କଙ୍କଡ଼ା ଉପାଖ୍ୟାନ!

ସୁଧୀର ମିଶ୍ର

ପୃଥିବୀରେ କୋଟି କୋଟି ଲୋକଙ୍କ ଭିତରେ ଜଣେ ଲୋକ ଜନ୍ମ ନିଏ ଯାହାର ପୂର୍ବଜନ୍ମ କଥା ସ୍ମରଣ ଥାଏ। ମୁଁ ସାଢ଼େ ଚାରିକୋଟି ଲୋକଙ୍କ ଭିତରୁ ସେମିତି ଜଣେ ଲୋକ ଯାହାର ପୂର୍ବଜନ୍ମ କଥା ଗୋଟିଗୋଟି ମନେଅଛି। ତେଣୁ ପ୍ରଥମରୁ କହି ରଖୁଛି ମୋ କଥାକୁ ବିଶ୍ୱାସ କରିବାକୁ ବାଧ୍ୟ ସମସ୍ତ ପାଠକ/ପାଠିକା।

ଗତ ଜନ୍ମରେ ମୁଁ ପୁରୀ ଜିଲ୍ଲା ବାଣପୁରରେ ଜନ୍ମ ହୋଇଥିଲି। ଗତ କିଛି ଘଣ୍ଟା ହେଲାଣି ଏଇ ଯୋଉ କଙ୍କଡ଼ା ଶବ୍ଦକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଚାଲିଛି, ସେଇ କଙ୍କଡ଼ା ଶବ୍ଦ ବ୍ୟବହାର କରିଥିବା ଆମ ପିନୁର ମୁଁ ଜେଜେବାପା ଥିଲି ଗତ ଜନ୍ମରେ। ମୋ ନାମ ଥିଲା ନିଶାକର ମିଶ୍ର। ଏଇଟା ମୋର ସାର୍ଟିଫିକେଟ ନାମ ନୁହେଁ କି ମୋ ବାପା ମା ଦେଇନଥିଲେ। କଥା କଣ କି ସେତେବେଳେ ସମସ୍ତେ ପଢ଼ିବେ, ପଢ଼ିଲେ ଯାଇଁ ବଢ଼ିବେ, ଏମିତି ସଂସ୍କୃତି ନଥିଲା। ଯିଏ ପଢୁଥିଲା ପଢୁଥିଲା, ଯିଏ ନପଢିଲା ନାହିଁ।

ମୁଁ ଯେତେବେଳେ ଯୁବା ବୟସରେ ପାଦ ଦେଲି ମଦ ପିଇବା ଶିଖିଗଲି। ଗୋଟିଏ ନିର୍ଦ୍ଦିଷ୍ଟ ମଦ ମୁଁ ପ୍ରତିଦିନ ପିଉଥିଲି। ମଦ ପିଇଲେ ନିଶା ହେବ ହିଁ ହେବ। ମୁଁ ସବୁବେଳେ ନିଶାରେ ରହୁଥିଲି, ଆମ ଗାଁ ଲୋକେ ମୋତେ ନିଶାକର ଡାକିବା ଆରମ୍ଭ କରିଦେଲେ। ମରିବା ପର୍ଯ୍ୟନ୍ତ ମୁଁ ନିଶାକର ନାମରେ ପରିଚିତ ରହିଲି।

ମୋ ପାଖରୁ କଙ୍କଡ଼ା ଶବ୍ଦ ଆମ ପରିବାରରେ ପଶିଲା। ମୁଁ ପାଠତ ପଢ଼ିଲି ନାହିଁ, ତେଣୁ ଚାକିରୀ ବାକିରି କି ବେପାର ବଣିଜ ମୋ ଦ୍ଵାରା ହେଲାନି। ଆମର ବାଗାନ ଭିତରେ (ଯାହାକୁ ଆଜିକାଲି ଫାର୍ମ ହାଉସ କହୁଛନ୍ତି) ମୋର ଅଧିକ ସମୟ କଟୁଥିଲା। ଭଗବାନ ପ୍ରତ୍ୟେକ ମଣିଷକୁ ଗୋଟିଏ କଳା ନିହାତି ଦେଇଥାନ୍ତି। ମୋତେ ମାଛ ଧରିବା କଳା ଦେଇଥିଲେ। ବ୍ରାହ୍ମଣ ପିଲା ହୋଇବି ମୁଁ ପ୍ରତିଦିନ ବଣସୀ ପକାଇ ମାଛ ଧରିବାରେ ମାତିଯାଏ। ଧୀରେ ଧୀରେ ମାଛ ସହ କଙ୍କଡ଼ା ଧରିବାରେ ବି ବେଶ ନିପୁଣ ହୋଇଗଲି।

