/odisha-reporter/media/media_files/2025/09/23/kabul-2025-09-23-14-17-41.jpg)
ଲ୍ୟାଣ୍ଡିଂ ଗିୟରରେ ବିମାନ ଯାତ୍ରା
ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଲ୍ୟାଣ୍ଡିଂ ଗିୟର କମ୍ପାର୍ଟମେଣ୍ଟରେ ଲୁଚି ଆଫଗାନିସ୍ତାନରୁ ଭାରତ ଚାଲି ଆସିଛି ଜଣେ ୧୩ ବର୍ଷୀୟ ବାଳକ। ବିମାନ ସମ୍ପର୍କରେ ଅଧିକ କିଛି ଜାଣିବା ପାଇଁ ପିଲାଟି ଭୁଲବଶତଃ ଏପରି ବିପଦଜନକ ଯାତ୍ରା କରିଥିବା ଜଣାପଡ଼ିଛି। ପୂରା ଘଟଣା ରବିବାର ଘଟିଥିଲା। ଆଫଗାନିସ୍ତାନର କାବୁଲରୁ ଉଡ଼ାଣ ଭରିଥିବା ଯାତ୍ରୀବାହୀ ବିମାନ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
ଅଧିକାରୀ ସୂତ୍ରରୁ ଜଣାପଡ଼ିଛି ଯେ ୧୩ ବର୍ଷୀୟ ପିଲାଟି କୌଶଳକ୍ରମେ କାବୁଲ ଏୟାରପୋର୍ଟର ନିଷାଦ୍ଧାଞ୍ଚଳରେ ପ୍ରବେଶ କରି ଯାଇଥିଲା। ଏହାପରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା କେଏମଏମ ଏୟାର ଫ୍ଲାଇଟ ଆରକ୍ୟୁ-୪୪୦୧ ବିମାନର କେନ୍ଦ୍ରୀୟ ଲ୍ୟାଣ୍ଡିଂ ଗିୟର କମ୍ପାର୍ଟମେଣ୍ଟରେ ପହଞ୍ଚି ଯାଇଥିଲା। ସେଠାରେ ସେ ଲୁଚି ଯିବାରୁ ତା’କୁ କେହି ଦେଖି ପାରି ନଥିଲେ।
ବିମାନଟି କାବୁଲ ଏୟାରପୋର୍ଟରୁ ଉଡ଼ାଣ ଭରିବା ବେଳେ ମଧ୍ୟ ଲ୍ୟାଣ୍ଡିଂ ଗିୟର କମ୍ପାର୍ଟମେଣ୍ଟରେ ପିଲାଟି ଲୁଚି ରହିଥିଲେ। ଏପରି ଅବସ୍ଥାରେ ଦୀର୍ଘ ୨ ଘଣ୍ଟାର ଉଡ଼ାଣ କରିବା ପରେ ବିମାନଟି ଦିଲ୍ଲୀରେ ଦିନ ପ୍ରାୟ ୧୧ଟା ବେଳେ ପହଞ୍ଚିଥିଲା।
ବିମାନଟି ଲ୍ୟାଣ୍ଡ କରିବା ପରେ ପିଲାଟି ସେଠାରୁ ବାହାରି ରନୱେରେ ବୁଲାବୁଲି କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ନଜର ପଡ଼ିଥିଲା। ବିମାନ କର୍ମଚାରୀମାନେ ତା’କୁ ଧରିବା ସହ ସିଆଇଏସ୍ଏଫକୁ ହସ୍ତାନ୍ତର କରିଥିଲେ। କୁଣ୍ଡୁଜ ସିଟିର ଏହି ପିଲାଟିକୁ ପଚରାଉଚରା ପାଇଁ ଟର୍ମିନାଲ ୩କୁ ନିଆଯାଇଥିଲା।
ପ୍ରାରମ୍ଭିକ ପଚରାଉଚରା ବେଳେ ପିଲାଟି କହିଛି ଯେ ଅଧିକ କିଛି ଜାଣିବା ପାଇଁ ସେ ବେଶ ଉତ୍ସାହିତ ହୋଇ ବିମାନରେ ପଶି ଯାଇଥିଲା। ତେବେ ଲ୍ୟାଣ୍ଡିଂ ଗିୟର କମ୍ପାର୍ଟମେଣ୍ଟରେ ଲୁଚି ଯାତ୍ରା କରିବାର ବିପଦ ସମ୍ପର୍କରେ ସେ କିଛି ଜାଣିନଥିବା କହିଥିଲା।
କିଛି ସମୟର ଜେରା ପରେ ସମାନ ବିମାନରେ ପିଲାଟିକୁ ଆଫଗାନିସ୍ତାନ ପଠାଇ ଦିଆଯାଇଛି। ଉକ୍ତ ବିମାନଟି ଦିନ ପ୍ରାୟ ୧୨.୩୦ରେ ଦିଲ୍ଲୀରୁ କାବୁଲ ଅଭିମୁଖେ ଉଡ଼ାଣ ଭରିଥିଲା।
କେଏଏମ ଏୟାରଲାଇନ୍ସ ପକ୍ଷରୁ ଘଟଣା ପରେ ଲ୍ୟାଣ୍ଡିଂ ଗିୟର କମ୍ପାର୍ଟମେଣ୍ଟକୁ ଭଲ ଭାବେ ଯାଞ୍ଚ କରାଯାଥିଲା। ଏହି ସମୟରେ ଗୋଟିଏ ନାଲି ରଙ୍ଗର ଛୋଟ ସ୍ପିକର ମିଳିଛି। ସମ୍ଭବତଃ ଏହା ସେହି ପିଲାଟିର ବୋଲି କୁହାଯାଉଛି। ସବୁ କିଛିକୁ ଯାଞ୍ଚ କରିବା ପରେ ବିମାନଟି ପୁଣି କାବୁଲ ଅଭିମୁଖେ ଉଡ଼ାଣ ଭରିଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
