/odisha-reporter/media/media_files/2026/01/24/blast-2026-01-24-11-55-55.jpg)
ବିସ୍ଫୋରଣ ପରର ଦୃଶ୍ୟ
ବାହାଘର ପାଇଁ ସମସ୍ତେ ଖୁସି ଥିଲେ। ଅତିଥିଙ୍କ ଆଗମନ ଯୋଗୁ ବାହାଘର ପାର୍ଟିରେ ଖଚାଖଚ ଭିଡ଼ ରହିଥିଲା। କିଏ ଖୁସିରେ ନାଚୁଥିଲେ ତ ଆଉ କିଏ ଖାଇବା ଉପଭୋଗ କରୁଥିଲେ। କିନ୍ତୁ ହଠାତ୍ ଜଣେ ଆତ୍ମଘାତୀ ଆତଙ୍କବାଦୀ ଘଟାଇଛି ଭୟଙ୍କର କାଣ୍ଡ। ସେ ବାହାଘର ଭିଡ଼ ମଧ୍ୟରେ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛି।
ପାକିସ୍ତାନ(Pakistan)ର ଖାୟବର ପାଖତୁନଖ୍ୱା ପ୍ରଦେଶରେ ଚାଲିଥିବା ଏହି ବାହାଘର ପାର୍ଟିରେ ଆତ୍ମଘାତୀ ହମଲା ଯୋଗୁ ୭ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଆଉ ୨୫ ଜଣ ଆହତ ହୋଇଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ମଧ୍ୟ ରହିଛି।
ପୁଲିସ୍ର ସୂଚନା ଅନୁଯାୟୀ, ଆତ୍ମଘାତୀ ହମଲା ଡେରା ଇସ୍ମାଇଲ ଖାନ ଜିଲ୍ଲାରେ ରହୁଥିବା ସରକାର ସମର୍ଥିତ ସଂପ୍ରଦାୟର ନୁର ଆଲାମ ମେହସୁଦଙ୍କ ଘରେ ହୋଇଛି। ଜଣେ ଆତ୍ମଘାତୀ ଆତଙ୍କୀ ନିଜ ଦେହରେ ବିସ୍ଫୋରକ ଖଞ୍ଜି ଏପରି ବିସ୍ଫୋରଣ କରିଛି। ବିସ୍ଫୋରଣ ଯୋଗୁ ସମସ୍ତେ ଆତଙ୍କିତ ହୋଇ ପଡ଼ିଥିଲେ। ଖଣ୍ଡବିଖଣ୍ଡିତ ମୃତଦେହ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି।
ଅତିଥିମାନେ ଡ୍ୟାନ୍ସ କରୁଥିବା ବେଳେ ହିଁ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ରହିଥିଲା ଯେ ଘରର ଛାତ ଭୁଶୁଡ଼ି ପଡ଼ିଛି। ଏହା ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ପୁଲିସ୍ ଟିମକୁ ବେଶ ନାକେଦମ ହେବାକୁ ପଡ଼ିଥିଲା। ମୃତକଙ୍କ ମଧ୍ୟରେ ଜଣେ ‘ଗୁଡ ତାଲିବ’ ରହିଛନ୍ତି।
ଗୁଡ ତାଲିବ ଅର୍ଥ ସେ ଜଣେ ପୂର୍ବତନ ବିଦ୍ରୋହୀ। ପରବର୍ତ୍ତୀ ସମୟରେ ସେ ବନ୍ଧୁକ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ବାକି ମୃତକ ହେଉଛନ୍ତି ଗୁଡ ତାଲିବଙ୍କ ସମ୍ପର୍କୀୟ। ସେହିପରି ଶାନ୍ତି କମିଟିର ନେତା ୱାହିଦୁଲ୍ଲା ମେହସୁଦଙ୍କ ମଧ୍ୟ ବିସ୍ଫୋରଣରେ ମୃତ୍ୟୁ ଘଟିଥିବା କୁହାଯାଉଛି।
ପୁଲିସ୍ କହିଛି ଯେ ଘଟଣା ପରେ ମୃତାହତଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।
ଘଟଣା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପୂରା ଅଞ୍ଚଳକୁ କର୍ଡନ କରାଯାଇଛି। ଘଟଣା ପାଇଁ କୌଣସି ସଂଗଠନ ଏଯାଏ ନିଜକୁ ଦାୟୀ କରି ନାହାନ୍ତି। କିନ୍ତୁ ପାକିସ୍ତାନ ତାଲିବାନ ବା ଟିଟିପି ଏହା ପଛରେ ଥିବା କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
