/odisha-reporter/media/media_files/2025/10/21/afaghan-2025-10-21-19-46-28.jpg)
ଆଫଗାନ ପ୍ରତିରକ୍ଷା ମନ୍ତ୍ରୀ
ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ସହ ଭାରତକୁ ଯୋଡ଼ି ବାହାସ୍ଫୋଟ ମାରୁଥିବା ଇସଲାମାବାଦକୁ କଡ଼ା ଜବାବ ଦେଇଛି କାବୁଲ। ଆଞ୍ଚଳିକ ଉତ୍ତେଜନା ସହ ଭାରତର କୌଣସି ଲିଙ୍କ ନଥିବା ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ମୌଲବୀ ମହମ୍ମଦ ୟାକୁବ ମୁଜାହିଦ ସ୍ପଷ୍ଟ କରିଛନ୍ତି।
ଭାରତ ସମ୍ପର୍କରେ ପାକିସ୍ତାନ(Pakistan)ର ଛାୟା ଯୁଦ୍ଧ ବୟାନକୁ ସେ ଭିତ୍ତିହୀନ, ଯୁକ୍ତିହୀନ ଓ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଆଫଗାଗନିସ୍ତାନର ବୈଦେଶିକ ନୀତି ସଂପୂର୍ଣ୍ଣ ଭାବେ ମୁକ୍ତ ଓ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଭାରତ ସହ ସମ୍ପର୍କକୁ ମଜବୁତ କରାଯିବ ବୋଲି ମଧ୍ୟ ମୁଜାହିଦ ମତ ରଖିଛନ୍ତି।
ଭାରତ ପାଇଁ ଆଫଗାନିସ୍ତାନ ଛାୟା ଯୁଦ୍ଧ କରୁଥିବା ପାକିସ୍ତାନ କହିଥିଲା। ଏହାର ଜବାବରେ ମୁଜାହିଦ କହିଛନ୍ତି, “ଏସବୁ ଅଭିଯୋଗ ଭିତ୍ତିହୀନ। ଆମର ନୀତି ହେଲା ଆମ ଅଞ୍ଚଳକୁ କେହି ବି କୌଣସି ଦେଶ ବିରୋଧରେ ବ୍ୟବହାର କରିପାରିବେ ନାହିଁ। ଆମେ ଗୋଟିଏ ସ୍ୱାଧୀନ ରାଷ୍ଟ୍ର ଭାବେ ଭାରତ ସହ ସମ୍ପର୍କ ରଖିଛୁ। ଆମ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ସମ୍ପର୍କକୁ ମଜବୁତ କରିବୁ।”
ପାକିସ୍ତାନ-ଆଫଗାନିସ୍ତାନ ସମ୍ପର୍କ ଉପରେ ମଧ୍ୟ ମୁଜାହିଦ ମତ ରଖିଛନ୍ତି। ତାଙ୍କ କହିବା କଥା ଯେ ଆଫଗାନିସ୍ତାନ ଗୋଟିଏ ଭଲ ପଡ଼ୋଶୀ ଓ ବ୍ୟବସାୟ ସଂପ୍ରସାରଣ ପାଇଁ ପାକିସ୍ତାନ ସହ ସମ୍ପର୍କ ତିଆରି କରିଛି। ପାକିସ୍ତାନ ଓ ଆଫଗାନିସ୍ତାନ ହେଉଛନ୍ତି ପଡ଼ୋଶୀ। ଦୁହିଁଙ୍କ ମଧ୍ୟରେ ଉତ୍ତେଜନା କାହା ପାଇଁ ବି ଲାଭ ଦାୟକ ନୁହେଁ। ପାରସ୍ପରିକ ସମ୍ମାନ ଓ ଭଲ ପଡ଼ୋଶୀ ନୀତି ଅନୁସାରେ ଦୁଇ ଜଣଙ୍କ ସମ୍ପର୍କ ଅତୁଟ ରହିବା ଉଚିତ।
ଦୋହା ବୁଝାମଣା କଥା କହି ମୁଜାହିଦ କହିଛନ୍ତି ଯେ ତୁର୍କୀରେ ପରବର୍ତ୍ତୀ ବୈଠକ ହେବ। ଏହି ବୈଠକରେ ଚୁକ୍ତିରେ ଥିବା ସର୍ତ୍ତର କାର୍ଯ୍ୟକାରିତା ଓ ଏହାର ସମୀକ୍ଷା କରାଯିବ।
ଅକ୍ଟୋବର ୧୧ରୁ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ବିବାଦ ଲାଗି ରହିଥିଲା। ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏଥିରେ ଅନେକ ସାଧାରଣ ଲୋକ ଓ ସେନା ଯବାନଙ୍କ ମୃତ୍ୟୁ ହୋଇଛି। ବିବାଦ ତୀବ୍ର ହେଉଥିବା ବେଳେ ବୁଧବାର ସନ୍ଧ୍ୟା ୬ ଟାରୁ ୪୮ ଘଣ୍ଟା ପାଇଁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବିରତି ଲାଗୁ ହୋଇଥିଲା।
ଯୁଦ୍ଧ ବିରତି ଅବଧି ଶେଷ ହେବା କ୍ଷଣି ପାକିସ୍ତାନ ସେନା ଆକ୍ରମଣ କରିଦେଇଥିଲା। ପାକିସ୍ତାନ ପକ୍ଷରୁ ପାକଟିକା ପ୍ରଦେଶର ଅରଗୁନ ଠାରୁ ଆରମ୍ଭ କରି ବିଭିନ୍ନ ଆବାସିକ ଅଞ୍ଚଳରେ ଆକ୍ରମଣ କରାଯାଇଥିଲା।
ବିବାଦ ଘନଉଥିବା ବେଳେ ଦୋହାରେ ଉଭୟ ଦେଶ ମଧ୍ୟରେ ଶାନ୍ତି ବୈଠକ ବସିଥିଲା। ଏହି ବୈଠକରେ ସ୍ଥାୟୀ ଯୁଦ୍ଧ ବିରତି ଲାଗୁ କରିବାକୁ ଉଭୟ ଦେଶ ରାଜି ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
