Advertisment

ଶୋଷଣ ଅଭିଯୋଗ, ହିନ୍ଦୁଜା ପରିବାରର ୪ ସଦସ୍ୟଙ୍କୁ ସାଢ଼େ ୪ ବର୍ଷ ଜେଲ୍‌

ଭାରତରୁ ଅଣାଯାଇଥିବା ଘରୋଇ ସହାୟକଙ୍କୁ ଏମାନେ ଶୋଷଣ କରୁଥିବା ଅଭିଯୋଗ ରହିଛି।

author-image
Madhupriya Mistry
Hinduja Family

Hinduja Family

ଦୋଷୀ ସାବ୍ୟସ୍ତ ହେଲେ ବ୍ରିଟେନ୍‌ର ସବୁଠାରୁ ଧନୀ ହିନ୍ଦୁଜା ପରିବାରର ୪ ଜଣ ସଦସ୍ୟ। ଘରୋଇ ସହାୟକଙ୍କୁ ଶୋଷଣ କରୁଥିବା ଅଭିଯୋଗରେ ସ୍ୱିଜରଲାଣ୍ଡର ଏକ କୋର୍ଟ ହିନ୍ଦୁଜା ପରିବାରର ୪ ଜଣ ସଦସ୍ୟଙ୍କୁ ୪.୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ମାନାବ ଚାଲାଣ ଅଭିଯୋଗରୁ ଏମାନେ ଦୋଷ ମୁକ୍ତ ହେବା ସହ ଅନ୍ୟ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

Advertisment

ଏଏଫ୍‌ପିର ରିପୋର୍ଟ ମୁତାବକ, ସ୍ୱିସ୍‌ କୋର୍ଟ ପ୍ରକାଶ ହିନ୍ଦୁଜା ଓ ତାଙ୍କ ପତ୍ନୀ କମଲ ହିନ୍ଦୁଜାଙ୍କୁ ୪ ବର୍ଷ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସେହିପରି ତାଙ୍କ ପୁଅ ଅଜୟ ଓ ପତ୍ନୀ ନମ୍ରତାଙ୍କୁ ୪ ବର୍ଷ ଜେଲ ହୋଇଛି। ତେବେ ସ୍ୱିସ୍‌ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ବିରୋଧ କରି ହିନ୍ଦୁଜା ପରିବାର ଏହି ୪ ଅଭିଯୁକ୍ତ ହାଇକୋର୍ଟର ଦ୍ୱାରସ୍ଥ ହୋଇପାରନ୍ତି।

କୋର୍ଟ ନିଜ ରାୟରେ କହିଛନ୍ତି, ଭାରତରୁ ଅଣାଯାଇଥିବା ଘରୋଇ ସହାୟକଙ୍କୁ ଏମାନେ ଶୋଷଣ କରୁଥିଲେ। ଏପରିକି ସହାୟକଙ୍କୁ ସ୍ୱିଜରଲାଣ୍ଡ ନେବା ପରେ ସେମାନଙ୍କ ପାସପୋର୍ଟ ମଧ୍ୟ ଜବତ କରିନେଉଥିଲେ। ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟସେବା ମଧ୍ୟ ଯୋଗାଉ ନଥିଲେ। ହିନ୍ଦୁଜା ପରିବାର ନିଜ ଘରୋଇ ସହାୟକଙ୍କୁ ଯେତିକି ଦରମା ଦେଉଥିଲେ, ତାହା ସ୍ୱିଜରଲାଣ୍ଡରେ ସେହି ଚାକିରି ପାଇଁ ଦିଆଯାଉଥିବା ମଜୁରୀ ଠାରୁ ଢ଼େର୍‌ କମ୍‌ ଥିଲା।

Advertisment

ବ୍ରିଟେନର ସବୁଠାରୁ ଧନୀ ହିନ୍ଦୁଜା ପରିବାର ଉପରେ ଘରୋଇ ସହାୟକଙ୍କ ପାସ୍‌ପୋର୍ଟ ଜବତ କରିନେଇଥିବା ନେଇ ଜଣେ ସରକାରୀ ଓକିଲ ଅଭିଯୋଗ ଆଣିଥିଲେ। ଜଣେ କର୍ମଚାରୀଙ୍କ ଦରମା ଅପେକ୍ଷା ସେ ନିଜ କୁକୁରରେ ଅଧିକ ଖର୍ଚ୍ଚ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଅଧିକନ୍ତୁ, କର୍ମଚାରୀମାନଙ୍କୁ ସ୍ୱିସ୍ ଫ୍ରାଙ୍କ ବଦଳରେ ଭାରତୀୟ ମୁଦ୍ରାରେ ଟଙ୍କା ଦିଆଯାଉଥିଲା।

କେବଳ ସେତିକି ନୁହେଁ ହିନ୍ଦୁଜା ପରିବାର ସେମାନଙ୍କ ଘରୋଇ ସହାୟକଙ୍କୁ ବଙ୍ଗଳା ଛାଡିବାକୁ ବାହାରକୁ ଯିବାକୁ ବାରଣ କରିଥିଲେ। ଏଥିସହ ସେମାନଙ୍କୁ ବିନା ଛୁଟିରେ ୧୬ରୁ ୧୮ ଘଣ୍ଟା କାମ କରିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି।

କହିରଖୁ ଯେ ୧୯୮୦ ମସିହାରେ ହିନ୍ଦୁଜା ପରିବାର ଭାରତରୁ ଯାଇ ସ୍ୱିଜରଲାଣ୍ଡରେ ରହୁଛନ୍ତି। ହିନ୍ଦୁଜା ଗ୍ରୁପର ଆଇଟି, ମିଡିଆ, ବିଦ୍ୟୁତ୍, ରିଅଲ୍ ଇଷ୍ଟେଟ୍ ଏବଂ ସ୍ୱାସ୍ଥ୍ୟସେବା ଭଳି କ୍ଷେତ୍ରରେ ବ୍ୟବସାୟ ରହିଛି। ଫୋର୍ବସ୍ ଅନୁଯାୟୀ ହିନ୍ଦୁଜା ପରିବାରର ମୋଟ ସମ୍ପତ୍ତି ପ୍ରାୟ ୨୦ ବିଲିୟନ ଡଲାର ଅଟେ। ସେ ବ୍ରିଟେନ୍‌ର ସବୁଠାରୁ ଧନୀ ପରିବାର ଅଟନ୍ତି।

Swiss Court Hinduja Family Britains Richest Family Exploiting Servants