ରାତିରେ ପିଅନା, ଦିନରେ ପିଅ!

ଶିବାଶିଷ ମହାପାତ୍ର

ଆମେ ଚାରି କୋଟି ମାଗଣାଖିଆ। ଘରେ ଆମର ଗଣ୍ଡେ ଖାଇବାକୁ ନାହିଁ। ଆମ ପ୍ରିୟ ସର୍କାର ଆମକୁ ମାଗଣା ଚାଉଳ ଗଣ୍ଡେ ଦିଅନ୍ତି ବୋଲି ଆମେ ଖାଇ ବଞ୍ଚିଛୁ! ନ ହେଲେ କେବେଠୁ ମଶାଣୀ ଧରନ୍ତୁଣି!

ମସଜିଦ୍ ମୁଲ୍ଲା କୋରାନ ପଢ଼ିଲା ଭଳିଆ ମଝିରେ ମଝିରେ ସର୍କାରୀ ମୁଲ୍ଲା ଆସି ବାଇଟ୍ ଦିଅନ୍ତି। ବେକାରୀ ଆଉ ଗରୀବ ଗୁରୁବାଙ୍କ ରୋଜଗାର କଥାକୁ ଛା ଛୁଆ ଜନମଠୁ ମରଣ ଯାଏଁ ବାହା ବ୍ରତଠୁ ଶୁଦ୍ଧିଘର ଯାଏଁ କେତେ କଣ ଲକ୍ ଅନଲକ୍ ଶୁଣାନ୍ତି! ଲମ୍ବା ଲମ୍ବା କାଗଜରେ ଲେଖିକି ଆଣିଥା’ନ୍ତି। ମୁଣ୍ଡକୁ ହଲେଇ ଆଖିକୁ ନଚେଇ କେଡେ ଭଙ୍ଗୀରେ ଗୋଟି ଗୋଟି କରି ଗପନ୍ତି।

ସେମିତି ଜଣେ ଆଇଥେଲେ। ବହୁତ କଥା ଶୁଣେଇଲେ। ପଚାଶ ପ୍ରତିଶତରେ ଯାତ୍ରା ହବ ବୋଲି କହିଲେ। ଭୁଲିଗଲେ ରାତି ଆଠରୁ ସାରା ରାଇଜରେ ନାଇଟ୍ କର୍ଫ୍ୟୁ କଥା। ହଁ ଦିନରେ ଯାତ୍ରା ହଉ! ୟେ ମାଗଣାଖିଅଆ ଲୋକଗୁଡ଼ାଙ୍କର କଉଁ କାମ ଧନ୍ଦା ଅଛି ଯେ! ସେସବୁର ଦର୍କାର ବି କଣ! ମାଗଣା ଚାଉଳ ଭତ୍ତାରେ ପୂରା ଖୁସି। ତଥାପି ସାଢ଼େ ଚାରି କୋଟି ଓଡ଼ିଆଙ୍କ ମୁରବୀଙ୍କ ମନରେ ବେଳେ ବେଳେ ସନ୍ଦେହ ଆସେ। ଛାମୁଁ ହାତ ଯୋଡ଼ି ପଚାରନ୍ତି “ଆପନମାନେ କୁସି ତ !” ମାଗଣାଖିଆଗୁଡ଼ାକ ହାତକୁ ଉପରକୁ ଟେକି ଜୋରରେ ଚିଲେଇ କହନ୍ତି, “ହଁ ଆମେମାନେ ବହୁତ ଖୁସି। ବାସ୍ ସେତିକିରେ ସମସ୍ତଙ୍କର ପେଟ ପୂରିଯାଏ।

ସେମିତି ଏବେ ପଚାଶ ପ୍ରତିଶତ କ୍ଷମତାରେ ମଦ ବାର୍ ବି ଚାଲିପାରିବ। ଓଃ କି ଖୁସି! ମଦ କିଣି ଘରେ ପିଇବା ଆଉ ବାରରେ ବସି ପିଇବାରେ କେତେ ଫରକ୍ ମଦୁଆ ହିଁ ଜାଣେ! ତା’ପରେ ସମସ୍ତଙ୍କ ଘରେ ବି ମଦ ପଶେନା। ହଁ ଯଦି ଅଲକ୍ଷଣା କିଏ କଉଁଠି ଏକା ରହୁଥାଏ ତା’ ମା ଭଉଣୀ ମାଇପ ବାପା ଭାଇ ଏମିତି କି ପରିବାରର କେହି ସାଙ୍ଗରେ ରହୁନଥା’ନ୍ତି, ତା’କଥା ଅଲଗା।