ଦିନେ ମୁଁ ପେଟେ ମଦ ପିଇ ମାଛ ଧରୁଥାଏ, ଆମ ଗାଁର କିଛି ଲୋକ ଯାଇ ମୋ ପଛରେ ଛିଡ଼ା ହୋଇଗଲେ, ଦେଖିବେ ମୁଁ କେମିତି ମାଛ ଧରୁଛି। ଯେହେତୁ ପାଣି ଭିତରେ ମାଛ କଙ୍କଡ଼ା ଉଭୟ ଅଛନ୍ତି କିଏ ମୋ ପାଖରେ ଧରାପଡ଼ିବ କିଏ ଜାଣେ! ଯିଏ ବି ଧରାପଡୁ ମାଛ ହେଉ କି କଙ୍କଡ଼ା, ସେମାନଙ୍କୁ ରଖିବା ପାଇଁ ଆଲଗା ଅଲଗା ବନ୍ଦୋବସ୍ତ କରିଥାଏ। ଗୋଟିକରେ ମାଛ ରଖୁଥାଏ, ଅନ୍ୟଟିରେ କଙ୍କଡ଼ା। ମାଛ ରଖୁଥିବା ପାତ୍ରଟିର ମୁହଁକୁ ଗୋଟିଏ ଜାଲରେ ବନ୍ଦ କରି ରଖିଥାଏ। କଙ୍କଡା ରହିଥିବା ପାତ୍ରର ମୁହଁ ଖୋଲାଥାଏ।

ଆମ ଗାଁର ଯେଉଁ ଟୋକାଦଳ ମୋ ମାଛଧରା ଦେଖିବାକୁ ଯାଇଥିଲେ, ସେମାନେ ଜାଣନ୍ତି ମୁଁ ନିଶାରେ ରୁହେ, ସେଦିନ ପୁଣି ଟିକିଏ ଅଧିକ ପିଇଥିଲି। ପାଠ ପଢ଼ିନି। ବୁଦ୍ଧି ବିବେକ ମୋର କାମ କରୁନଥିବ। ସେମାନେ ପାଠଶାଠ ପଢ଼ିଛନ୍ତି। ତେଣୁ ବହୁତ ବୁଦ୍ଧି ଥିଲା ପରି ମୋତେ ଉପଦେଶ ଦେଲେ ନିଶାକର ନନା କଙ୍କଡ଼ାମାନଙ୍କୁ ଘୋଡ଼େଇ ରଖୁନ, ସମସ୍ତେ ଜିଅନ୍ତା ଅଛନ୍ତି, ତୁମେ ବଣସୀକୁ ଅନେଇଥିବ କଙ୍କଡ଼ା ଛୁ ମାରିବେ।

ମୁଁ ସେମାନଙ୍କ ଆଡକୁ ଅନେଇଲି ବି ନାହିଁ। କିନ୍ତୁ କହିଲି, ଏଇଠି ତୁମ ପାଠପଢ଼ା ଫେଲ୍ ମାରିଲା। ମାଛ ଡିଆଁ ମାରିଲେ ଚାଲିଯିବା ସମ୍ଭବ। ଗୋଟିଏ କଙ୍କଡ଼ା ବାହାରକୁ ବାହାରିବାର ପ୍ରୟାସ କଲେ ଚାରିଟା କଙ୍କଡ଼ା ତାକୁ ଟାଣି ରଖିବେ। କଙ୍କଡ଼ା କଙ୍କଡ଼ା ପାଖରୁ ମୁକ୍ତି ପାଇବା ଅସମ୍ଭବ।

