/odisha-reporter/media/media_files/2026/01/19/accident-2026-01-19-12-12-22.jpg)
ଟ୍ରେନ ଦୁର୍ଘଟଣା
ଦକ୍ଷିଣ ସ୍ପେନରେ ବଡ଼ ଟ୍ରେନ ଦୁର୍ଘଟଣା। ଦୁଇଟି ଯାତ୍ରୀବାହୀ ହାଇସ୍ପିଡ ବା ଦ୍ରୁତଗାମୀ ଟ୍ରେନ ପରସ୍ପରକୁ ଧକ୍କା ଦେଇଛନ୍ତି। ଅଣ୍ଡଲୁସିଆରେ ଘଟିଥିବା ଏହି ଭୟଙ୍କର ଟ୍ରେନ ଦୁର୍ଘଟଣା(Train Accident) ପୂରା ସ୍ପେନ(Spain)କୁ ଦୋହଲାଇ ଦେଇଛି। ଏଥିରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି।
ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେହିପରି କିଛି ଯାତ୍ରୀ ଦୁର୍ଘଟଣା ପରେ ନିଖୋଜ ଥିବା ମଧ୍ୟ କୁହାଯାଉଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ପୂରା ଘଟଣା ରବିବାର ରାତିରେ ଘଟିଛି।
ମାଲାଗାରୁ ମାଦ୍ରିଦକୁ ଗୋଟିଏ ଟ୍ରେନ ଯାଉଥିଲା। ତେବେ ଆଡମୁଜ ନିକଟରେ ହଠାତ ଏହା ଲାଇନଚ୍ୟୁତ ହୋଇଥିଲା। ଫଳରେ କିଛି ବଗି ସିଧା ନିକଟରେ ଥିବା ଟ୍ରାକକୁ ଚାଲିଯାଇଥିଲା। ଏହି ସମୟରେ ମାଲାଗା ଆଡ଼କୁ ଆସୁଥିବା ଆଉ ଏକ ଟ୍ରେନ ସହ ଏହାର ଧକ୍କା ହୋଇଥିଲା। ବଗି ସହ ଧକ୍କା ହେବା ପରେ ଦ୍ୱିତୀୟ ଟ୍ରେନଟି ମଧ୍ୟ ଲାଇନଚ୍ୟୁତ ହୋଇଥିଲା ବୋଲି ସ୍ପେନର ଆଡିଫ ରେଳ ନେଟୱର୍କ ଅପରେଟର ପକ୍ଷରୁ କୁହାଯାଇଛି।
ଜଣେ ପୁଲିସ୍ ମୁଖ୍ୟପାତ୍ର କହିଛନ୍ତି ଯେ ଦୁର୍ଘଟଣାରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ବରିଷ୍ଠ ଏମର୍ଜେନ୍ସି ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିବା ସହ ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରିଯାଇଛି।
ଘଟଣାସ୍ଥଳରେ ଯେଉଁ ଭଳି ପରିସ୍ଥିତି ଦେଖିବାକୁ ମିଳିଛି, ତା’କୁ ଦେଖିଲେ ଲାଗୁଛି ଯେ ମୃତ୍ୟୁସଂଖ୍ୟା ଆଗକୁ ବଢ଼ିପାରେ। ଅନ୍ଧାର ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ମଧ୍ୟ ବିଳମ୍ବିତ ହେଉଥିବା ସେ କହିଛନ୍ତି।
ପରିବହନ ମନ୍ତ୍ରୀ ଓସ୍କାର ପୁଇଣ୍ଟେ କହିଛନ୍ତି ଯେ ଟ୍ରାକର ଗୋଟିଏ ସିଧା ଅଂଶରେ ବିପର୍ଯ୍ୟୟ ଘଟିଛି। ଏହି ଟ୍ରାକକୁ ପ୍ରାୟ ଗୋଟିଏ ବର୍ଷ ତଳେ ନବୀକରଣ କରାଯାଇଥିଲେ। ସେହିପରି ପ୍ରଥମେ ଲାଇନଚ୍ୟୁତ ହୋଇଥିବା ଟ୍ରେନଟି ମଧ୍ୟ ଆଂଶିକ ନୂଆ।
ତେଣୁ ଦୁର୍ଘଟଣା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଚକିତ କରିଛି ବୋଲି ସେ କହିଛନ୍ତି। ରେଳ ଅପରେଟର ଇରୟୋର କହିବା କଥା ଯେ ମାଲାଗା-ମାଦ୍ରିଦ ଟ୍ରେନରେ ପ୍ରାୟ ୩୦୦ ଜଣଙ୍କ ଲୋକ ରହିଥିଲେ। ଦୁର୍ଘଟଣା ପରେ ରେଳ ଚଳାଚଳ ପ୍ରଭାବିତ ମଧ୍ୟ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