ମଦୁଆଙ୍କ ପାଇଁ ସିନା ଆମ ପ୍ରିୟ ସର୍କାର ଦରଦ ଦେଖେଇଲେ ହେଲେ ଆମ ଝିଅ ବୋହୂ ମା’ ଭଉଣୀ ଆମ ପିଲା ଛୁଆ ବୁଢ଼ା ବାପା ମା’ଙ୍କ ପାଇଁ ଟିକେ ଚିନ୍ତା କଲେ କି !!! ଆମ ପାଇଁ କିଛି ନୁଆ ସମସ୍ୟା ଆାଣିଲେନି କି! ଏମିତି କି ମଦୁଆମାନେ ବି ଖୁସି ହେଲେ ଫୁଲ୍ ଖୁସି ନୁହେଁ। ସେମାନଙ୍କର ବି କମ୍ପ୍କେନ୍ ଅଛି! କେତୁଟା କଥାରେ କ୍ଲାରିଫିକେସନ୍ ଦର୍କାର ପଡୁଛି! ମୁଲ୍ଲା ପୁରା କ୍ଲିୟର କରିନାହାଁନ୍ତି!

ପଚାଶ ପ୍ରତିଶତ ବସିକି ବାବୁଭଳି‍ଆ ପିଇବେ ଆଉ ଏକ୍ସଟ୍ରା ଗରାଖ ଠିଆ ଠିଆରେ କାମ ଚଳେଇବେ ନା ସେମାନଙ୍କ ପାଇଁ କିଚିନରେ ବନ୍ଦୋବସ୍ତ ହବ ନା ସେମାନେ ବାହାରେ ପାଳି ଆସିବା ଯାଏଁ ଅପେକ୍ଷା କରିବେ? କେମିତି କଣ ମୁଣ୍ଡ ଗଣତି ହବ? ଖାଲି ବସିବା ମୁଣ୍ଡ ଗଣାହବ ନା କିଚିନ୍ ବାରଣ୍ଡା ଗଳି ପାହାଚର ଠିଆ ମୁଣ୍ଡ ବି!

ନାହିଁ ଯଦି ବାହାରେ ଅପେକ୍ଷାରେ ରହିଲେ ଗାଡ଼ିକୁ ଅଳ୍ପ କିଛି ଚାଖଣା ସାଙ୍ଗରେ ପଠେଇବାର ପରମିସନ ମିଳିବ ନା ଲୁଚାଚୁରାରେ କରିବାକୁ ପଡିବ! ଭରସା ଥିଲେ ଦୋକାନୀ ଦଉ ନ ଭିତରକୁ ଗଲା ପରେ ପଇସା ନବ ନ ହେଲେ ଆଗୁଆ ବି ନେଇଯାଉ ନୋ ଟେନସନ୍। ପାଇଲେ ଚଳିବ ନ ହେଲେ ଆଗୁଆ ପେମେଣ୍ଟ ବି ଦବୁ ହେଲେ ୟ ନୋ ଟେନସନ୍।

ଆଉ ଗୋଟିଏ ପ୍ରୋବ୍ଲେମ୍। ସାଧାରଣତଃ ଆସରଟା ଜମେ ରାତି ଆଠଟା ନ’ଟା ବେଳକୁ। ହେଲେ ଏବେ ରାତି ଆଠରୁ ନାଇଟ୍ କର୍ଫ୍ୟୁ। ତା’ମାନେ ସଂଧ୍ୟା ଯାଏଁ ଅପେକ୍ଷା କରିବା ବୋକାମୀ। ସେଥିରେ ପୁଣି ପଚାଶ ପ୍ରତିଶତ ଝାମେଲା ବି ପୁଣି ଅଛି। ତେଣୁ ବେଳ ଥାଉଁ ଥାଉଁ ପହଞ୍ଚି ସଂଧ୍ୟା ସାତ ଆଗରୁ କାମ ସାରି ଘରକୁ ଫେରିବାର ଅଛି। କିନ୍ତୁ ଏଠି କଥା ଉଠୁଛି ରାତି ଏଗାରଟା ବାରଟା ବେଳକୁ ନିଶା ଛାଡ଼ିଗଲେ ହୋମ୍ ଡେଲିଭରି ଦେବେ କି ନାହିଁ!