ଏଇ କଥାଟା ମୁଁ ଖାଇବା ସମୟରେ ପିନୁ ବାପାକୁ କହିଥିଲି। କେତେବେଳେ ପିନୁ ବାପା ତାକୁ କହିଥିବ। ସିଏ ଜାଣିଛି। ସେଥିପାଇଁ କହିଲା ଓଡ଼ିଶାରେ ବହୁତ କଙ୍କଡ଼ା ଅଛନ୍ତି। ଓଡ଼ିଶା ସାରା ଚର୍ଚ୍ଚା ଚାଲିଛି ‘ପିନୁ କାହାକୁ କଙ୍କଡ଼ା କହିଲା, କାହିଁକି କହିଲା?’ ଇତ୍ୟାଦି ଇତ୍ୟାଦି। ଆରେ ମୁର୍ଖ ଓଡ଼ିଆ ଯଦି ସେକଥା ନବୁଝି ପାରୁଛ ତେବେ ମୁଁ ବୁଝେଇ ଦେଉଛି ଶୁଣ।

ସମୁଦ୍ର ଭିତରେ ଶଙ୍ଖ ଓ କଙ୍କଡ଼ା ଉଭୟ ରହିଥାନ୍ତି। ଏବେ ଓଡ଼ିଶାରେ ବ୍ୟାପକ ସ୍ତରରେ ଶଙ୍ଖ କଙ୍କଡ଼ା ଦଳ ଗଠନ କରି ରହୁଛନ୍ତି।

ଆରେ ବାବୁ ମୁଁ ନିଶାଖୋର ଥିଲେବି କଙ୍କଡା ତତ୍ଵକୁ କେମିତି ବୁଦ୍ଧି ଖଟେଇ ଆବିଷ୍କାର କରିଥିଲି। ସେଇ ତତ୍ଵ ଉପରେ ଆମ ପରିବାରର ପେଟେଣ୍ଟ ରାଇଟ ବଳବତ୍ତର ଅଛି। ତୁମେ ଦଳ ଗଢ଼ିଲ। ପରେ ପରେ ମହିଳା, ଯୁବ, ବୟସ୍କ, ବୃଦ୍ଧ, ଓକିଲ, ଡାକ୍ତର, କୃଷକ, ଶିକ୍ଷକ, ଛାତ୍ରଛାତ୍ରୀ, ଶ୍ରମିକ ଇତ୍ୟାଦି ଇତ୍ୟାଦି ଶବ୍ଦ ପୂର୍ବରୁ କଙ୍କଡ଼ା ଶବ୍ଦ ଯୋଡ଼ି କଣ କଙ୍କଡା ତତ୍ଵର ବ୍ୟବସାୟୀକରଣ କରିନାହଁ କି? ସମସ୍ତଙ୍କୁ ଧୀରେ ଧୀରେ କଙ୍କଡ଼ା କରୁଛ। କଙ୍କଡ଼ା ପ୍ରକୃତିରୁ କେହି ମୁକ୍ତି ପାଉ ନାହାଁନ୍ତି। ଆଉ ମୁଖ୍ୟ ପୋଖରୀକୁ ଫେରି ପାରୁନାହାନ୍ତି।

ଆମେତ ଗାନ୍ଧୀ ମହାତ୍ମା ନୋହୁଁ, ପୃଥିବୀ ସାରା ଯିଏ ପାରିବ ଅସହଯୋଗ, ଅହିଂସା ଇତ୍ୟାଦି ଅସ୍ତ୍ର ବ୍ୟବହାର କରିବ କିନ୍ତୁ ତାଙ୍କ ପରିବାରର ଉତ୍ତରାଧିକାରୀ କେହି ପେଟେଣ୍ଟ ରାଇଟ ଦାବୀ କରିବେ ନାହିଁ।

ସାଢ଼େ ଚାରିକୋଟି କଙ୍କଡ଼ାଙ୍କୁ ରୂପାନ୍ତରିତ ହେବା ଆଗରୁ ସ୍ଵର୍ଗତ ନିଶାକର ମିଶ୍ରଙ୍କୁ ମରଣୋତ୍ତର ଭାରତରତ୍ନ ଉପାଧି ଦେଇଦିଅ, ମୁଁ ସ୍ଵପ୍ନରେ ପ୍ରକଟ ହୋଇ ଆମ ପିନୁକୁ କହିଦେବି ସିଏ ଆଉ କଙ୍କଡ଼ା ଶବ୍ଦ ବ୍ୟବହାର କରିବ ନାହିଁ।

ଇତି କଙ୍କଡ଼ା ଉପାଖ୍ୟାନ ସମ୍ପୂର୍ଣ୍ଣ।

ବାରିପଦା, ମୟୂରଭଞ୍ଜ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।