Advertisment

ନିଜ ନାଟକରେ ନିଜେ ନାୟକ; ୩ ଲକ୍ଷ ପାଇଁ କରିଥିଲେ ଅପହରଣ!

ସାଙ୍ଗମାନଙ୍କ ମଧ୍ୟମରେ ଗୋଟିଏ ଭିଡିଓ ଶୁଟ୍‌ କରାଇଥିଲେ ବୈକୁଣ୍ଠ। ଯେଉଁଥିରେ ସେ ଅପହରଣ ହୋଇଥିବା କହୁଥିଲେ। ୩ ଲକ୍ଷ ଟଙ୍କା ଦେଲେ ଅପହରଣକାରୀମାନେ ଛାଡ଼ିବେ ବୋଲି ଭିଡିଓରେ ବୈକୁଣ୍ଠ କହୁଥିବା ଦେଖିବାକୁ ମିଳିଥିଲା।

author-image
Manoranjan Sial
Nuapada

Nuapada

ନିଜ ନାଟକରେ ନିଜେ ନାୟକ! ଅପହରଣ ପାଇଁ କରିଥିଲେ ନିଜର ଅପହରଣ। ଆଉ ଭିଡିଓ ଶୁଟ୍‌ କରି ବାପାଙ୍କ ପାଖକୁ ପଠାଇ ୩ ଲକ୍ଷ ଟଙ୍କା ଆଦାୟ ପାଇଁ କରିଥିଲେ ନାଟକ। ହେଲେ ଟଙ୍କା କ’ଣ ଆଦାୟ କରିବେ ପୁଲିସ୍‌ ପଞ୍ଝାରେ ପଡ଼ିଗଲେ ପୋଖତ ନାଟୁଆ ବୈକୁଣ୍ଠ ନାଏକ। ପ୍ରେମ ବିବାହ ପରେ ଦେଖାଦେଇଥିବା ଆର୍ଥିକ ସମସ୍ୟାରୁ ମୁକୁଳିବା ପାଇଁ ସେ ନିଜର ଅପହରଣ ନାଟକ କରିଥିବା ପୁଲିସ୍‌କୁ କହିଛନ୍ତି।

Advertisment

ନୂଆପଡା ଜିଲ୍ଲା ଜୋଙ୍କ ଥାନା ବୁଏରଭାଡ଼ି ଗାଁର ବୈକୁଣ୍ଠ ନାଏକ ଅନ୍ୟ ଜାତିରେ ପ୍ରେମ ବିବାହ କରିଥିଲେ। ଯେଉଁଥିପାଇଁ ତାଙ୍କୁ ତାଙ୍କ ବାପା ଟଙ୍କା ପଇସା ଦେଉନଥିଲେ। ତେଣୁ ସେ ତାଙ୍କ ପତ୍ନୀଙ୍କୁ ଧରି ଏକୁଟିଆ ରହୁଥିଲେ। ହେଲେ ଅର୍ଥା ଅଭାବରୁ ପରିବାର ଚଳାଇବା ତାଙ୍କ ପକ୍ଷେ ବହୁ କଷ୍ଟକର ହେଉଥିଲା। ନାନା ମାନସିକ ଦୁଶ୍ଚିନ୍ତାରେ ଫସି ଯାଇଥିଲେ। ବାପାଙ୍କୁ ଟଙ୍କା ମାଗିଲେ, ସେ ଦେଉନଥିଲେ। ତେଣୁ କାହାକୁ କିଛି ନକହି ସେ ରାୟପୁର ପଳାଇ ଯାଇଥିଲେ। ରାୟପୁରରୁ ପୁଣେ ଦେଇ ତାମିଲ୍‌ନାଡୁର ମୁଦୁରାଇରେ ରହୁଥିବା ନିଜର ସାଥୀମାନଙ୍କ ପାଖକୁ ପଳାଇ ଯାଇଥିଲେ। ସେଠାରେ ସେମାନଙ୍କୁ ସବୁ ଘଟଣା କହିଥିଲେ। ତା’ପରେ ନିଜର ଅପହଣ ପାଇଁ ନାଟକ ରଚିଥିଲେ

