Advertisment

Masood Azhar: ଜୈଶର ମହିଳା ୱିଙ୍ଗରେ ୫ ହଜାର ସଦସ୍ୟ, ମିଳିଛି ଆତ୍ମଘାତୀ ହମଲାର ଟ୍ରେନିଂ

ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନାର ଷ୍ଟ୍ରାଇକରେ ଆଝାର ପରିବାର ଏକାଧିକ ସଦସ୍ୟ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ସାଦିୟାର ସ୍ୱାମୀ ୟୁସୁଫ ଆଝାର ରହିଥିଲା। ୟୁସୁଫର ମୃତ୍ୟୁ ପରେ ଜୈଶ ଗଠନ କରିଥିବା ମହିଳା ୱିଙ୍ଗର ମୁଖିଆ ଭାବେ ତା’ ପତ୍ନୀ ସାଦିୟାକୁ ନିଯୁକ୍ତି ମିଳିଛି।

author-image
Hemant Lenka
Masood-azhar

ମସୁଦ ଆଝାର

ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ମୁଖ୍ୟ ମସୁଦ ଆଝାର ବଡ଼ ଦାବି କରିଛି। ଜୈଶର ମହିଳା ୱିଙ୍ଗ ମାତ୍ର କିଛି ଦିନ ମଧ୍ୟରେ ୫ ହଜାର ସଦସ୍ୟଙ୍କୁ ନିଯୁକ୍ତ କରିବାକୁ ସକ୍ଷମ ହୋଇଛି। ଏହି ସଦସ୍ୟମାନଙ୍କୁ ଆତ୍ମଘାତୀ ହମଲାର ତାଲିମ ମଧ୍ୟ ଦିଆଯାଇଛି।

Advertisment

ଅପରେସନ ସିନ୍ଦୂର ସମୟରେ ଭାରତୀୟ ସେନାର ଷ୍ଟ୍ରାଇକରେ ଆଝାର ପରିବାର ଏକାଧିକ ସଦସ୍ୟ ନିହତ ହୋଇଥିଲେ। ଏମାନଙ୍କ ମଧ୍ୟରେ ସାଦିୟାର ସ୍ୱାମୀ ୟୁସୁଫ ଆଝାର ରହିଥିଲା। ୟୁସୁଫର ମୃତ୍ୟୁ ପରେ ଜୈଶ ଗଠନ କରିଥିବା ମହିଳା ୱିଙ୍ଗର ମୁଖିଆ ଭାବେ ତା’ ପତ୍ନୀ ସାଦିୟାକୁ ନିଯୁକ୍ତି ମିଳିଛି।

କୁହାଯାଉଛି ଯେ ଏହି ଆତଙ୍କବାଦୀ ସଂଗଠନରେ ଜୈଶର ସଦସ୍ୟ ହୋଇଥିବା ବ୍ୟକ୍ତିମାନଙ୍କ ପତ୍ନୀ ଓ ଆର୍ଥିକ ପଛୁଆ ବର୍ଗର ମହିଳାଙ୍କୁ ସାମିଲ କରାଯାଉଛି। ବିଶେଷ କରି ବାହାବଲପୁର, କରାଚି, ମୁଜାଫରବାଦ, କୋଟଲି, ହରିପୁର ଓ ମାନସେହରା ଠାରେ ଥିବା କେନ୍ଦ୍ରଗୁଡ଼ିକରେ ପଢ଼ୁଥିବା ଯୁବତୀ ଏବଂ ମହିଳାମାନଙ୍କୁ ଜମାତ-ଉଲ-ମୋମିନାତ ପାଇଁ ଟାର୍ଗେଟ କରାଯାଉଛି। 

