Advertisment

ପୁଣି ଭୂମିକମ୍ପରେ ଥରିଲା ତୁର୍କୀ, ମୃତ୍ୟୁ ସଂଖ୍ୟା ୩୪,୦୦୦ ଟପିଲା

ଭୂମିକମ୍ପ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ ହଷ୍ଟେଲ୍‌ ଏବଂ ଟୁରିଷ୍ଟ୍‌ ରିସର୍ଟରେ ଥିବା ହୋଟେଲ୍‌ ଗୁଡ଼ିକରେ ଆଶ୍ରୟ ଦିଆଯାଉଛି।

author-image
Madhupriya Mistry
Turkey earthquake

Turkey earthquake

ପୁଣି ତୁର୍କୀ ଓ ସିରିୟାରେ କମ୍ପନ। ଭୂକମ୍ପରେ ଥରିଲା ତୁର୍କୀ। ଏଥର ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି। କହାରନମାରସର ଦକ୍ଷିଣ-ପୂର୍ବରୁ ୨୪ କିଲୋମିଟର ଦକ୍ଷିଣରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ରବିବାର ସ୍ଥାନୀୟ ସମୟ ୧୨ଟା ୩୦ମିନିଟ୍‌ରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ଝଟ୍‌କା ଅନୁଭୂତ ହେବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଜୀବନ ବଞ୍ଚାଇବାକୁ ସୁରକ୍ଷିତ ସ୍ଥାନକୁ ଦୌଡ଼ି ପଳାଇଛନ୍ତି।

Advertisment

ସେପଟେ ତୁର୍କୀ ଓ ସିରିୟାରେ ପ୍ରଳୟଙ୍କାରୀ ଭୂମିକମ୍ପ ପରେ ମୃତ୍ୟୁ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ୬ ଦିନ ପରେ ବି ଧ୍ୱଂସାବଶେଷ ତଳୁ ଉଦ୍ଧାର ଚାଲିଛି ମୃତଦେହ। ଶକ୍ତିଶାଳୀ ଭୂମିକମ୍ପ ଯୋଗୁ ଦୁଇ ଦେଶରେ ପ୍ରାୟ ୩୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। କେବଳ ତୁର୍କୀରେ ୨୯ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ସିରିୟାରେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଗୁରୁତରଙ୍କ ସଂଖ୍ୟା ୧ ଲକ୍ଷ ଟପିଛି।

ଭୂମିକମ୍ପ ଯୋଗୁ ତୁର୍କୀ ପୂରାପୁରି ନଷ୍ଟ ହୋଇ ଯାଇଛି। ବଡ ବଡ ଅଟ୍ଟାଳିକା ସବୁ ମାଟିରେ ମଶିଯାଇଛି। ସେପଟେ ସିରିୟାରେ ଭୂମିକମ୍ପ କ୍ଷତିଗ୍ରସ୍ତ ଅଞ୍ଚଳକୁ ଆବଶ୍ୟକୀୟ ସହାୟତ ପହଞ୍ଚାଇବାରେ ବାଧା ସୃଷ୍ଟି ହୋଇଥିବା ଯୋଗୁ ସଂଯୁକ୍ତ ରାଷ୍ଟ୍ର ନିନ୍ଦା କରିଛି। ଏଥିସହ ଭୂକମ୍ପରେ ମରିବା ଲୋକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଚେତାବନୀ ଦେଇଛି।

Advertisment

ଅନ୍ୟପଟେ ଭୂମିକମ୍ପ ପ୍ରପୀଡ଼ିତ ଅଞ୍ଚଳ ଛାଡ଼ି ଇସ୍ତାନ୍‌ବୁଲ୍‌, ଅଙ୍କାରା, ଅନ୍ତାଲା ଏବଂ ଅନ୍ୟାନ୍ୟ ନିରପଦ ଅଞ୍ଚଳକୁ ଚାଲିଯାଉଥିବା ଲୋକମାନଙ୍କ ପାଇଁ ରବିବାର ଦିନ ତୁର୍କୀ ଏୟାର୍‌ଲାଇନ୍‌ସ୍‌ ଏବଂ ପେଗାସସ୍‌ ଏୟାର୍‌ଲାଇନ୍‌ସ୍‌ ମାଗଣାରେ ଟିକେଟ୍‌ ଯୋଗାଇ ଦେବାକୁ ଘୋଷଣା କରିଛି।

ଭୂମିକମ୍ପ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ ହଷ୍ଟେଲ୍‌ ଏବଂ ଟୁରିଷ୍ଟ୍‌ ରିସର୍ଟରେ ଥିବା ହୋଟେଲ୍‌ ଗୁଡ଼ିକରେ ଆଶ୍ରୟ ଦିଆଯାଉଛି। ଗାଜିଆନ୍‌ତେପ୍, ହାତାଇ, ନୁର୍‌ଦାଗି ଏବଂ ମାରାଶ୍‌ ଆଦି ଅଞ୍ଚଳରୁ ଅସଂଖ୍ୟ ଲୋକ ଭୂକମ୍ପ ପ୍ରପୀଡ଼ିତ ଅଞ୍ଚଳ ଛାଡ଼ି ଚାଲିଗଲେଣି। ନିରାପଦ ସ୍ଥାନକୁ ଚାଲିଯିବା ଲାଗି ହଜାର ହଜାର ଲୋକ ଗାଜିଆନ୍‌ପେତ ବିମାନ ବନ୍ଦରରେ ଭିଡ଼ ଜମାଇଛନ୍ତି।

Earthquake Turkey Turkey Earthquake