Advertisment

ଇସ୍ରାଏଲ-ହମାସ ଯୁଦ୍ଧରେ ଏଯାଏଁ ଗଲାଣି ୨୨ ସାମ୍ବାଦିକଙ୍କ ଜୀବନ

ପାଲେଷ୍ଟାଇନ, ଇସ୍ରାଏଲ ସମେତ ପଡୋଶୀ ଲେବାନନରେ ମଧ୍ୟ ପ୍ରଭାବିତ ହୋଇଥିବା ସାମ୍ବାଦିକଙ୍କ ଅନୁସନ୍ଧାନ ଚାଲିଥିବା କହିଛି ସିପିଜେ।

author-image
Debibandita Barick
ଅଦ୍ୟତନ ହୋଇଛି
Israel-Hamas War

Israel-Hamas War

ପାଲେଷ୍ଟାଇନ-ଇସ୍ରାଏଲ ଯୁଦ୍ଧରେ ଏଯାଏଁ ଗଲାଣି ୨୨ ଜଣ ସାମ୍ବାଦିକଙ୍କ ଜୀବନ। ଅକ୍ଟୋବର ୭ରେ ହାମାସ, ଇସ୍ରାଏଲ ଉପରେ ରକେର୍ଟ ମାଡ କରିବା ପରଠାରୁ ଅତିକମରେ ୨୨ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି। ନ୍ୟୁୟର୍କର ଏକ ଅଣ-ଲାଭ ସଂଗଠନ କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଟ(ସିପିଜେ) ଏହି ରିପୋର୍ଟ ପ୍ରକାଶ କରିଛି। 

Advertisment

ଗତକାଲି ପ୍ରକାଶିତ ଏକ ରିପୋର୍ଟରେ ସିପିଜେ କହିଛି ଯେ, ଯୁଦ୍ଧ ଆରମ୍ଭରୁ ଅକ୍ଟୋବର ୨୦ ମଧ୍ୟରେ ଉଭୟ ପକ୍ଷର ୪୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇ ସାରିଲାଣି। ଏମାନଙ୍କ ମଧ୍ୟରେ ୨୨ ଜଣ ସାମ୍ବାଦିକ ଅଛନ୍ତି। ମୃତ ୨୨ ସାମ୍ବାଦିକଙ୍କ ମଧ୍ୟରୁ ୧୮ ଜଣ ପାଲେଷ୍ଟାଇନୀୟ, ତିନି ଜଣ ଇସ୍ରାଏଲୀ ଏବଂ ଜଣେ ଲେବାନୀୟ ଅଛନ୍ତି। ଆଠ ଜଣ ସାମ୍ବାଦିକ ଆହତ ହୋଇଥିବାବେଳେ ଅନ୍ୟ ତିନି ଜଣ ନିଖୋଜ କିମ୍ବା ଅଟକ ଥିବା ଜଣାଯାଇଛି।

ପାଲେଷ୍ଟାଇନ, ଇସ୍ରାଏଲ ସମେତ ପଡ଼ୋଶୀ ଲେବାନନରେ ମଧ୍ୟ ପ୍ରଭାବିତ ହୋଇଥିବା ସାମ୍ବାଦିକଙ୍କ ଅନୁସନ୍ଧାନ ଚାଲିଥିବା କହିଛି ସିପିଜେ। ଗାଜା ଆକ୍ରମଣରେ ସାମ୍ବାଦିକମାନେ ଅଧିକ ପ୍ରଭାବିତ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ଯୁଦ୍ଧରେ କେଉଁମାନେ ଆହତ ହୋଇଛନ୍ତି, ଅଟକ ଅଛନ୍ତି କିମ୍ବା ନିଖୋଜ ଅଛନ୍ତି, ଗଣମାଧ୍ୟମ କାର୍ଯ୍ୟାଳୟ ଏବଂ କେଉଁ ସାମ୍ବାଦିକମାନଙ୍କ ଘର ନଷ୍ଟ କରାଯାଇଛି ତା'ର ଅନୁସନ୍ଧାନ ଚାଲିଥିବା ସିପିଜେ ରିପୋର୍ଟରେ କହିଛି। 

Advertisment

ସିପିଜେର ମଧ୍ୟପ୍ରାଚ୍ୟ ଏବଂ ଉତ୍ତର ଆଫ୍ରିକା କାର୍ଯ୍ୟକ୍ରମ ସଂଯୋଜକ ଶରିଫ ମନସୁର କହିଛନ୍ତି, ‘ସାମ୍ବାଦିକମାନେ ସାଧାରଣ ନାଗରିକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି। ଯୁଦ୍ଧରେ ସେମାନଙ୍କୁ ଟାର୍ଗେଟ କରାଯିବା ଉଚିତ୍ ନୁହେଁ। ସାମ୍ବାଦିକଙ୍କ ସୁରକ୍ଷା ଉପରେ ସିପିଜେ ଅଧିକ ଗୁରୁତ୍ୱ ଦେଇଥାଏ।’ ଏପରି ଏକ ଦୁର୍ଦ୍ଦିନରେ ସାମ୍ବାଦିକମାନେ ବଳିଦାନ ଦେଉଛନ୍ତି। ସେମାନଙ୍କର ସୁରକ୍ଷା ନିଶ୍ଚିତ କରିବାକୁ ସମସ୍ତ ପକ୍ଷ ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଛନ୍ତି।

ତେବେ ପ୍ରାଣ ହରାଇଥିବା ସାମ୍ୱାଦିକମାନେ ମୃତ୍ୟୁ ସମୟରେ ଖବର ସଂଗ୍ରହରେ ଥିଲେ କି ନାହିଁ, ସେନେଇ ସିପିଜେ ସ୍ପଷ୍ଟ କରିନାହିଁ। କିଛି ଦିନ ତଳେ ରଏଟର୍ସର ଜଣେ ସାମ୍ବାଦିକଙ୍କ ମୃତ୍ୟୁ ସହ ୬ ଜଣ ଆହତ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ମୃତ ସାମ୍ବାଦିକ ଜଣକ ରଏଟର୍ସର ଭିଡିଓ ଜର୍ଣ୍ଣାଲିଷ୍ଟ ଥିଲେ। ଇସ୍ରାଏଲ ଆକ୍ରମଣରେ ତାଙ୍କ ମୃତ୍ୟୁ ଘଟିଥିବା ରଏଟର୍ସ ରିପୋର୍ଟ କରିଥିଲା। 

Israel Hamas Israel-Palestine Conflict Palestine War Israel-Palestine War Journalists Killed In War