Fire
ଚାରିଆଡ଼େ ବରଫର ପାହାଡ଼। ଏହା ଉପରେ ରହିଛି ହୋଟେଲ। ପାହାଡ଼ ଉପରେ ଥିବା ହୋଟେଲରେ ରହି ପୂରା ତୁଷାରପାତର ମଜା ନେଉଥିଲେ ଲୋକ। ରାତିରେ ମଧ୍ୟ ସେହି ହୋଟେଲରେ ରହିଥିଲେ। କିନ୍ତୁ ରାତିରେ ଶୋଇବାକୁ ଯାଇଥିବା ୬୬ ଜଣ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ହୋଟେଲର ରେଷ୍ଟୁରାଣ୍ଟରୁ ଆରମ୍ଭ ହୋଇଥିବା ନିଆଁ ରିସର୍ଟରେ ରହୁଥିବା ୬୬ ଜଣଙ୍କ ଜୀବନର ଦୀପକୁ ସବୁଦିନ ପାଇଁ ଲିଭାଇ ଦେଇଛି।
ନିଆଁ ଓ ଧୂଆଁରେ ୬୩ ଜଣ ପ୍ରାଣ ହରାଇଛନ୍ତି। ସେହିପରି ନିଆଁକୁ ଦେଖି ଭୟରେ ହୋଟେଲର ଝରକା ପଟେ ବାହାରକୁ ଡେଇଁ ପଡ଼ିଥିବା ଆଉ ୩ ଜଣଙ୍କ ମଧ୍ୟ ଜୀବନ ଯାଇଛି। ଏହି ଘଟଣାରେ ବାକି ୫୧ ଜଣ ଆହତ ହୋଇଛନ୍ତି। ତୁର୍କୀର ଉତ୍ତରପଶ୍ଚିମ ଦିଗରେ ଥିବା ଗୋଟିଏ ହୋଟେଲରେ ଏପରି ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି।
ତୁର୍କୀର ବୋଲୁ ପ୍ରଦେଶର କାର୍ତାଲକୟା ଠାରେ ରହିଛି ୧୨ ମହଲା ବିଶିଷ୍ଟ ଗ୍ରାଣ୍ଡ କର୍ତାଲ ହୋଟେଲ। ଏହି ହୋଟେଲଟି ପାହାଡ଼ ଉପରେ ଅବସ୍ଥିତ। ଏହାର ଚାରିପଟକୁ ଏକାଧିକ ପାହାଡ଼ ଘେରି ରହିଛି। ସେହିପରି ତୁଷାରପାତ ମଧ୍ୟ ହୋଇଥାଏ। ଉକ୍ତ ହୋଟେଲରେ ୨୩୪ ଜଣ ଲୋକ ରହିଥିଲେ। ସେମାନେ ଦିନ ତମାମ ସୁନ୍ଦର ପରିବେଶକୁ ଉପଭୋଗ କରି ରାତିରେ ଶୋଇବାକୁ ଚାଲି ଯାଇଥିଲେ।
କିନ୍ତୁ ରାତି ୩.୩୦ରେ ଘଟିଥିଲା ଅଘଟଣ। ହଠାତ୍ ହୋଟେଲର ରେଷ୍ଟୁରାଣ୍ଟରେ ଲାଗି ଯାଇଥିଲା ନିଆଁ। ଚାହୁଁଚାହୁଁ ନିଆଁ ହୋଟେଲକୁ ବ୍ୟାପି ଯାଇଥିଲା। ଏଥିଯୋଗୁ ୬୬ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଆଉ ୫୧ ଜଣ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଆଁକୁ ଦେଖି କିଛି ଲୋକ ହୋଟେଲର ଝରକା ଦେଇ ଭୟରେ ତଳକୁ ଡେଇଁ ପଡ଼ିଥିଲେ। ଫଳରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଆଉ କିଛି ଜଣ ଆହତ ହୋଇଥିଲେ।
ନିଆଁ ଲିଭା କାର୍ଯ୍ୟରେ ୩୦ଟି ଗାଡ଼ି ନିୟୋଜିତ ହୋଇଥିବା ବେଳେ ଗୁରୁତରମାନଙ୍କୁ ହସ୍ପିଟାଲ ପଠାଇବା ପାଇଁ ୨୮ଟି ଆମ୍ବୁଲାନ୍ସର ବ୍ୟବହାର କରାଯାଇଥିଲା। ଗ୍ରାଣ୍ଡ କର୍ତାଲରେ ନିଆଁ ଲାଗିଥିଲେ ହେଁ ଆଖପାଖ ଅଞ୍ଚଳରେ ଥିବା ଅନ୍ୟ ହୋଟେଲରୁ ମଧ୍ୟ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା।
ଆଭ୍ୟନ୍ତରୀଣ ମନ୍ତ୍ରୀ ଅଲୀ ୟେରଲିକାୟା କହିଛନ୍ତି, ବିଳମ୍ବିତ ରାତିରେ ରେଷ୍ଟୁରାଣ୍ଟରେ ଲାଗିଥିବା ନିଆଁ ହୋଟେଲକୁ ବ୍ୟାପିଥିଲା। ନିଆଁ ଲିଭା କାର୍ଯ୍ୟରେ ୨୬୭ ଜଣ ଲୋକ ନିୟୋଜିତ ହୋଇଥିଲେ। ବିଭିନ୍ନ ସରକାରୀ ସଂସ୍ଥା ସହ ସଂଗଠନର ସଦସ୍ୟମାନେ ବି ନିଆଁ ଲିଭାଇବାରେ ସହାୟତା କରିଥିଲେ। ତୁର୍କୀର ରାଜଧାନୀ ଅଙ୍କାରା ଠାରୁ ୧୦୦ କିମି ଦୂରରେ ହୋଟେଲଟି ରହିଛି।
୪ର୍ଥ ମହଲାରେ ଥିବା ରେଷ୍ଟୁରାଣ୍ଟରୁ ଆରମ୍ଭ ହୋଇଥିବା ନିଆଁ ପୂରା ହୋଟେଲକୁ ମାତ୍ର କିଛି ସେକେଣ୍ଡ ମଧ୍ୟରେ ବ୍ୟାପୀ ଯାଇଥିଲା। ହୋଟେଲର ଛାତ ଓ ଉପର ମହଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ତେଣୁ ତଳ ମହଲାରେ ଥିବା ଲୋକମାନେ ସୁରକ୍ଷିତ ଭାବେ ବାହାରକୁ ଚାଲି ଆସିବାକୁ ସକ୍ଷମ ହୋଇଥିଲେ ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Fire_1737466063.jpg)