ଚନ୍ଦୁର ଖୁସି: ୩୭୦ ଉଚ୍ଛେଦ ପରେ କଶ୍ମୀର ଝିଅକୁ ବାହାହେବ!

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ଗତକାଲି ଏକ ଐତିହାସିକ ନିର୍ଣ୍ଣୟ ନିଆଗଲା। ଦୀର୍ଘ ୭୦ ବର୍ଷ ହେଲା ଦେଶରେ ଯାହା ହୋଇପାରି ନଥିଲା ମୋଦି ସରକାର କାଲି ତାହା କରି ଦେଖାଇଛନ୍ତି। ଦେଶଠାରୁ ଜମ୍ମୁ-କଶ୍ମୀରକୁ ଅଲଗା ରଖିଥିବା ସମ୍ବିଧାନର ‘ଅସ୍ଥାୟୀ’ ଧାରା ୩୭୦କୁ ଗତକାଲି ମୋଦି ସରକାର ଉଚ୍ଛେଦ କରିଛନ୍ତି। ଅର୍ଥାତ ଜମ୍ମୁ-କଶ୍ମୀର ଏବେ ଆଉ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ତ ପାଇବ ନାହିଁ ଓଲଟା ରାଜ୍ୟ ବଦଳରେ ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଣାଯିବ। ତା ‘ସହିତ […]

final-1

final-1

Biswobandita Swain
  • Published: Tuesday, 06 August 2019
  • Updated: 07 August 2019, 04:07 PM IST

Sports

Latest News

ଭୁବନେଶ୍ୱର(ବିଶ୍ୱବନ୍ଦିତା ସ୍ୱାଇଁ): ଗତକାଲି ଏକ ଐତିହାସିକ ନିର୍ଣ୍ଣୟ ନିଆଗଲା। ଦୀର୍ଘ ୭୦ ବର୍ଷ ହେଲା ଦେଶରେ ଯାହା ହୋଇପାରି ନଥିଲା ମୋଦି ସରକାର କାଲି ତାହା କରି ଦେଖାଇଛନ୍ତି। ଦେଶଠାରୁ ଜମ୍ମୁ-କଶ୍ମୀରକୁ ଅଲଗା ରଖିଥିବା ସମ୍ବିଧାନର ‘ଅସ୍ଥାୟୀ’ ଧାରା ୩୭୦କୁ ଗତକାଲି ମୋଦି ସରକାର ଉଚ୍ଛେଦ କରିଛନ୍ତି। ଅର୍ଥାତ ଜମ୍ମୁ-କଶ୍ମୀର ଏବେ ଆଉ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ତ ପାଇବ ନାହିଁ ଓଲଟା ରାଜ୍ୟ ବଦଳରେ ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଣାଯିବ। ତା 'ସହିତ ଦେଶରେ ଏବେ ଗୋଟିଏ ପତକା ରହିବ, ଆଉ ଗୋଟିଏ ସମ୍ବିଧାନ ରହିବ। ଏକଥା ଜାଣିବା ପରେ ପୂରା ଦେଶରେ ଖୁସିର ଲହରୀ ଖେଳି ଯାଇଛି। ଲୋକମାନେ ବାଜା ବଜାଇ, ନାଚିଗାଇ, ମିଠାବାଣ୍ଟି ଏହି  ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

ଆଉ ସେ ସେଲେବ୍ରେସନ୍‌ରୁ ବାଦ୍‌ ପଡ଼ିନି ଆମ ଗାଁର ଛୋଟିଆ ପିଲା ଚନ୍ଦୁ ଏବଂ ତା' ସାଙ୍ଗେ ମିଶି ଚାନ୍ଦା ଆଦାୟ କରୁଥିବା ଗ୍ରୁପ୍‌। ଯେ କୌଣସି ପୂଜାପର୍ବ ହେଉନା କାହିଁକି ଚନ୍ଦୁ ଏବଂ ତା ଗ୍ରୁପ୍‌ ଚାନ୍ଦା ଆଦାୟ କରିବା ପାଇଁ ଘର ଘରେ ଯାଇ କଲିଂ ବେଲ୍‌ ମାରନ୍ତି। ବଡ଼ ବଡ଼ ପୂଜା ଛାଡ଼, ପଇସା ଆଦାୟ କରିବା ପାଇଁ ଏହି ଗ୍ରୁପ୍‌ ବର୍ଷକୁ ୩ଥର ଗଣେଶ ପୂଜା, ୫ଥର କାଳିପୂଜା ଆଉ ୯ଥର ବିଶ୍ୱକର୍ମା ପୂଜା କରନ୍ତି। ଏ ପୂଜା ସବୁ କେଉଁଠି ହୁଏ ସେକଥା ମଧ୍ୟ ଗାଁରେ ଚାନ୍ଦା ଦେଉଥିବା ଲୋକ ଜାଣିପାରନ୍ତି ନାହିଁ। ତଥାପି ଛୁଆ ମାନଙ୍କୁ ଖୁସିରେ ସାମିଲ୍‌ ହେବାପାଇଁ ଲୋକେ ଯାହାର ଯେତେ ଟଙ୍କା ଇଚ୍ଛା ବଢ଼ାଇ ଦିଅନ୍ତି।

