Advertisment

POK Protest: ପାକିସ୍ତାନ ସରକାରଙ୍କ ବିରୋଧରେ ପାକ୍‌ ଅଧିକୃତ କଶ୍ମୀରବାସୀଙ୍କ ଆନ୍ଦୋଳନ ଜାରି, ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ନିହତ

ପାକିସ୍ତାନ ସରକାର ପାକ୍‌ ଅଧିକୃତ କଶ୍ମୀରର ନାଗରିକମାନଙ୍କୁ ସେମାନଙ୍କ ମୌଳିକ ଅଧିକାର ପ୍ରଦାନ କରୁ ନଥିବା ଅଭିଯୋଗ କରି ‘ଯୁଗ୍ମ ଆୱାମୀ ଆକ୍ସନ କମିଟି’ ନେତୃତ୍ୱରେ ଗତ ୩ ଦିନ ହେଲାଣି ସେଠାରେ ଆନ୍ଦୋଳନ ଚାଲିଛି।

author-image
Jitendra Garnayak
Rescue

ଜଣେ ଆହତ ଆନ୍ଦୋଳନକାରୀଙ୍କୁ ଅନ୍ୟମାନେ ବୋହି ନେଉଛନ୍ତି। Photograph: (Agency)

ପାକିସ୍ତାନ ସରକାରଙ୍କ ବିରୋଧରେ ପାକିସ୍ତାନ ଅଧିକୃତ କଶ୍ମୀର (POK)ର ନାଗରିକମାନଙ୍କ ଆନ୍ଦୋଳନ ଆଜି ତୃତୀୟ ଦିନରେ ପହଞ୍ଚିଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ବାଗ ଜିଲ୍ଲାର ଧିରକୋଟରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୁଜଫରାବାଦ ଓ ମୀରପୁରରେ ୨ ଜଣ ଲେଖାଏଙ୍କ ମୃତ୍ୟୁ ହୋଇଛି। ଗତକାଲି ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ ଏହି ଆନ୍ଦୋଳନ ଯୋଗୁ ମୋଟ ୧୦ ଜଣ ପ୍ରାଣ ହରାଇସାରିଲେଣି। 

Advertisment

ପାକିସ୍ତାନ ସରକାର ପାକ୍‌ ଅଧିକୃତ କଶ୍ମୀରର ନାଗରିକମାନଙ୍କୁ ସେମାନଙ୍କ ମୌଳିକ ଅଧିକାର ପ୍ରଦାନ କରୁ ନଥିବା ଅଭିଯୋଗ କରି ‘ଯୁଗ୍ମ ଆୱାମୀ ଆକ୍ସନ କମିଟି’ ନେତୃତ୍ୱରେ ଗତ ୩ ଦିନ ହେଲାଣି ସେଠାରେ ଆନ୍ଦୋଳନ ଚାଲିଛି। ଏହି ଆନ୍ଦୋଳନ ଯୋଗୁ ପାକ୍ ଅଧିକୃତ କଶ୍ମୀରରେ ସମସ୍ତ ଦୋକାନ, ବଜାର ବନ୍ଦ ରହିଛି। ତା’ସହିତ ଗମନାଗମନ ମଧ୍ୟ ପୂରା ବନ୍ଦ ରହିଛି।

ଆଜି ସକାଳେ ଆନ୍ଦୋଳନକାରୀମାନେ ମୁଜଫରାବାଦ ଅଭିମୁଖେ ଯାଉଥିବା ବେଳେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ବାଧା ଦେବା ପାଇଁ ବାଟରେ ବ୍ରିଜ୍‌ଗୁଡ଼ିକରେ ବଡ଼ ବଡ଼ କଣ୍ଟେନର ରଖି ଦେଇଥିଲେ। ବିକ୍ଷୋଭକାରୀମାନେ କଣ୍ଟେନରଗୁଡ଼ିକୁ ପଥର ମାରିବା ସହିତ ସେଗୁଡ଼ିକୁ ଠେଲି ନଦୀକୁ ଫୋପାଡ଼ି ଦେଇଥିଲେ। ଶହ ଶହ ଆନ୍ଦୋଳନକାରୀ ଏକାଠି ହୋଇ କଣ୍ଟେନରଗୁଡ଼ିକୁ ବ୍ରିଜ୍‌ରୁ ନଦୀକୁ ଠେଲୁ ଥିବାର ଭିଡିଓ ସାମ୍ନାକୁ ଆସିଛି। 

