୁ କୂଳକୁ ନେଇ ଜଙ୍ଗଲ ଭିତରକୁ ଯାଇଥିଲେ।

ସେତେବେଳେ ଗଛ ତଳେ ନାବାଳାଳିକାଟି କାନ୍ଦୁଥିଲା। ସୁକଳଦେଈ ଓ ମଙ୍ଗୁଳି ପ୍ରଥମେ ଚାରିଆଡ଼େ ଅନାଇଥିଲେ। ଉଭୟ ଆଖପାଖ ଅଞ୍ଚଳରେ ଖୋଜିଥିଲେ। ବଡ଼ ପାଟିରେ ଡାକିଲେ। ହେଲେ କାହାକୁ ପାଇଲେ ନାହିଁ। ପରେ ଉଭୟ ଶିଶୁ କନ୍ୟାଟିକୁ ଧରି ଡଙ୍ଗାରେ ଘରକୁ ଫେରିଥିଲେ। ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ବୟସ ୩ରୁ ୪ ବର୍ଷ ହେବ। ହେଲେ ସେ କଥା କହିପାରୁନି କି ଚାଲି ପାରୁନି। ୫ ଦିନ ଧରି ଘରେ ଦିବ୍ୟାଙ୍ଗ ଶିଶୁ କନ୍ୟାକୁ ରଖିଥିଲେ ସୁକଳଦେଈ ଓ ମଙ୍ଗୁଳି। ଭାବିଥିଲେ ଶିଶୁ କନ୍ୟାକୁ ତା’ ବାପାମାଆ ନେଇଯିବେ। ହେଲେ କେହି ଆସିଲେ ନାହିଁ।

Advertisment

ଆଜି ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ହେଉଥିଲା। ଏ ସମ୍ପର୍କରେ ସୁକଳଦେଈ ଓ ମଙ୍ଗୁଳି ଜାଣିପାରି ଶିଶୁ କନ୍ୟାକୁ ଧରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ପହଞ୍ଚିଥିଲେ। ଆଉ ଶିଶୁ କନ୍ୟା ଉଦ୍ଧାରର ପୂରା ଘଟଣା ବର୍ଣ୍ଣନା କରିଥିଲେ। ଏହି ଘଟଣାକୁ ଜିଲ୍ଲାପାଳ ସଚିନ ପାବାର ଗୁରୁତ୍ୱର ସହ ନେଇଥିଲେ। ଶିଶୁ କନ୍ୟାଙ୍କ ରକ୍ଷଣାବେକ୍ଷଣା କରିବା ପାଇଁ ସିଡିଏମଓ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଜିଲ୍ଲା ପ୍ରଶାସନ ଦିବ୍ୟାଙ୍ଗ ଶିଶୁ କନ୍ୟାକୁ ମେଡ଼ିକାଲ୍‌ରେ ଭର୍ତ୍ତି କରିଛି।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କ କହିବା ଅନୁସାରେ ଶିଶୁ କନ୍ୟାଙ୍କ ପରିବାର ଲୋକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନି। ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପିଲାଟି ଭିନ୍ନକ୍ଷମ ହୋଇଥିବାରୁ ଭିନ୍ନକ୍ଷମ ପିଲା ରହୁଥିବା ଅନୁଷ୍ଠାନରେ ରଖାଯିବ। ପରବର୍ତ୍ତୀ ସମୟରେ ସରକାରୀ ନିୟମ ଅନୁସାରେ ଆଡପ୍‌ସନ୍‌ରେ ଲିଙ୍କ କରାଯିବ। ଆଉ ତା’ର ସ୍ଥାୟୀ ଥଇଥାନ୍‌ର ବ୍ୟବସ୍ଥା କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି।

ରିପୋର୍ଟ- ମାଲକାନଗିରିରୁ ଜିତେନ୍ଦ୍ର ବେଉରା

Malkangiri Missing Child