Advertisment

ଅଚାନକ ବନ୍ୟାରେ ୧୦ ମୃତ, ୩୩ ଜଣଙ୍କ ପତ୍ତା ମିଳୁନି

ଅନେକ ଘରଦ୍ୱାର ଭାଙ୍ଗି ଯାଇଥିବା ବେଳେ ଗାଡ଼ି ମୋଟର ପାଣିର ପ୍ରଖର ସ୍ରୋତରେ ଭାସି ଯାଇଛି। ଅଚାନକ ବନ୍ୟା ପରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରିବାକୁ କହିଛନ୍ତି।

author-image
Hemant Lenka
China

China

ଅଚାନକ ବନ୍ୟା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଚାଇନାର ଉତ୍ତରପଶ୍ଚିମ ଗାନସୁ ପ୍ରଦେଶର ଅଧିକାଂଶ ଅଞ୍ଚଳରେ ହଠାତ୍‌ ବନ୍ୟା ମାଡ଼ି ଯାଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବନ୍ୟା ପାଣିରେ ୩୩ ଜଣ ନିଖୋଜ ହୋଇ ଯାଇଛି। ସେହିପରି ଅନେକ ଘରଦ୍ୱାର ଭାଙ୍ଗି ଯାଇଥିବା ବେଳେ ଗାଡ଼ି ମୋଟର ପାଣିର ପ୍ରଖର ସ୍ରୋତରେ ଭାସି ଯାଇଛି। ଅଚାନକ ବନ୍ୟା ପରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରିବାକୁ କହିଛନ୍ତି।

Advertisment

ଗୁରୁବାର ଠାରୁ ଅବିଶ୍ରାନ୍ତ ବର୍ଷା ୟୁଝୋଙ୍ଗ କାଉଣ୍ଟୀର ସ୍ଥିତିକୁ ବେୟାଲ କରିଛି। ଏଥିଯୋଗୁ ଅଚାନକ ବନ୍ୟା ଆସିଥିବା ବେଳେ ଲାନଝୋଉ ସହରର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଛି। ବର୍ଷା ଓ ବନ୍ୟା ଯୋଗୁ ସିଙ୍ଗଲଙ୍ଗ ପାହାଡ଼ିଆ ରିଜନରେ ବିଜୁଳି ଓ ଫୋନ ସେବା ବନ୍ଦ ହୋଇଯାଇଛି। ଏଠାକାର ୪ ଗାଁର ୪ ହଜାର ଲୋକ ଅନ୍ଧକାର ମଧ୍ୟରେ ରହିଛନ୍ତି। ସେଠାରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଜୋରଦାର ଉଦ୍ୟମ କରୁଛନ୍ତି।

ଗନସୁ ପ୍ରଦେଶ ଏପରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ଚାଇନାର ଅନ୍ୟ ପ୍ରାନ୍ତଗୁଡ଼ିକରେ ପ୍ରବଳ ବର୍ଷା ଜାରି ରହିଛି। ଦକ୍ଷିଣପୂର୍ବ ଗୌଆଙ୍ଗଡଙ୍ଗ ପ୍ରଦେଶରେ ଉଦ୍ଧାରକାରୀ ଟିମ ଧ୍ୱଂସାବଶେଷକୁ ସାଇଡ କରୁଥିବା ବେଳେ ଡ୍ରେନରେ ଜମି ଥିବା ପାଣିକୁ ଖାଲି କରିବାକୁ ଲାଗି ପଡ଼ିଛନ୍ତି। ଅଗଷ୍ଟ ମାସ ଆରମ୍ଭରୁ ହିଁ ଚାଇନାରେ ଏପରି ସ୍ଥିତି ଦେଖିବାକୁ ମିଳିଛି। ବନ୍ୟା ଯୋଗୁ ରାସ୍ତା ଘାଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗଛ ଉପୁଡ଼ି ପଡ଼ିଛି। ରାସ୍ତା ଧୋଇ ଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Advertisment

ବର୍ଷା ଏତେ ଜୋରରେ ହେଉଛି ଯେ ଗୌଙ୍ଗଝୋଉର ବୈୟୁନ ଏୟାରପୋର୍ଟ ପକ୍ଷରୁ ୩୬୦ରୁ ଅଧିକ ବିମାନକୁ ବାତିଲ କରାଯାଇଛି। ୩୦୦ ବିମାନର ଉଡ଼ାଣ ଓ ଲ୍ୟାଣ୍ଡିଂ ସମୟ ପ୍ରଭାବିତ ହୋଇଛି।

ବନ୍ୟା ପାଣି ଜମି ରହିଥିବାରୁ ମଶାଙ୍କ ଉତ୍ପାତ୍ତ ଆରମ୍ଭ ହୋଇଯାଇଛି। ଏଥିଯୋଗୁ ଚାଇନାରେ ଚିକୁନଗୁନୟା ଭଳି ମାରାତ୍ମକ ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ଚଳିତ ବର୍ଷ ୭ ହଜାରରୁ ଅଧିକ ଚିକୁନଗୁନୟା ରୋଗୀ ଚାଇନାର ଚିହ୍ନଟ ହୋଇସାରିଲେଣି।

China FLOOD