Advertisment

ଆଜି ବିକ୍ଷୋଭ ପ୍ରଦର୍ଶନ ବେଳେ ୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପାଇଁ ‘ଯୁଗ୍ମ ଆୱାମୀ ଆକ୍ସନ କମିଟି’ ପାକିସ୍ତାନ ରେଞ୍ଜର୍ସ ଓ ପାକିସ୍ତାନ ସେନା ସହିତ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସୀଗୁଡ଼ିକୁ ଦାୟୀ କରିଛି। 

ପାକ୍ ରେଞ୍ଜର୍ସଙ୍କ ଗୁଳିମାଡ଼ରେ ମୁଜଫରାବାଦରେ ୪ ଜଣ ନାଗରିକଙ୍କ ମୃତ୍ୟୁ ହେବା ସତ୍ତ୍ୱେ ଆନ୍ଦୋଳନକାରୀଙ୍କ ଶୋଭାଯାତ୍ରା ଚାଲିଥିଲା। ସେମାନଙ୍କର ମୋଟ ୩୮ଟି ଦାବି ରହିଛି। ପାକ୍‌ ଅଧିକୃତ କଶ୍ମୀର ବିଧାନସଭାରେ ୧୨ଟି ଆସନ ପାକିସ୍ତାନରେ ବସବାସ କରୁଥିବା କଶ୍ମୀରୀ ଶରଣାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଏହାକୁ ସଂପୂର୍ଣ୍ଣ ଭାବେ ହଟାଇବା ପାଇଁ ଦାବି କରିଛନ୍ତି ଆନ୍ଦୋଳନକାରୀ।

‘ଯୁଗ୍ମ ଆୱାମୀ ଆକ୍ସନ କମିଟି’ କହିଛନ୍ତି, ମୌଳିକ ଅଧିକାର ପାଇଁ ଆମେ ଅଭିଯାନ ଆରମ୍ଭ କରିଛୁ। ୭୦ ବର୍ଷ ହେଲାଣି ଆମକୁ ଆମ ମୌଳିକ ଅଧିକାରଗୁଡ଼ିକରୁ ବଞ୍ଚିତ କରାଯାଇଛି। ସେମାନଙ୍କୁ (ପାକିସ୍ତାନ ସରକାରଙ୍କୁ) ଏବେ ଆମକୁ ଆମ ମୌଳିକ ଅଧିକାର ପ୍ରଦାନ କରିବାକୁ ହେବ ନହେଲେ ନାଗରିକଙ୍କ ରାଗକୁ ସାମ୍ନା କରିବାକୁ ପଡ଼ିବ। 

ଅନ୍ୟପକ୍ଷରେ ସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ପାକ୍‌ ଅଧିକୃତ କଶ୍ମୀରରେ ଥିବା ସହରଗୁଡ଼ିକୁ ଅଧିକ ସଂଖ୍ୟାରେ ଫୋର୍ସକୁ ମୁତୟନ କରାଯାଇଛି। ପଞ୍ଜାବ ପ୍ରଦେଶରୁ ହଜାରେ ସୁରକ୍ଷା କର୍ମୀଙ୍କୁ ସେଠାକୁ ପଠାଯାଇଥିବା ବେଳେ ଇସ୍‌ଲାମବାଦ ଅତିରିକ୍ତ ଏକ ହଜାର ଫୋର୍ସ ସେଠାକୁ ଯାଇଛନ୍ତି ବୋଲି ସ୍ଥାନୀୟ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। 

POK