/odisha-reporter/media/post_attachments/uploadimage/library/16_9/16_9_0/Jerusalem_1757324317.jpg)
Jerusalem
ଇସ୍ରାଏଲର ରାଜଧାନୀ ଜେରୁସାଲେମ ଉପକଣ୍ଠ ରାମୋଟ ଜଙ୍କସନରେ ଆଖିବୁଜା ଗୁଳିମାଡ଼ ହୋଇଛି। ଇସ୍ରାଏଲ ପକ୍ଷରୁ ଏହାକୁ ଆତଙ୍କବାଦୀ ହମଲା ଭାବେ ଅଭିହିତ କରାଯାଇଥିବା ବେଳେ ଏଥିରେ ୭ ଜଣଙ୍କ ଜୀବନ ଯାଇଛି। ସେହିପରି ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଆକ୍ରମଣକାରୀ ମଧ୍ୟ ରହିଛନ୍ତି।
ସ୍ଥାନୀୟ ପ୍ରଶାସନର କହିବା କଥା ଯେ ରାମୋଟ ଜଙ୍କସନ ନିକଟ ଗୋଟିଏ ଜନଗହଳୀପୂର୍ଣ୍ଣ ବସ୍ ଷ୍ଟାଣ୍ଡ ନିକଟରେ ୨ ଜଣ ଯୁବକ ହଠାତ୍ ପହଞ୍ଚି ଗୁଳିମାଡ଼ କରିଥିଲେ। ଗୁଳି ମାଡ଼ ଯୋଗୁ ଘଟଣାସ୍ଥଳରେ ୪ ଜଣ ଓ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆଖି ବୁଜିଛନ୍ତି। ୭ ଜଣ ଗୁରୁତର ଆହତ ହୋଇଥିବା ବେଳେ ୨ ଜଣ ମଧ୍ୟମ ଧରଣର ଓ ୩ ଜଣ ସାମାନ୍ୟ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଟାଇମ୍ସ ଅଫ ଇସ୍ରାଏଲରେ ରିପୋର୍ଟ ପ୍ରକାଶ ପାଇଛି।
ଇସ୍ରାଏଲର ନ୍ୟାଶନାଲ ଏମର୍ଜେନ୍ସି ମେଡିକାଲ ସର୍ଭିସ ମାଗେନ ଡାଭିଡ ଆଡୋମ(ଏମଡିଏ) ପକ୍ଷରୁ କୁହାଯାଇଛି ଯେ ଘଟଣା ପରେ ଅନେକ ଲୋକଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗୁଳିମାଡ଼ ଯୋଗୁ ଘଟଣା ସ୍ଥଳରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିଲା। ଚାରିଆଡ଼େ ଭଙ୍ଗାକାଚ ଠାରୁ ଆରମ୍ଭ କରି ଲୋକଙ୍କ ଜିନିଷପତ୍ର ଛିଟିକି ହୋଇ ପଡ଼ି ରହିଥିଲା। ପ୍ରଥମେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପରେ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା।
ଆକ୍ରମଣମାନେ Egged Bus 62ରେ ଆସିଥିଲେ। ସେମାନେ ସାଧାରଣ ଲୋକଙ୍କୁ ଗୁଳି ମାଡ଼ କରୁଥିବା ବେଳେ ସୁରକ୍ଷାକର୍ମୀ ସେଠାରେ ପହଞ୍ଚିଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆକ୍ରମଣ ପ୍ରାଣ ହରାଇଛନ୍ତି।
ଟାଇମ୍ସ ଅଫ ଇସ୍ରାଏଲରେ ରିପୋର୍ଟ ପ୍ରକାଶ ପାଇଛି ଯେ ଦୁଇ ଆକ୍ରମଣକାରୀ ପାଲେଷ୍ଟାଇନର ପଶ୍ଚିମ ପ୍ରାନ୍ତରୁ ଆସିଥିଲେ। ଇସ୍ରାଏଲ ଅଧିକାରୀ ସେମାନଙ୍କୁ ଆତଙ୍କବାଦୀ ଭାବେ ଚିହ୍ନଟ କରିଛନ୍ତି। କିନ୍ତୁ ସେମାନଙ୍କ ପରିଚୟକୁ ଏବେ ବି ଯାଞ୍ଚ କରାଯାଉଛି। ସେହିପରି ଆକ୍ରମଣର କାରଣ ମଧ୍ୟ ଜଣାପଡ଼ି ନାହିଁ।
ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି। ସୁରକ୍ଷା ଏଜେନ୍ସି ପକ୍ଷରୁ ଜେରୁସାଲେମର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ମାର୍ଗକୁ ସିଲ କରିଦିଆଯାଇଛି। ଆକ୍ରମଣ ପଛରେ ଆଉ କିଏ ରହିଛନ୍ତି କି ନାହିଁ, ତା’ର ଯାଞ୍ଚ ଆରମ୍ଭ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