ସାଙ୍ଗମାନଙ୍କ ମଧ୍ୟମରେ ଗୋଟିଏ ଭିଡିଓ ଶୁଟ୍‌ କରାଇଥିଲେ ବୈକୁଣ୍ଠ। ଯେଉଁଥିରେ ସେ ଅପହରଣ ହୋଇଥିବା କହୁଥିଲେ। ୩ ଲକ୍ଷ ଟଙ୍କା ଦେଲେ ଅପହରଣକାରୀମାନେ ଛାଡ଼ିବେ ବୋଲି ଭିଡିଓରେ ବୈକୁଣ୍ଠ କହୁଥିବା ଦେଖିବାକୁ ମିଳିଥିଲା। ବୈକୁଣ୍ଠ ସେହି ଭିଡିଓକୁ ଗତ ୮ ତାରିଖରେ ନିଜ ଘରକୁ ପଠାଇଥିଲେ। ପୁଅ ଅପହରଣ ହୋଇଥିବା ଜାଣିପାରି ବାପା ଜୟରାମ ନାଏକଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ମୋବାଇଲ୍‌ ଭିଡିଓକୁ ଧରି ଥାନାରେ ପହଞ୍ଚିଥିଲେ।

Advertisment

ଜୟରାମଙ୍କଠାରୁ ସବୁ କଥା ଶୁଣିବା ପରେ ତତ୍ପର ହୋଇଥିଲା ପୁଲିସ୍‌। ନୂଆପଡ଼ା ଏସ୍‌ପି ଜିଆର୍‌ ରାଘବେନ୍ଦ୍ରଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା ପୁଲିସ୍‌। ତା’ପରେ ବୈକୁଣ୍ଠଙ୍କ ଲୋକେଶନ୍‌ ଟ୍ରାକ୍‌ କରିଥିଲା। ସେହି ସମୟରେ ବୈକୁଣ୍ଠ ମଦୁରାଇରେ ଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ଏହା ପରେ ନୂଆପଡ଼ା ପୁଲିସ ମଦୁରାଇ ପୁଲିସ୍‌ର ସହାୟତାରେ ସେଠାକୁ ଯାଇଥିଲା। ହେଲେ ଏ ସମ୍ପର୍କରେ ଜାଣିପାରିଥିଲେ ବୈକୁଣ୍ଠ। ତେଣୁ ସେ ସେଠାରୁ ଟ୍ରେନ୍‌ରେ ରାୟପୁର ପଳାଇ ଆସୁଥିଲେ। ରାୟପୁର ଆସିଲା ବେଳେ ରାସ୍ତାରେ ନିଜ ମୋବାଇଲ୍‌କୁ ଗୋଟିଏ ଏକ୍ସପ୍ରେସ୍‌ ଟ୍ରେନ୍‌ ଉପରକୁ ଫିଙ୍ଗି ଦେଇଥିଲେ। ଯେଉଁଥିପାଇଁ ପୁଲିସ୍‌ ହରଡ ଘଣାରେ ପଡ଼ିଯାଇଥିଲା। ବୈକୁଣ୍ଠଙ୍କର ପତ୍ତା ପାଇନଥିଲା।

ଗୁରୁବାର ବୈକୁଣ୍ଠ ରାୟପୁର ଷ୍ଟେସନ୍‌ରେ ଓହ୍ଲାଇଥିଲେ। ଏ ସମ୍ପର୍କରେ ଜାଣିବାକୁ ପାଇଥିଲା ପୁଲିସ୍‌। ତା’ପରେ ତାଙ୍କୁ ମାଡ଼ି ବସିଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି। ଏନେଇ ସୂଚନା ଦେଇଛନ୍ତି ନୂଆପଡ଼ା ଏସ୍‌ପି ଜିଆର୍‌ ରାଘବେନ୍ଦ୍ର। ଏମିତି ନାଟକ କରି ପୁଲିସ୍‌ର ମୂଲ୍ୟବାନ ସମୟ ନଷ୍ଟ ନକରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କରିଛନ୍ତି ରାଘବେନ୍ଦ୍ର।

ରିପୋର୍ଟ- ନୂଆପଡ଼ାରୁ ମାୟାଧର ସରାଫ

Crime Nuapada