/odisha-reporter/media/media_files/2026/02/10/murder-2026-02-10-16-32-06.jpg)
ସୁଶେନ ଚନ୍ଦ୍ର ସରକାର (ଫାଇଲ ଫଟୋ)
ଆସନ୍ତା ୧୨ ତାରିଖରେ ବାଂଲାଦେଶ(Bangladesh)ରେ ସାଧାରଣ ନିର୍ବାଚନ ହେବ। ହେଲେ ହିନ୍ଦୁ ବିରୋଧୀ ହିଂସା ବାଂଲାଦେଶରେ ଥମିବାର ନାଁ ଧରୁନି। ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ବାଂଲାଦେଶର ମୟମେନସିଂହ ଜିଲ୍ଲାରେ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।
ମୃତକ ଜଣଙ୍କ ହେଲେ ୬୨ ବର୍ଷୀୟ ସୁଶେନ ଚନ୍ଦ୍ର ସରକାର। ସେ ଜଣେ ଚାଉଳ ବ୍ୟବସାୟୀ ଭାବେ କାମ କରୁଥିଲେ। ତ୍ରିଶାଲ ଉପଜିଲ୍ଲାର ବୋଗାର ବଜାର ଛକ ନିକଟରେ ତାଙ୍କର ମେସର୍ସ ଭାଇ ଭାଇ ଏଣ୍ଟରପ୍ରାଇଜ ନାମକ ଗୋଟିଏ ଚାଉଳ ଗୋଦାମ ମଧ୍ୟ ରହିଛି। ସମାନ ଅଞ୍ଚଳରେ ଥିବା ସାଉଥକାଣ୍ଡା ଗାଁରେ ସେ ପରିବାର ଲୋକଙ୍କ ସହ ରହୁଥିଲେ।
ପୁଲିସ୍ର କହିବା କଥା ଯେ ସୋମବାର ରାତି ପ୍ରାୟ ୧୧ଟାରେ ପୂରା ଘଟଣା ଘଟିଛି। ରାତି ୧୧ଟା ବେଳେ ସରକାର ନିଜ ଗୋଦାମ ଭିତରେ ରହିଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ର ଧରି ସେଠାରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ଗୋଦାମ ଭିତରେ ପଶି ସେମାନେ ସରକାରଙ୍କୁ ହାଣି ପକାଇଥିଲେ। ଏହାପରେ ଗୋଦାମ ଭିତରେ ମୃତଦେକୁ ରଖି ବାହାରୁ ଶଟର ପକାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ।
କିଛି ସମୟ ପରେ ସ୍ଥାନୀୟ ଦୋକାନୀମାନଙ୍କ ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ। ତ୍ରିଶାଲ ପୁଲିସ୍ ଷ୍ଟେସନର ଅଫିସର ମହମ୍ମଦ ଫିରୋଜ ହୁସେନ ଘଟଣାକୁ ନିଶ୍ଚିତ କରିଛନ୍ତି। ତାଙ୍କ କହିବା କଥା ଯେ ଘଟଣାର ତଦନ୍ତ ଚାଲିଛି ଓ ଖୁବଶୀଘ୍ର ଘଟଣାରେ ସାମିଲ ଥିବା ଲୋକଙ୍କୁ ଗିରଫ କରାଯିବ। ହତ୍ୟାର କାରଣ ଜଣାପଡ଼ିନାହିଁ। ତଥାପି ପୁଲିସ୍ ଘଟଣାକୁ ସବୁ ଦିଗରୁ ତଦନ୍ତ କରୁଥିବା ସେ କହିଛନ୍ତି।
ବାଂଲାଦେଶରୁ ହସିନା ସରକାର ବିତାଡ଼ିତ ହେବା ପରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି। ବିଶେଷ କରି ଭାରତ ବିରୋଧୀ ଚିନ୍ତାଧାରା ରଖିଥିବା ନେତା ଶରିଫ ଉସମାନ ହାଡ଼ିର ମୃତ୍ୟୁ ପରେ ହିନ୍ଦୁଙ୍କ ଉପରେ ଆକ୍ରମଣ ବଢ଼ିଛି। ନିର୍ବାଚନ ୧୨ ତାରିଖରେ ହେବାକୁ ଥିବା ବେଳେ ଏପରି ହିଂସାକାଣ୍ଡ ହିନ୍ଦୁମାନଙ୍କ ସୁରକ୍ଷା ଉପରେ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