Advertisment

ଜୈଶର ମହିଳା ୱିଙ୍ଗ ମାନସିକ ଯୁଦ୍ଧରେ ସାମିଲ ହେବ। ସଂଗଠନ ସମ୍ପର୍କରେ ପ୍ରଚାର କରିବ ଓ ତୃଣମୂଳ ସ୍ତରରେ ନିଯୁକ୍ତି କଥା ବୁଝିବ। ସୋଶାଲ ମିଡିଆ, ହ୍ୱାଟସ ଆପ ଗ୍ରୁପ ଓ କିଛି ମଦ୍ରାସାରେ ଜମାତ-ଉଲ-ମୋମିନାତର କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର କରାଯାଉଛି। ଜମ୍ମୁ-କଶ୍ମୀର, ଉତ୍ତର ପ୍ରଦେଶ ଓ ଦକ୍ଷିଣ ଭାରତର କିଛି ଅଞ୍ଚଳରେ ଅନଲାଇନ ଦ୍ୱାରା ଜମାତ-ଉଲ- ମୋମିନାର ନେଟୱର୍କକୁ ବିସ୍ତାର କରିବାକୁ କିଛି ମାତ୍ରାରେ ସକ୍ଷମ ହୋଇଛି। 

ଜୈଶ ପୂର୍ବରୁ ମହିଳାମାନଙ୍କୁ ସଶସ୍ତ୍ର ଜିହାଜ ଓ ଲଢ଼େଇ ମିଶନରୁ ଦୂରେଇ ରଖୁଥିଲା। କିନ୍ତୁ ଭାରତର ଶାଣିତ ଜବାବ ପରେ ଜୈଶ ନିଜର  ଆଭିମୁଖ୍ୟ ବଦଳାଇଛି। ମସୁଦ ଆଝାର(Masood Azhar) ଓ ତା’ ଭାଇ ତଲହା ଅଲ ସୈଫ ମିଳିତ ଭାବେ ମହିଳା ଶାଖା ଖୋଲିବାକୁ ଅନୁମତି ଦେଇଥିଲା। ଏବେ ଏହାର ମହିଳା ୱିଙ୍ଗ ମଧ୍ୟ ଧୀରେଧୀରେ ସକ୍ରିୟ ହୋଇଛି। 

ଜୈଶ ନିଜର ଉପସ୍ଥିତିକୁ ଜାହିର କରିବା ଓ ମହିଳାମାନଙ୍କୁ ନିଯୁକ୍ତି ଦେଇ ସଂଗଠନକୁ ବିସ୍ତାର କରିବା ହିଁ ଜମାତ-ଉଲ-ମୋମିନାତର ଲକ୍ଷ୍ୟ। ଏବେ ସଂଗଠନରେ ୫ ହଜାର ସଦସ୍ୟ ସାମିଲ ହୋଇ ସାରିଥିବା ଆଝାର ନିକଟରେ କରିଥିବା ସୋଶାଲ ମିଡିଆ ପୋଷ୍ଟରୁ ସ୍ପଷ୍ଟ ହୋଇଛି।

ସେ କହିଛି ଯେ ସଂଗଠନ ସହ ନକଟରେ ହିଁ ୫ ହଜାର ମହିଳା ସାମିଲ ହୋଇଛନ୍ତି। ସେମାନଙ୍କ ତାଲିମ ଆରମ୍ଭ ହୋଇଛି। ଏଥିସହ ଜିଲ୍ଲା ସ୍ତରୀୟ ସଂଗଠନ ପୂରା ପାକିସ୍ତାନ ଅଧିକୃତ କଶ୍ମୀରରେ ତିଆରି କରି ନିଯୁକ୍ତି ଓ ତାଲିମକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ସେ କହିଛି। ଆଝାରର କହିବା କଥା ଯେ ପ୍ରତି ଜିଲ୍ଲାରେ ସଂଗଠନର ଗୋଟିଏ ଅଫିସ ରହିବ। ଏହାର ନେତୃତ୍ୱ ଜଣେ ମହିଳା ରହିବେ। ଏହି ମହିଳା ସଦସ୍ୟ ସଂଗଠନର ପୂରା କାର୍ଯ୍ୟକଳାପର ତଦାରଖ କରିବେ। 

Masood Azhar