Advertisment

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ; ୧୩ ଯବାନ ମୃତ, ୧୦ ଆହତ

୧୯ ଜଣ ସାଧାରଣ ନାଗରିକ ଏହି ଆକ୍ରମଣରେ ଆହତ ହୋଇଛନ୍ତି।

author-image
Jitendra Garnayak
Pakistan

Pakistan

ପାକିସ୍ତାନର ଖାଇବର ପାଖତୁନଖ୍ୱା ପ୍ରଦେଶର ଉତ୍ତର ୱାଜିରିସ୍ତାନ ଜିଲ୍ଲାରେ ଆଜି ସେନାର ଏକ କନଭୟ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛି। ଏଥିରେ ୧୩ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଆହତ ଯବାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ସେହିପରି ୧୯ ଜଣ ସାଧାରଣ ନାଗରିକ ଏହି ଆକ୍ରମଣରେ ଆହତ ହୋଇଛନ୍ତି।

Advertisment

ଉତ୍ତର ୱାଜିରିସ୍ତାନ ଜିଲ୍ଲା ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ ଜଣେ ଆତ୍ମଘାତୀ ଆକ୍ରମଣକାରୀ ଏକ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଦ୍ରୁତଗତିରେ ଆଣି ସେନାର କନଭୟ ଭିତରେ ପଶିଯାଇଥିଲେ ଓ କେହି କିଛି ଚିନ୍ତା କରିବା ପୂର୍ବରୁ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପାଖରେ ଥିବା ଦୁଇଟି ଘରର ଛାତ ଭୁଶୁଡ଼ି ଯାଇଥିଲା। ଫଳରେ ୬ ଜଣ ଛୁଆ ଆହତ ହୋଇଛନ୍ତି।

ଏହି ଆକ୍ରମଣ ପାଇଁ ହାଫିଜ ଗୁଲ ବାହାଦୁର ଗ୍ରୁପ୍‌ର ସୁସାଇଡ୍‌ ୟୁନିଟ ନିଜକୁ ଦାୟୀ କରିଛି। ଏହି ଗ୍ରୁପ୍ ‘ପାକିସ୍ତାନ ତାଲିବାନ‘ ବା ‘ତେହରିକ ଇ ତାଲିକାନ ପାକିସ୍ତାନ’ (ଟିଟିପି) ସହିତ ମିଶି କାର୍ଯ୍ୟ କରେ।

Advertisment

୨୦୨୧ରେ ଆଫଗାନିସ୍ତାନର ଶାସନ ଡୋରି ତାଲିବାନ ହାତକୁ ଚାଲିଯିବା ପରେ ପାକିସ୍ତାନକୁ ଲାଗି ରହିଥିବା ସୀମାରେ ହିଂସା ବଢ଼ି ବଢ଼ି ଚାଲିଛି। ଇସଲାମବାଦ ଅଭିଯୋଗ କରିଛି ଯେ କାବୁଲ ଆତଙ୍କବାଦୀମାନଙ୍କୁ ପ୍ରୋତ୍ସାହନ ଦେଉଥିବାରୁ ସେମାନେ ବାରମ୍ବାର ଏହାର ସୀମାନ୍ତ ଅଞ୍ଚଳରେ ହିଂସାକାଣ୍ଡ ଘଟାଉଛନ୍ତି। ତେବେ ଆଫଗାନିସ୍ତାନର ତାଲିବାନ ସରକାର ଏହାକୁ ଖଣ୍ଡନ କରି ଆସୁଛନ୍ତି।

ନ୍ୟୁଜ୍ ଏଜେନ୍ସୀ ଏଏଫପିର ଏକ ତଥ୍ୟ ଅନୁସାରେ ଚଳିତ ବର୍ଷ ପ୍ରାରମ୍ଭରୁ ଏଯାବତ୍ ଖାଇବର ପାଖତୁନଖ୍ୱା ପ୍ରଦେଶରେ ପାକିସ୍ତାନ ସରକାରଙ୍କ ବିରୋଧରେ ବିଦ୍ରୋହ କରୁଥିବା ସଶସ୍ତ୍ର ଗୋଷ୍ଠୀଙ୍କ ଆକ୍ରମଣରେ ୨୯୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପାକିସ୍ତାନୀ ସେନାର ଯବାନ।

ଗତ ମାର୍ଚ୍ଚ ମାସରେ ତେହରିକ ଇ ତାଲିବାନ ପାକିସ୍ତାନ ସହିତ ଜଡ଼ିତ ୧୦ ଆତଙ୍କବାଦୀଙ୍କୁ ମାରିଥିବା ନେଇ ପାକିସ୍ତାନୀ ସେନା ଦାବି କରିଥିଲା। ଦକ୍ଷିଣ ୱାଜିରିସ୍ତାନରେ ପାକିସ୍ତାନର ଅର୍ଦ୍ଧସାମରିକ ବଳ ‘ଫ୍ରଣ୍ଟିୟର କର୍ପସ’ର ଏକ ଶିବିର ଉପରେ ଆତ୍ମଘାତୀ ଆକ୍ରମଣ ପରେ ସେନା ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।

ସେହି ମାସରେ ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲ୍‌ଏ)ର ଏକ ଟିମ୍ ଜାଫର ଏକ୍ସ୍ରପେସ ଟ୍ରେନ୍‌ରେ ଆକ୍ରମଣ କରିଥିଲେ। ସେଥିରେ ୨୧ ଜଣ ଯାତ୍ରୀ ଓ ଅର୍ଦ୍ଧସାମରିକ ବଳର ୪ ଜଣ ଯବାପ ନିହତ ହୋଇଥିଲେ।

ପାକିସ୍ତାନରେ ଆତଙ୍କୀ କାର୍ଯ୍ୟକଳାପ ବଢ଼ିଛି। ଗ୍ଲୋବାଲ ଟେରୋରିଜିମ ଇଣ୍ଡେକ୍ସ ବା ବିଶ୍ୱ ଆତଙ୍କବାଦ ସୂଚକାଙ୍କ ୨୦୨୫ ଅନୁଯାୟୀ, ଆତଙ୍କୀ କାର୍ଯ୍ୟକଳାପ ଯୋଗୁ ପାକିସ୍ତାନରେ ମୃତ୍ୟୁ ସଂଖ୍ୟା ୨୦୨୩ ଅପେକ୍ଷା ୨୦୨୪ରେ ୪୫% ବୃଦ୍ଧି ପାଇଥିଲା। ୨୦୨୩ରେ ସେଠାରେ ଆତଙ୍କୀ ହମ୍‌ଲାରେ ୭୪୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୨୪ରେ ଏହି ସଂଖ୍ୟା ୧୦୮୧ ରହିଥିଲା। ଫଳରେ ପାକିସ୍ତାନ ସାରା ବିଶ୍ୱରେ ଆତଙ୍କବାଦୀଙ୍କ ହିଂସା ଦ୍ୱାରା ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ ପାଲଟିଯାଇଥିଲା।