ପ୍ରାଣ ହରାଇଥିବା ୩ କ୍ରିକେଟର୍
ଆଫଗାନିସ୍ତାନ ଓ ପାକିସ୍ତାନ(Pakistan) ମଧ୍ୟରେ ଚାଲିଥିବା ସାମରିକ ବିବାଦ ତୀବ୍ର ହୋଇଛି। ଶୁକ୍ରବାର ରାତିରେ ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନରେ କରାଯାଇଛି ଏୟାର ଷ୍ଟ୍ରାଇକ। ଏଥିରେ ଆଫଗାନିସ୍ତାନର ୩ ଯୁବ କ୍ରିକେଟରଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଲୋକ ଆହତ ହୋଇଛନ୍ତି।
ଏହି ଘଟଣା ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ବଡ଼ ପଦକ୍ଷେପ ନେଇଛି। ପାକିସ୍ତାନ ସହ କ୍ରିକେଟ ଖେଳିବାକୁ ବୋର୍ଡ ମନା କରି ଦେଇଛି। ଏଥିସହ ଆଗାମୀ ତ୍ରି-ପାକ୍ଷିକ ଟି-୨୦ ସିରିଜରୁ ଆଫଗାନିସ୍ତାନ ଓହରି ଯାଇଛି। ନଭେମ୍ବର ୫ରୁ ୨୯ ଯାଏ ପାକିସ୍ତାନ, ଶ୍ରୀଲଙ୍କା ଓ ଆଫଗାନିସ୍ତାନକୁ ନେଇ ରାୱଲପିଣ୍ଡିରେ ତ୍ରିପାକ୍ଷିକ ଟି-୨୦ ସିରିଜ ହେବାର ଥିଲା। କିନ୍ତୁ ଆଫଗାନିସ୍ତାନ ସିରିଜରୁ ଓହରି ଯାଇଛି।
ବୁଧବାର ଠାରୁ ଦୁଇ ଦେଶ ମଧ୍ୟରେ ୪୮ ଘଣ୍ଟା ଧରି ଯୁଦ୍ଧ ବିରତି ଲାଗୁ ହୋଇଥିଲା। ଏହାର ଅବଧି ଶୁକ୍ରବାର ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା। ଏହାପରେ ପାକିସ୍ତାନ ସେନା ପକ୍ଷରୁ ଆଫଗାନିସ୍ତାନର ପାକଟିକା ପ୍ରଦେଶରେ ଘନଘନ ଏୟାର ଷ୍ଟ୍ରାଇକ କରାଯାଇଛି। ଏଥିରେ ଆଫଗାନିସ୍ତାନ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ୩ ଯୁବ କ୍ରିକେଟର କବୀର, ସିବଘାତୁଲ୍ଲା ଓ ହାରୁନଙ୍କ ମୃତ୍ୟୁ ହୋଇଛି।
ଏମାନଙ୍କ ବ୍ୟତୀତ ଆଉ ୫ ଜଣ ସାଧାରଣ ଲୋକ ମଧ୍ୟ ଆଖି ବୁଜିଛନ୍ତି। ୩ ଯୁବ କ୍ରିକେଟର ଗୋଟିଏ ମ୍ୟାଚ୍ ସାରି ଘରକୁ ଫେରୁଥିବା ବେଳେ ଉରଗୁନ ଜିଲ୍ଲାରେ ହୋଇଥିବା ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଥିବା ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି।
ଆଫଗାନିସ୍ତାନ ଟି-୨୦ କ୍ରିକେଟ ଟିମର ଅଧିନାୟକ ରାଶିଦ ଖାନ ମଧ୍ୟ ଘଟଣାକୁ ବର୍ବରତା କହିବା ସହ ଘୋର ନିନ୍ଦା କରିଛନ୍ତି। ତ୍ରିପାକ୍ଷିକ ସିରିଜରୁ ଓହରିବା ପାଇଁ ଆଫଗାନ କ୍ରିକେଟ ବୋର୍ଡ ନେଇଥିବା ନିଷ୍ପତ୍ତିକୁ ମଧ୍ୟ ସେ ସ୍ୱାଗତ କରିଛନ୍ତି।
ଆଫଗାନ କ୍ରିକେଟ ବୋର୍ଡ(Afghanistan Cricket) କହିଛି ଯେ “ଗୋଟିଏ ହୃଦୟବିଦାରକ ଘଟଣାକ୍ରମରେ ୩ ଖେଳାଳିଙ୍କ ସମେତ ୫ ଜଣ ଦେଶବାଦୀ ଉରଗୁନ ଜିଲ୍ଲାରେ ସହିଦ ହୋଇଛନ୍ତି। ଅନ୍ୟ ୭ ଜଣ ଆହତ ହୋଇଛନ୍ତି। ୩ ଖେଳାଳି ପାକଟିକା ପ୍ରଦେଶର ଶାରନାକୁ ଗୋଟିଏ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବାକୁ ଯାଇଥିଲେ। ସେଠାରୁ ସେମାନେ ଉରଗୁନ ଜିଲ୍ଲାରେ ଥିବା ଘରକୁ ଫେରିଥିଲା। ଘର ପାଖରେ ସେମାନେ ଏକାଠି ହୋଇଥିବା ବେଳେ ସେମାନଙ୍କ ଉପରେ ଏୟାର ଷ୍ଟ୍ରାଇକ ହୋଇଥିଲା। ଏହା ଆଫଗାନିସ୍ତାନ କ୍ରୀଡ଼ା ପ୍ରେମୀ ଓ ଦେଶ ପାଇଁ ଗୋଟିଏ ବିରାଟ କ୍ଷତି।”
ଅକ୍ଟୋବର ୧୧ରୁ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ବିବାଦ ଲାଗି ରହିଛି। ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏଥିରେ ଅନେକ ସାଧାରଣ ଲୋକ ଓ ସେନା ଯବାନଙ୍କ ମୃତ୍ୟୁ ହୋଇଛି।
ବିବାଦ ତୀବ୍ର ହେଉଥିବା ବେଳେ ବୁଧବାର ସନ୍ଧ୍ୟା ୬ ଟାରୁ ୪୮ ଘଣ୍ଟା ପାଇଁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ଲାଗୁ ହୋଇଥିଲା। ଯୁଦ୍ଧ ବିରତି ଅବଧି ଶେଷ ହେବା କ୍ଷଣି ପାକିସ୍ତାନ ସେନା ଆକ୍ରମଣ କରିଦେଇଛି। ପାକିସ୍ତାନ ପକ୍ଷରୁ ପାକଟିକା ପ୍ରଦେଶର ଅରଗୁନ ଠାରୁ ଆରମ୍ଭ କରି ବିଭିନ୍ନ ଆବାସିକ ଅଞ୍ଚଳରେ ଆକ୍ରମଣ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/18/afghan-2025-10-18-13-22-38.jpg)