ବାଂଲାଦେଶରେ ନିର୍ବାଚନର ଦିନକ ପୂର୍ବରୁ ଭୟଙ୍କର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଯାଇଛି ଯାତ୍ରୀବାହୀ ଟ୍ରେନ୍। ଏଥିରେ ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ବେନାପୋଲ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନଟି ରାଜଧାନୀ ଢାକା ଅଭିମୁଖେ ଯାଉଥିଲା। ହଠାତ୍ ରାତି ପ୍ରାୟ ୯ଟା ସମୟରେ ସୟେଦାବାଦର ଗୋଲାପବାଗ ନିକଟରେ ଟ୍ରେନରେ ନିଆଁ ଲାଗି ଯାଇଥିଲା। ଧୀରେ ଧୀରେ ୪ଟି ବଗିକୁ ବ୍ୟାପି ଯାଇଥିଲା ନିଆଁ। ଖବର ପାଇ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ରାତି ପ୍ରାୟ ୧୦.୩୦ ବେଳକୁ ନିଆଁକୁ ଆୟତ୍ତ କରାଯାଇଥିଲା। ଟ୍ରେନରେ ବହୁ ଭାରତୀୟ ମଧ୍ୟ ଯାତ୍ରା କରୁଥିବା ସୂଚନା ମିଳିଛି।
ଟ୍ରେନରେ ଉଦ୍ଦେଶ୍ୟମୂଳକ ଭାବେ ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ କରାଯାଉଛି। ଏହାକୁ ପ୍ରାକ୍-ନିର୍ବାଚନୀ ହିଂସାକାଣ୍ଡ ବୋଲି ଆଶଙ୍କା କରୁଛି ପୁଲିସ। ପ୍ରକାଶ ଥାଉ କି, ଆସନ୍ତାକାଲି ବାଂଲାଦେଶରେ ସାଧାରଣ ନିର୍ବାଚନ ପାଇଁ ଭୋଟିଂ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।