/odisha-reporter/media/post_attachments/uploadimage/library/16_9/16_9_0/Blast__1675088101.jpg)
Blast
ମସଜିଦ ଭଳି ପବିତ୍ର ସ୍ଥାନକୁ ରକ୍ତରଞ୍ଜିତ କରିଛନ୍ତି ଆତଙ୍କବାଦୀ। ପାକିସ୍ତାନର ପେଶାୱାରରେ ଥିବା ଗୋଟିଏ ମସଜିଦରେ ଜଣେ ତାଲିବାନ ଆତଙ୍କବାଦୀ ଆତ୍ମଘାତୀ ହମଲା କରିଛି। ମଧ୍ୟାହ୍ନ ପ୍ରାର୍ଥନା ଚାଲି ଥିବା ବେଳେ ବିସ୍ଫୋରଣ ହେବାରୁ ଏଯାଏ ୪୬ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ସେହିପରି ଆଉ ୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବିସ୍ଫୋରଣ ଯୋଗୁ ମସଜିଦର ଗୋଟିଏ ପାର୍ଶ୍ୱ ଭୁଶୁଡ଼ି ପଡ଼ିଛି। ତେଣୁ ଧ୍ୱଂସାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଇଛି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ପୁଲିସ, ସେନା ବାହିନୀ କର୍ମଚାରୀ ଓ ସ୍ୱାସ୍ଥ୍ୟ ଅଧିକାରୀ ଥିବା ଜଣାପଡ଼ିଛି।
ପେଶାୱାରର ପୁଲିସ ଲାଇନ୍ସ ଅଞ୍ଚଳରେ ଥିବା ମସଜିଦରେ ସ୍ଥାନୀୟ ସମୟ ୧.୪୦ରେ ବିସ୍ଫୋରଣ ହୋଇଛି। ଏହି ସମୟରେ ଜୁହର(ମଧ୍ୟାହ୍ନ) ପ୍ରାର୍ଥନା ପାଇଁ ସାଧାରଣ ଲୋକଙ୍କ ସମେତ ପୁଲିସ, ଆର୍ମି ଓ ବୋମା ନିଷ୍କ୍ରିୟ ଟିମ୍ର ସଦସ୍ୟମାନେ ମସଜିଦ ଭିତରେ ଏକାଠି ହୋଇଥିଲା। ଆତଙ୍କବାଦୀ ଜଣକ ପ୍ରାର୍ଥନା ଗୃହର ପ୍ରଥମ ଧାଡ଼ିରେ ଥିଲା। ଠିକ୍ ପ୍ରାର୍ଥନା ଆରମ୍ଭ ହେବା ବେଳକୁ ସେ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲା। ଲେଡୀ ରିଡିଂ ହସ୍ପିଟାଲର ଅଧିକାରୀ କହିଛନ୍ତି, ଏଯାଏ ୪୬ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ପେଶାୱାର ପୁଲିସ୍ ୩୮ ଜଣ ମୃତକଙ୍କ ତାଲିକା ଜାରି କରିଛି।
ହମଲା ପାଇଁ ତେହରିକ-ଇ-ତାଲିବାନ-ପାକିସ୍ତାନ(ଟିଟିପି) ନିଜକୁ ଦାୟୀ କରିଛି। ନିକଟରେ ପ୍ରାଣ ହରାଇଥିବା ଟିଟିପି କମାଣ୍ଡର ଉମର ଖାଲିଦ ଖୁରସାନିର ଭାଇ କହିଛି ଯେ ପ୍ରତିଶୋଧ ପାଇଁ ଆତ୍ମଘାତୀ ହମଲା କରାଯାଇଛି। ଏହାପୂର୍ବରୁ ମଧ୍ୟ ଟିଟିପି ପାକିସ୍ତାନରେ ଅନେକ ଆତ୍ମଘାତୀ ହମଲା କରିଥିଲା।
ପେଶୱାର ଏସ୍ପି ଶାଜାଦ କୌକାବ କହିଛନ୍ତି ଯେ ସେ ମସିଜିଦକୁ ପ୍ରାର୍ଥନା ପାଇଁ ପ୍ରବେଶ କରୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ତେବେ ସେ ସୌଭାଗ୍ୟବଶତଃ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ବିସ୍ଫୋରଣ ଯୋଗୁ ମସିଜିଦର ଗୋଟିଏ କାନ୍ଥ ଭୁଶୁଡ଼ି ପଡ଼ିଛି। ତେଣୁ ଏହା ତଳେ ଅନେକ ପୁଲିସ୍ କର୍ମଚାରୀ ଓ ଯବାନ ଫସି ରହିଥିବା ଆଶଙ୍କା କରାଯାଉଛି।
ଅନ୍ୟପକ୍ଷରେ ମସଜିଦଟି ଅତ୍ୟନ୍ତ ସୁରକ୍ଷା ବଳୟ ମଧ୍ୟରେ ସବୁବେଳେ ରହିଥାଏ। ଆଜି ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ତଥାପି କେମିତି ବିସ୍ଫୋରଣ ହେଲା, ତା’କୁ ନେଇ ପ୍ରଶ୍ନ ଉଠିଛି। ବିସ୍ଫୋରଣ ବେଳେ ଉକ୍ତ ଅଞ୍ଚଳରେ ୩୦୦ରୁ ୪୦୦ ପୁଲିସ୍ କର୍ମଚାରୀ ଉପସ୍ଥିତ ରହିଥିଲେ। ତେଣୁ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ହୋଇଥିବା ଜଣେ ପୁଲିସ୍ ଅଧିକାରୀ ସ୍ୱୀକାର କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
