/odisha-reporter/media/post_attachments/uploadimage/library/16_9/16_9_0/Israel__1727179268.jpg)
Israel
ମଧ୍ୟପ୍ରାଚ୍ୟର ସୁଇଜରଲ୍ୟାଣ୍ଡ କୁହାଯାଉଥିବା ଲେବାନନ ଏବେ ପୂରା ଛାରଖାର ହୋଇଯାଇଛି। ଦକ୍ଷିଣ ଲେବାନନରେ ଇସ୍ରାଏଲ କରିଛି ସବୁଠାରୁ ବଡ଼ ହମଲା। ବିଦ୍ରୋହୀ ସଂଗଠନ ହେଜବୁଲ୍ଲାକୁ ଟାର୍ଗେଟ କରି ଇସ୍ରାଏଲ କରିଥିବା ଘନଘନ ରକେଟ ଓ ବୋମା ମାଡ଼ରେ ସବୁ କିଛି ମାଟିରେ ମିଶି ଯାଇଛି। ଇସ୍ରାଏଲର ହମଲାରେ ୫୫୮ ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ୫୦ ଜଣ ଛୋଟ ପିଲା ଓ ୯୪ ଜଣ ମହିଳା ରହିଛନ୍ତି।
୨୦୦୬ ଠାରୁ ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ୟରେ ତିକ୍ତତା ଲାଗି ରହିଛି। କିନ୍ତୁ ଆଜି ଯାଏ ଲେବାନନରେ ସକ୍ରିୟ ଥିବା ହେଜବୁଲ୍ଲାକୁ ଟାର୍ଗେଟ କରି ଇସ୍ରାଏଲ କେବେ ବି ଏତେ ଭୟଙ୍କର ଆକ୍ରମଣ କରି ନଥିଲା। ଇସ୍ରାଏଲ ଆକ୍ରମଣର ଜବାବରେ ଉତ୍ତର ଇସ୍ରାଏଲ ଉପରେ ମଧ୍ୟ ହେଜବୁଲ୍ଲା ପକ୍ଷରୁ ପ୍ରାୟ ୨୦୦ଟି ରକେଟ ମାଡ଼ କରାଯାଇଛି।
ବିଳମ୍ବିତ ରାତିରେ ହେଜବୁଲ୍ଲା ରକେଟ ମାଡ଼ କରିବାରୁ ହୈଫା, ଅଫୁଲା, ନାଜାରେଥ ଓ ଅନ୍ୟ କିଛି ସମୟରେ ନିରବଚ୍ଛିନ ଭାବେ ରକେଟ ସାଇରନ ବାଜି ଚାଲିଛି। ଇସ୍ରାଏଲର ଏକାଧିକ ମିଲିଟାରୀ ବେସ୍ ଓ ଏୟାର ଫିଲ୍ଡକୁ ଟାର୍ଗେଟ କରି ଏପରି ଆକ୍ରମଣ ହୋଇଥିବା ହେଜବୁଲ୍ଲା କହିଛି। କିନ୍ତୁ ଇସ୍ରାଏଲର ଏଥିରେ କ’ଣ ସବୁ କ୍ଷୟକ୍ଷତି ହୋଇଛି, ସେକଥା ଜଣାପଡ଼ିନି।
ସୋମବା ଠାରୁ ଇସ୍ରାଏଲ ସେନା ଆକ୍ରମଣ ଆରମ୍ଭ କରି ଦେଇଥିବାରୁ ହଜାର ହଜାର ଲୋକ ଦକ୍ଷିଣ ଲେବାନନ ଛାଡ଼ି ରାଜଧାନୀ ବେରୁଟ ମୁହାଁ ହୋଇଛନ୍ତି। ସେମାନେ ଜୀବନ ବଞ୍ଚାଇବାକୁ ଏବେ ବେରୁଟ ଆଡ଼େ ଚାଲିଛନ୍ତି। ଏଥିଯୋଗୁ ରାସ୍ତାରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି।
ମିଶାଇଲ ଆକ୍ରମଣେ ଦକ୍ଷିଣ ଲେବାନନର ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଠାରେ ଥିବା ଅଧିକାଂଶ ଘର ମାଟିରେ ମିଶି ଯାଇଥିବା ବେଳେ ଧ୍ୱଂସାବଶେଷ ତଳୁ ଲୋକମାନେ ନିଜ ପ୍ରିୟଜନଙ୍କୁ ଖୋଜୁଛନ୍ତି। ଏକାଧିକ ପ୍ରତିଷ୍ଠାନ ମଧ୍ୟ ଇସ୍ରାଏଲ ଏୟାର ଷ୍ଟ୍ରାଇକରେ କ୍ଷତିଗ୍ରସ୍ତ ହୋଇଛି। ଚାରିଆଡ଼େ କେବଳ ଧୂଆଁ ଓ ଧ୍ୱଂସର ଭୟଙ୍କର ଚିତ୍ର ଦେଖିବାକୁ ମିଳୁଛି। ଏବେ ବି ହସ୍ପିଟାଲରେ ୨ ହଜାରରୁ ଅଧିକ ଲୋକ ଚିକିତ୍ସିତ ହେଉଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
