Advertisment

ଭାରତକୁ ପ୍ରଶଂସା କରି ଆମେରିକା କହିଲା ସଫଳ ହୋଇଛି ଜି-20

ଦିଲ୍ଲୀରେ ଅନୁଷ୍ଠିତ ଜି-20 ଶିଖର ସମ୍ମିଳନୀକୁ ଆମେରିକାର ପ୍ରଶଂସା। ଭାରତ ଅଧ୍ୟକ୍ଷତାରେ ହୋଇଥିବା ଏହି ବିଶାଳ ଆୟୋଜନ ସଫଳ ହୋଇଥିବା କହିଲା ଆମେରିକା।

author-image
Debibandita Barick
ଅଦ୍ୟତନ ହୋଇଛି
PM Narendra Modi & US President Jo Biden

PM Narendra Modi & US President Jo Biden

ଦିଲ୍ଲୀରେ ଅନୁଷ୍ଠିତ ଜି-20 ଶିଖର ସମ୍ମିଳନୀକୁ ଆମେରିକାର ପ୍ରଶଂସା। ଭାରତ ଅଧ୍ୟକ୍ଷତାରେ ହୋଇଥିବା ଏହି ବିଶାଳ ଆୟୋଜନ ସଫଳ ହୋଇଥିବା କହିଛି ଆମେରିକା। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଆମେରିକା ବୈଦେଶିକ ବିଭାବଗର ମୁଖପାତ୍ର ମାଥ୍ୟୁ ମିଲର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି। ସେ କହିଛନ୍ତି ଯେ, ଭାରତରେ ଆୟୋଜିତ ଜି-20 ଶିଖର ସମ୍ମିଳନୀ ସମ୍ପୂର୍ଣ୍ଣ ରୂପେ ସଫଳ ହୋଇଥିବା ଆମେ ବିଶ୍ୱାସ କରୁଛୁ।

Advertisment

ଜି-20 ଏକ ବିରାଟ ସଂଗଠନ। ଋଷ ଏବଂ ଚୀନ ଏହାର ଜଣେ ଜଣେ ସଦସ୍ୟ ବୋଲି ମାଥ୍ୟୁ କହିଛନ୍ତି। ସମ୍ମିଳନୀରେ ଋଷ ଓ ଚୀନର ଅନୁପସ୍ଥିତି ପ୍ରଶ୍ନରେ ମୁଖପାତ୍ର ମାଥ୍ୟୁ କହିଛନ୍ତି, "ଏଥିରେ କିଛି ସଦସ୍ୟ ଅଛନ୍ତି, ଯେଉଁମାନଙ୍କର ବିଭିନ୍ନ ପ୍ରକାରର ମତ ଅଛି। ଆମେ ବିଶ୍ୱାସ କରୁ ଯେ ସଂଗଠନ ଏକ ବିବୃତ୍ତି ଜାରି କରିବାରେ ସକ୍ଷମ ହୋଇଛି, ଯାହା ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସମ୍ମାନ ଦେବା ପାଇଁ ଆହ୍ୱାନ କରୁଛି ଏବଂ ସଂଗଠନ ଆହୁରି  କହିଛି ଯେ ସେହି ନୀତିଗୁଡିକ ଉଲ୍ଲଂଘନ କରାଯିବା ଉଚିତ ନୁହେଁ। କାରଣ ୟୁକ୍ରେନ ଉପରେ ଋଷର ଆକ୍ରମଣ ସମୟରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।

ୟୁକ୍ରେନ-ଋଷ ଯୁଦ୍ଧ ବାବଦରେ ଯେତେବେଳେ ଜି-20 ପ୍ରଥମ ଦିନରେ ଆଲୋଚନା ହୋଇଥିଲା ସେତେବେଳେ "ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କିମ୍ବା ଧମକ ଗ୍ରହଣଯୋଗ୍ୟ ନୁହେଁ" ବୋଲି ଜି-20 ରାଷ୍ଟ୍ରମୁଖ୍ୟ ଘୋଷଣା କରିଥିଲେ। ସେତେବେଳେ ଋଷ ବିଷୟରେ ଉଲ୍ଲେଖ ନକରି, ଜି-20 ସଦସ୍ୟ ସମସ୍ତ ଦେଶମାନଙ୍କୁ ଜାତିସଂଘ ଚାର୍ଟର ଉଦ୍ଦେଶ୍ୟ ଏବଂ ନୀତି ଅନୁଯାୟୀ କାର୍ଯ୍ୟ କରିବା ଉଚିତ୍ ବୋଲି ମନେପକାଇ ଦେଇଥିଲେ। ସେହିପରି ୟୁକ୍ରେନରେ ଏକ ବ୍ୟାପକ, ନ୍ୟାୟପୂର୍ଣ୍ଣ ଏବଂ ସ୍ଥାୟୀ ଶାନ୍ତି ପାଇଁ ଆହ୍ୱାନ ଦେଇଥିଲେ। ଏଥିସହ ସଦସ୍ୟ ରାଷ୍ଟ୍ରମାନଙ୍କୁ "ଆଞ୍ଚଳିକ ଅଧିଗ୍ରହଣ ପାଇଁ ବଳ ପ୍ରୟୋଗରୁ ନିବୃତ୍ତ ରହିବାକୁ" କହିଥିଲେ।

Advertisment

ସମ୍ମିଳନୀରେ ଯୋଗେଦେଇ ଭିଏତନାମା ଗସ୍ତ କରିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀରେ ଆଲୋଚନା ହୋଇଥିବା କିଛି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଥିଲେ। ସମ୍ମିଳନୀରେ ମାନବାଧିକାରକୁ ସମ୍ମାନ ଦେବା, ସାମାଜିକ ସଂଗଠନର ଭୂମିକା ଓ ପ୍ରେସ ସ୍ୱାଧୀନତା ଭଳି ପ୍ରସଙ୍ଗରେ ଉପରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଥିବା କଥା କହିଥିଲେ। 

ପ୍ରଥମ ଥର ପାଇଁ ଭାରତ ଅଧ୍ୟକ୍ଷତାରେ ଜି-20 ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା। ସେପ୍ଟେମ୍ବର 9-10 ଦୁଇ ଦିନ ଧରି ନୂଆଦିଲ୍ଲୀରେ ଜି-20 ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଭାରତର ପରମ୍ପରା ଏବଂ ଶକ୍ତିକୁ ଚିତ୍ରଣ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଅଭିବୃଦ୍ଧି, ଡିଜିଟାଲ ନବସୃଜନ, ଜଳବାୟୁ ସ୍ଥିରତା ଏବଂ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସୁବିଧା ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଗତବର୍ଷ ଇଣ୍ଡୋନେସିଆର ବାଲିରେ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ବର୍ଷ ବ୍ରାଜିଲରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ଉଦଯାପନ ସଭାରେ ବ୍ରାଜିଲକୁ ଆନୁଷ୍ଠାନିକ ଭାବେ ବ୍ୟାଟନ୍ ହସ୍ତାନ୍ତର କରି ଅଧ୍ୟକ୍ଷତା ଦାୟିତ୍ୱ ସମର୍ପିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

India PM G20 Summit Success US Praises India Narendra Modi G20 Summit