ଠିକ୍‌ ସେମିତି କାଲି ମଧ୍ୟ ଚନ୍ଦୁ ଦେଖାହୋଇଥିଲା। ଅପରାହ୍ନ ୩ଟା ବେଳକୁ ମୁଁ ଅଫିସ୍‌ ଗାଡ଼ିରେ ଘରକୁ ଫେରୁଥାଏ। ପଟିଆ ପେଟ୍ରୋଲ୍‌ ପମ୍ପ ପାଖରେ ସେ ମୋ ଗାଡ଼ିକୁ ଅଟକାଇଲା। ମୁଁ ଭାବିଲି ପୁଣି ବୋଧେ ଚାନ୍ଦା ମାଗିବ, କହିଲି ଯା ଘରୁ ନେଇଯିବୁ।
ଚନ୍ଦୁ କହିଲା ନାଇଁ ଦିଦି ମିଠା ନିଅ। ଚନ୍ଦୁ ହାତରେ ହଲଦିରାମର ମିଠା ପ୍ୟାକେଟ୍‌। ନାଲି ମିଠା ଡବାରୁ ସେ ହଳଦିଆ ରଙ୍ଗର ଏକ ଲଡୁ ବାହାର କରି ମତେ ଦେଲା। ମୁଁ ଲଡୁଟି ନେବାକୁ ହାତ ବଢ଼େଇଦେଲି। ସେ କିନ୍ତୁ ମିଠାଟିକୁ ହାତରେ ଦେଲାନି। କହିଲା ଦିଦି ଆଜି ମୁଁ ମୋ ନିଜ ହାତରେ ତମକୁ ମିଠା ଖୁଆଇ ଦେବି। ବଡ ଆଶ୍ଚର୍ଯ୍ୟ!

ଏତେ ଖୁସି, ଏତେ ଆନନ୍ଦ! ମୁଁ ପଚାରିଲି କଥା କ’ଣ ଚନ୍ଦୁ। ‍୭ମ ପରୀକ୍ଷା ଫଳ ବାହାରିଚି କି? ତୁ କଣ ଖୁସିରେ ମିଠା ବାଣ୍ଟୁଚୁ।  ନା ମଉସା ରିକ୍ସା ଛାଡି କାର୍‌ କିଣିଲେ।

କଥା କଣ ?

ସେ କହିଲା ନାଇଁ ମ ଦିଦି ମୋର ପରୀକ୍ଷା ଫଳ ବାହାରିନି କି ବାପାଙ୍କ କାର କିଣିବା ସ୍ୱପ୍ନ ପୂରଣ ହେଇନି। ଆଜି ଟିଭି ଦେଖିନ କି? କି ସାମ୍ବାଦିକ ହେଇଚ ମ? କିଛି ଜାଣିପାରୁନ? କଶ୍ମୀର ଖବର କଥା କହୁଚି। ମୁଁ ହଠାତ୍‌ ଆଶ୍ଚର୍ଯ୍ୟ ହୋଇଗଲି।

ଚନ୍ଦୁ ତୁ... ପୁଣି କଶ୍ମୀର କଥା କହୁଛୁ।

ମୁଁ ଖୁସିରେ ପିଲାଟିର ମୁଣ୍ଡ ଆଉଁସିଦେଲି। ଏତେ ଛୋଟ ପିଲା। ସେ ଟିଭି ଦେଖୁଚି। ଅଧିକାଂଶ ଲୋକ ଧାରା ୩୭୦ କ’ଣ ଜାଣି ନଥିବା ବେଳେ ୩୭୦ ଧାରାର ଉଚ୍ଛେଦ ନେଇ ଏକ ସକାରାତ୍ମକ ଦିଗକୁ ଲକ୍ଷ୍ୟ କରି ଚନ୍ଦୁ ଆଜି ଖୁସି ହେଇ ପାରୁଛି, ୟାଠୁ ବଡ଼ କଥା ଆଉ କ’ଣ ହୋଇପାରେ? ଦେଶ ସତରେ ବଦଳିଲାଣି। ଏତେ ଛୋଟ ପିଲା ଯଦି ଏବେଠୁ ସଚେତନ ହେଇପାରୁଛନ୍ତି ଆଉ ଭୁଲ୍‌ ଠିକ୍‌ ସବୁ ଖବରକୁ ନେଇ ପ୍ରତିକ୍ରିୟାଶୀଳ ହେଇପାରୁଛନ୍ତି, ତେବେ ଏମାନଙ୍କର ଆଗକୁ ନିଷ୍ପତ୍ତି ନେବାର କ୍ଷମତା ଚାଲିଆସିବ। ଅନ୍ୟମାନଙ୍କ କଥା ଛାଡ଼ ଚନ୍ଦୁ ଯେ ବାତରାମି ଛାଡ଼ି ଏ ଦେଶବିଦେଶ ଖବର ଉପରେ ଆଗ୍ରହ ରଖୁଚି, ସେକଥା ଭାବି ମୁଁ ମନେ ମନେ ଖୁସିହୋଇଗଲି।

ସମୟ ବିଳମ୍ବ ନକରି ପଚାରିଲି। ଆଛା, ତୁ ଧାରା ୩୭୦ ଉଚ୍ଛେଦକୁ ନେଇ ଖୁସି ଅଛୁ। ବହୁତ ଭଲ। ଆଚ୍ଛା, ତୁ ଏଥିରେ ଏକମତ ତା'ହେଲେ?