ଆଜ୍ଞା! ଥରେ ଭାବିଲେ। କୋଚିଙ୍ଗ୍ କ୍ଲାସରୁ କି ଅଫିସରୁ କାମ ସାରି ଘରକୁ ଫେରୁଥୁବା ଆମ ପିଲାଙ୍କୁ ଆଗରୁ ଆମେ କହୁଥୁଲୁ, “ତୁ ଶୀଘ୍ର ପଳେଇଆସିବୁ। ବେଶୀ ରାତି କରିବୁନି। ଆଜି କାଲି ରାତି ହେଲେ ମଦୁଆଗୁଡାକ ଯାହା ହଉଛନ୍ତି!” ଏବେ କଣ କହିବା! ମଦୁଆ ତ ଦିନ ଥାଉଁ ଥାଉଁ ରାସ୍ତାକୁ ଓହ୍ଲେଇବେ! ଉତ୍ପାତ କରିବେ!

ଧନ୍ୟ ଆପଣ ସରକାର! ଧନ୍ୟ ଆପଣଙ୍କ ଜାତି ପ୍ରୀତି ତ କହିହବନି ଧନ୍ୟ ଆପଣଙ୍କ ଓଡିଆପ୍ରୀତି! ଆଗରୁ କଉଁ ସର୍କାର କଣ କରିଥିଲା ନ କରିଥିଲା ସେ କଥା ଛାଡନ୍ତୁ! ଆପଣ ନିରବିଛିନ୍ନ ଭାବେ ନିରଙ୍କୁଶ ଶାସନ କ୍ଷମତା ପାଇ କଣ କଲେ! କଉଁଠି ପହଞ୍ଚେଇଲେ ଆମକୁ! ସାଢ଼େ ଚାରି କୋଟି ଲୋକରୁ ପାଖାପାଖି ଚାରିକୋଟି ଲୋକଙ୍କୁ ମାଗଣାଖିଆ କରିଦେଲେ! ସେମାନଙ୍କ ପାଖେ ଗଣ୍ଡେ ଖାଇ ବଞ୍ଚିବାକୁ ଚାଉଳ ମୁଠେ ନାହିଁ! ସତରେ ୟେ ଜାତିଟାକୁ ଚିହ୍ନିବାରେ ବିଜୁବାବୁ ଭୁଲ୍ କରିଦେଲେ! ଏମାନଙ୍କୁ କର୍ମଠ ସାହସୀ କରିବାର ସ୍ୱପ୍ନ ସବୁବେଳେ ଦେଖିଲେ! ମଦୁଆଙ୍କୁ ଘୃଣା କରୁଥୁଲେ। ଯେତେବେଳେ କଟକରେ ମଦୁଆମାନେ ମେଡିକାଲରେ ଭର୍ତ୍ତି ହେଇ ଜଣଙ୍କ ପରେ ଜଣେ ମରୁଥା’ନ୍ତି ସେମାନଙ୍କୁ ଦେଖିବାକୁ କାହିଁକି ଯାଇନାହାଁନ୍ତି ବୋଲି ପଚରାଗଲାରୁ ଉତ୍ତର ଦେଇଥିଲେ, “ମଦୁଆଗୁଡ଼ାଙ୍କ ପାଇଁ ମୋ ପାଖେ ସମୟ ନାହିଁ।” ହେଲେ ୟେ ଜାତି ତାଙ୍କୁ ଦେଲା କଣ? କେତେଦିନ ଶାସନର ଡୋର ସିଏ ଧରିଲେ? ଆପଣ ୟେ କୋଢ଼ିଆଙ୍କ ନାଡ଼ି ଠିକ୍ ଚିପିଛନ୍ତି!  ଖଣି ପାଣି ବିକି ତେଲ ମଦରେ ଚଢ଼ା ଟିକସ ବସେଇ କୋଢ଼ିଆଙ୍କୁ ଗଣ୍ଡେ ମାଗଣା ଦାନା ଦବା ସାଙ୍ଗକୁ ବିରୋଧୀଙ୍କୁ ବି ପକେଟରେ ପୂରେଇ ବସିଛନ୍ତି। କାହାରି ପାଟିରୁ ପଦୁଟେ ବି ବାହାରୁନି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।