/odisha-reporter/media/media_files/2026/02/18/attack-2026-02-18-17-29-38.jpg)
ଆକ୍ରମଣର ଶିକାର ହୋଇଥିବା ଯୁବକ
ଅଷ୍ଟ୍ରେଲିଆ(Australia)ରେ ନର୍ସ ଭାବେ କାମ କରୁଥିବା ଜଣେ ୨୨ ବର୍ଷୀୟ ଭାରତୀୟ ଶିଖ ଯୁବକଙ୍କୁ ଜିମ ବାହାରେ କରାଯାଇଛି ଆକ୍ରମଣ। ୩ ଜଣ ଯୁବକ ମିଳିତ ଭାବେ ୨୨ ବର୍ଷୀୟ ହରମନ ପ୍ରୀତ ସିଂହଙ୍କୁ କୋରିଓ ଠାରେ ହଇରାଣ କରିବା ସହ ମାଡ଼ ମାରିଛନ୍ତି। ସେ ନିଜ କାମରେ ବ୍ୟସ୍ତ ଥିଲେ ହେଁ ତାଙ୍କୁ ଭାରତୀୟ କୁକୁର ବୋଲି ଅତ୍ୟନ୍ତ ଆପତ୍ତିଜନ ଭାବେ ସମ୍ବୋଧନ କରି ଆକ୍ରମଣ କରାଯାଇଛି।
ଜିମରେ ହରମନ ପ୍ରୀତ ସିଂହ ପ୍ରଶିକ୍ଷଣ ନେଉଥିବା ବେଳେ ତାଙ୍କ ହଇରାଣ କରାଯାଇଥିଲା। ସେ ଜିମରୁ ବାହାରିବା ବେଳକୁ ୩ ଜଣ ଯୁବକ ବାହାରେ ଛିଡ଼ା ହୋଇଥିଲେ। ଗୋଟିଏ ଭିଡିଓରେ ଦେଖିବାକୁ ମିଳୁଛି ଯେ ଧଳା ଟି-ଶର୍ଟ ପିନ୍ଧିଥିବା ଜଣେ ଯୁବକ ଅତ୍ୟନ୍ତ ଆକ୍ରମଣାତ୍ମକ ଢଙ୍ଗରେ ହରମନ ପ୍ରୀତଙ୍କୁ ଭାରତୀୟ କୁକୁର ବୋଲି ସମ୍ବୋଧନ କରିବା ସହ ତାଙ୍କ ବିରୋଧରେ ଅଭଦ୍ର ଟିପ୍ପଣୀ କରିଥିଲେ।
ହରମନ କହିଛନ୍ତି, “ଯୁବକ ଜଣଙ୍କ ମୋ ପାଖକୁ ଆସିବା ସହ ମୋ ମୁହଁକୁ ମୁହଁ ଲଗାଇ ଛିଡ଼ା ହୋଇଥିଲେ। ଏହାପରେ ନିଜ ମୁଣ୍ଡକୁ ମୋ ନାକରେ ପିଟି ଦେଇଥିଲେ। ମୋ ନାକରୁ ରକ୍ତସ୍ରାବ ହୋଇଥିଲା। ଅଭଦ୍ର ଭାଷା ଓ ମାଡ଼ ମାରିବା ପରେ ସେମାନେ ଗୋଟିଏ ଗ୍ରେ ରଙ୍ଗର ସେଡାନରେ ଫେରାର ହୋଇ ଯାଇଥିଲେ। କିନ୍ତୁ ମୋତେ ହସ୍ପିଟାଲରେ ରାତି କାଟିବାକୁ ପଡ଼ିଥିଲା। ମୋର ପ୍ରାଥମିକ ଚିକିତ୍ସା ଚାଲିଛି। ଆଘାତ ଗୁରୁତର ଥିବାରୁ ମୋର ସର୍ଜରୀ ହେବ।”
ଅଷ୍ଟ୍ରେଲିଆରେ ପ୍ରଥମଥର ହରମନ ପ୍ରୀତ ଏପରି ବୈଷମ୍ୟର ଶିକାର ହୋଇ ନାହାନ୍ତି। ପୂର୍ବରୁ ମଧ୍ୟ ତାଙ୍କୁ ଏପରି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଏହା ତାଙ୍କ ମାନସିକ ସ୍ଥିତିକୁ ଗଭୀର ଭାବେ ପ୍ରଭାବିତ କରିଛି।
ହରମନ ପ୍ରୀତ କହିଛନ୍ତି, “ମୁଁ ନିଜକୁ ମାନସିକ ଭାବେ ଦୃଢ଼ ରଖିବାକୁ ସବୁବେଳେ ଚେଷ୍ଟା କରେ। ମୁଁ ଏସବୁ ଜିନିଷକୁ ଗୁରୁତ୍ୱ ଦିଏ ନାହିଁ। କିନ୍ତୁ ଏସବୁ ଆଘାତ ଦେଉଛି। ଏବେ ମୁଁ ପୁଣି ଜିମ ଯିବି ନା ମୋ ସମୟକୁ ବଦଳାଇ ଦେବି, ସେକଥା ଜାଣି ପାରୁନି। ଏହି ଘଟଣା ପରେ ମୁଁ ନିଜକୁ ସୁରକ୍ଷିତ ମଣୁ ନାହିଁ।” ଘଟଣା ପରେ ହରମନଙ୍କ ପରିବାର ଲୋକ ମଧ୍ୟ ପୂରା ଦୋହଲି ଯାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