ଏତେ କମ ବୟସ ପିଲା ଏ ସମ୍ପର୍କରେ କଣ ଜାଣିଚି ଆଉ କ'ଣ କହିବାକୁ ଚାହୁଁଚି ଜାଣିବା ପାଇଁ ମୁଁ ତାକୁ ଏ ପ୍ରଶ୍ନଟି ପଚାରିଦେଲି।

ଚନ୍ଦୁ, ତୁ ତା'ହେଲେ ଟିଭି ଦେଖୁଥିଲୁ ନା। କ’ଣ ଦେଖିଲୁ କହିଲୁ ଧନ?

ଚନ୍ଦୁ - ସମ୍ପୂର୍ଣ୍ଣ ଭାବେ ଟିଭି ଦେଖିନି ମ ଦିଦି, ଗାଁ' ମୁଣ୍ଡ କେଳୁ ନନାଙ୍କ ପାନ ଦୋକାନରେ ମୁଁ  ଆଉ ମୋ ସାଙ୍ଗମାନେ ସୁଇଟ୍‌ ସୁପାରୀ ଖାଇବାକୁ ଯାଇଥିଲୁ। ସେଇଠି ପିଣ୍ଟୁ ନନା କହିଲେ କୁଆଡ଼େ ମୋ ବାହାଘର କଶ୍ମୀର ଝିଅ ସଙ୍ଗେ ହୋଇଯିବ। ଏବେ ଆଉ କିଛି ଅସୁବିଧା ରହିଲାନି। ଓଡ଼ିଶା ପୁଅମାନଙ୍କ ପାଇଁ ଖୁସି ଖବର। ସତ କହୁଛି ଦିଦି, ଓଡ଼ିଶା ପୁଅ ମାନଙ୍କ କଶ୍ମୀର ଝିଅଙ୍କ ବାହାଘର କଥା କାଲି ଲୋକସଭାରେ ଉଠିଚି। ଆମ ଗୃହମନ୍ତ୍ରୀ ଅମିତ ଶାହା, ସେ ଯୋଉ ମୋଟା ହେଇ ଲୋକଟା ମ। ସେ ଏତେ ମୋଟା ସେଇଥି ପାଇଁ ତାଙ୍କୁ ତାଙ୍କ ଗାଁ ଲୋକ 'ମୋଟା ଭାଇ' ଡାକନ୍ତି ନା?

ହଉ, ଛାଡ଼ ସେକଥା। କାଲି ସେ ଲୋକସଭାରେ କାଶ୍ମୀର ଝିଅ ସାଙ୍ଗେ ଓଡ଼ିଶା ପୁଅଙ୍କ ବାହା ହବା କଥା ଉଠେଇଥିଲେ। ସେଇଟା ତ ଖୁସି। ଖୁସି ଆଉ କ’ଣ କି?

ବାକି କଥା ମୁଁ ଆଉ ଜାଣିନି, କିନ୍ତୁ ମୁଁ ନିଜେ ଟିଭିରେ ଦେଖିଛି ଏମିତି କିଛି କଥା ଚାଲିଥିଲା। ସବୁକଥା ବୁଝିପାରିଲିନି କିନ୍ତୁ ଓଡ଼ିଶା ପୁଅଙ୍କ କାଶ୍ମୀର ଝିଅ ସାଙ୍ଗେ ବାହାଘର କଥା ଶୁଣିଲି। ମୋ ଖୁସି ସେଇଠି। ଆଉ ବାପାବି କହୁଥିଲେ କୁଆଡେ କଶ୍ମୀର ଝିଅ ଗୁଡ଼ା ଭାରି ସୁନ୍ଦରୀ। ବୋଉ ପରି ଶ୍ୟାମଳ ନୁହେଁ। ଗୋରା ତକ୍‌ ତକ୍‌। ଗାଲ ଗୁଡ଼ା କୁଆଡେ ପୁରା କଶ୍ମୀର ସେଓ ପରି। ଏବେ ତମେ କୁହ ଦିଦି, ମୁଁ କେମିତି ଗୃହମନ୍ତ୍ରୀ ଆଉ ବାପାଙ୍କ କଥାକୁ ଅବିଶ୍ୱାସ କରିବି। ତେଣୁ ପୂଜା ପାଇଁ ନୁହଁ, ଚାନ୍ଦା ଆଦାୟ କରି ମୁଁ ଏଥର ଧାରା ୩୭୦ ପାଇଁ ମିଠା ବାଣ୍ଟୁଚି।"

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos