Advertisment

୧୯ ତୋପ ସଲାମୀ ସହ ହ୍ୱାଇଟ ହାଉସରେ ମୋଦିଙ୍କୁ ସ୍ୱାଗତ

ଆଜି ହ୍ୱାଇଟ ହାଉସରେ ମୋଦି ଓ ବାଇଡେନ ଦୁଇ ପାକ୍ଷିକ ଆଲୋଚନା କରିବେ। ସେହିପରି ଭାରତୀୟ ସମୟ ରାତି ୧୨.୩୦ରେ ମୋଦି ଆମେରିକା ସଂସଦର ଯୁଗ୍ମ ଅଧିବେଶନକୁ ସମ୍ବୋଧନ କରିବେ।

author-image
Hemant Lenka
PM Modi

PM Modi

ଆମେରିକାକୁ ପ୍ରଥମଥର ରାଷ୍ଟ୍ରୀୟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ହ୍ୱାଇଟ ହାଉସରେ ଭବ୍ୟ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ ଓ ପ୍ରଥମ ମହିଳା ଜିଲ ବାଇଡେନ। ଦୁଇ ଦେଶର ଜାତୀୟ ସଂଗୀତ ସହ ୧୯ ତୋପ ସଲାମୀ ଦ୍ୱାରା ମୋଦିଙ୍କୁ ହ୍ୱାଇଟ ହାଉସରେ ସ୍ୱାଗତ କରାଯାଇଛି।

Advertisment

ସ୍ୱାଗତ ସମ୍ବର୍ଦ୍ଧନା ପରେ ଦୁଇ ଦେଶର ରାଷ୍ଟ୍ର ମୁଖ୍ୟ ହ୍ୱାଇଟ ହାଉସ ଲନ୍‌ରେ ଉପସ୍ଥିତ ଥିବା ଭାରତୀୟ ବଂଶୋଦ୍ଭ ଆମେରିକୀୟଙ୍କୁ ସମ୍ବୋଧନ କରିଛନ୍ତି। ପରସ୍ପରର ପ୍ରଶଂସା କରିଛନ୍ତି। ଆଜି ହ୍ୱାଇଟ ହାଉସରେ ମୋଦି ଓ ବାଇଡେନ ଦୁଇ ପାକ୍ଷିକ ଆଲୋଚନା କରିବେ। ସେହିପରି ଭାରତୀୟ ସମୟ ରାତି ୧୨.୩୦ରେ ମୋଦି ଆମେରିକା ସଂସଦର ଯୁଗ୍ମ ଅଧିବେଶନକୁ ସମ୍ବୋଧନ କରିବେ।

ହ୍ୱାଇଟ ହାଉସ୍‌ରେ ମୋଦିଙ୍କୁ ସ୍ୱାଗତ କରି ବାଇଡେନ କହିଛନ୍ତି, “ଆମେ ଏକାଠି ଅନେକ ସମୟ ବିତାଇଛୁ। ମୁଁ ଉପ ରାଷ୍ଟ୍ରପତି ଥିବା ସମୟରୁ ଆମର ସମ୍ପର୍କ ରହିଛି। ମୁଁ ରାଷ୍ଟ୍ରପତି ହେବା ପରେ ଆମେ ବିଶ୍ୱାସର ସମ୍ପର୍କକୁ ମଜବୁତ କରିଛୁ।

Advertisment

ବିଶ୍ୱର ବର୍ତ୍ତମାନ ସ୍ଥିତି ଯାହା ଭାରତ-ଆମେରିକା ଏକାଠି କାମ କରିବା ଜରୁରୀ। ଗରିବୀ ଦୂରିକରଣ, ଜଳ ବାୟୁ ପରିବର୍ତ୍ତନର ସମାଧାନ, ସ୍ୱାସ୍ଥ୍ୟସେବାର ବିସ୍ତାର, ଖାଦ୍ୟ ସୁରକ୍ଷାର ସମାଧାନ ଦିଗରରେ ଭାରତ-ଆମେରିକା କାର୍ଯ୍ୟ କରୁଛନ୍ତି। ସବୁ କିଛି ଆମେରିକା, ଭାରତ ପାଇଁ ଓ ବିଶ୍ୱ ପାଇଁ। ଆମେ ଆଜି ଯେଉଁ ନିଷ୍ପତ୍ତି ନେଉଛୁ, ତା’ର ପ୍ରଭାବ ଭବିଷ୍ୟତରେ ପଡ଼ିବ। ଦୁଇ ଦେଶ ‘We The Prople’ ଦ୍ୱାରା ବନ୍ଧା ହୋଇ ଅଛନ୍ତି। ହ୍ୱାଇଟ ହାଉସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁଣିଥରେ ସ୍ୱାଗତ।”

ମୋଦି ମଧ୍ୟ ତାଙ୍କ ସମ୍ବୋଧନରେ ଭବ୍ୟ ସ୍ୱାଗତ ପାଇଁ ରାଷ୍ଟ୍ରପତି ବାଇଡେନ ଓ ତାଙ୍କ ପତ୍ନୀ ଜିଲ୍‌ ବାଇଡେନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଆଜି ହ୍ୱାଇଟ ହାଉସରେ ଯେଉଁ ଭଳି ସ୍ୱାଗତ ମିଳିଲା, ତାହା ୧୪୦ କୋଟି ଭାରତୀୟଙ୍କ ପାଇଁ ସମ୍ମାନର ବିଷୟ। ୩ ଦଶନ୍ଧି ତଳେ ଜଣେ ସାଧାରଣ ଲୋକ ଭାବେ ମୁଁ ଆମେରିକାକୁ ଆସିଥିଲି।

ସେତେବେଳେ ମୁଁ ବାହାରେ ଛିଡ଼ା ହୋଇ ହ୍ୱାଇଟ ହାଉସକୁ ଦେଖିଥିଲି। ମୁଁ ପ୍ରଧାନମନ୍ତ୍ରୀ ହେବା ପରେ ଅନେକ ଥର ହ୍ୱାଇଟ ହାଉସକୁ ଆସିଛି। ହେଲେ ପ୍ରଥମଥର ପାଇଁ ହ୍ୱାଇଟ ହାଉସର ଦ୍ୱାର ଏତେ ସଂଖ୍ୟକ ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କ ପାଇଁ ଖୋଲା ଯାଇଛି। ଏଥିପାଇଁ ରାଷ୍ଟ୍ରପତି ବାଇଡେନ ଓ ଜିଲ୍‌ ବାଇଡେନଙ୍କୁ ଧନ୍ୟବାଦ।

ସ୍ୱାଗତ ପାଇଁ ହୃଦୟରୁ ଧନ୍ୟବାଦ। ରାଷ୍ଟ୍ରପତି ବାଇଡେନଙ୍କୁ ବନ୍ଧୁତା ପାଇଁ ଧନ୍ୟବାଦ। ରାଷ୍ଟ୍ରପତି ବାଇଡେନ ଓ ମୁଁ ଆଉ କିଛି ସମୟ ପରେ ଭାରତ-ଆମେରିକା ସମ୍ପର୍କ ଉପରେ ବିସ୍ତୃତ ଭାବେ ଚର୍ଚ୍ଚା କରିବୁ। ମୋର ବିଶ୍ୱାସ ସବୁଥର ଭଳି ଏଥର ମଧ୍ୟ ଆମର ଆଲୋଚନା ସକାରାତ୍ମକ ଓ ଉପଯୋଗୀ ରହିବ। ଆମେ ଦୁଇ ଦେଶ ନିଜର ବିବଧତା ପାଇଁ ଗର୍ବ କରୁଛୁ। ଆମେ ଦୁଇ ଦେଶ ସମସ୍ତଙ୍କ ହିତ, ସମସ୍ତଙ୍କ ଖୁସି ପାଇଁ କାର୍ଯ୍ୟ କରୁଛୁ।”

ସମ୍ବୋଧନ ପରେ ଜୋ ବାଇଡେନ ଓ ଜିଲ୍‌ ବାଇଡେନ ମିଳିତ ଭାବେ ମୋଦିଙ୍କ ଦୁଇ ହାତ ଧରି ହ୍ୱାଇଟ ହାଉସକୁ ପାଛୋଟି ନେଇଥିଲେ। ହ୍ୱାଇଟ ହାଉସର ବାଲକୋନୀରେ ଛିଡ଼ା ହୋଇ ସମସ୍ତେ ଉପସ୍ଥିତ ଲୋକଙ୍କୁ ଅଭିବାଦନ ଜଣାଇଥିଲେ।

Joe Biden PM Modi White House