/odisha-reporter/media/media_files/2025/12/15/ahmed-2025-12-15-15-00-52.jpg)
ଅହମଦ ଅଲ ଅହମଦ
ଅଷ୍ଟ୍ରେଲିଆର ସିଡ୍ନୀ ଅନ୍ତର୍ଗତ ବଣ୍ଡି ବିଚ୍ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ହମଲା ୧୫ ଜଣ ନିରୀହ ଲୋକଙ୍କ ଜୀବନ ନେଇଛି। ପାକିସ୍ତାନୀ ବାପ-ପୁଅ ଇହୁଦୀମାନଙ୍କ କାର୍ଯ୍ୟକ୍ରମ ଉପରେ ଆଖିବୁଜା କରିବାରୁ ଏତେ ବଡ଼ ଘଟଣା ଘଟିଛି। ଆକ୍ରମଣରେ ସାମିଲ ଥିବା ୫୦ ବର୍ଷୀୟ ପାକିସ୍ତାନୀର ମୃତ୍ୟୁ ହୋଇଥିବା ବେଳେ ତା’ର ୨୪ ବର୍ଷୀୟ ପୁଅ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି। ଏହି ଆତଙ୍କବାଦୀ ହମଲାକୁ ପୂରା ବିଶ୍ୱରେ ନିନ୍ଦା କରାଯାଉଛି।
ଏସବୁ ଭିତରେ ଅହମଦ ଅଲ ଅହମଦ ନାମକ ଜଣେ ୪୩ ବର୍ଷୀୟ ବ୍ୟକ୍ତିଙ୍କୁ ପୂରା ବିଶ୍ୱ ସଲାମ କରିଛି। ଆତଙ୍କବାଦୀ ହମଲା ବେଳେ ଅହମଦ ଦେଖାଇଥିବା ସାହାସ ସମସ୍ତଙ୍କୁ ନୂଆ ପ୍ରେରଣା ଦେଇଛି। ସେ ଅସାଧାରଣ ସାହାସିକତା ବଳରେ ମାନବତା ହିଁ ଶ୍ରେଷ୍ଠ ଧର୍ମ ବୋଲି ପ୍ରମାଣ କରି ଦେଇଛନ୍ତି।
ଗୋଟିଏ ଫଳ ଦୋକାନୀର ମାଲିକ ଅହମଦ ଆତଙ୍କୀ ହମଲା ବେଳେ ନିଜ ଜୀବନକୁ ବାଜିରେ ଲଗାଇ ଦେଇଥିଲେ। ସେ ନିଜର ବୁଦ୍ଧି ଓ ସାହାସ ବଳରେ ଆଖିବୁଜା ଗୁଳି ମାଡ଼ କରୁଥିବା ଜଣେ ଆତଙ୍କବାଦୀକୁ ବିନା କୌଣସି ହତିଆରରେ କାବୁ କରି ଅନେକ ନିରୀହ ଜୀବନକୁ ବଞ୍ଚାଇ ଦେଇଛନ୍ତି। ଏହି ସମୟରେ ସେ ମଧ୍ୟ ଗୁଳି ମାଡ଼ର ଶିକାର ହୋଇଛନ୍ତି। ତଥାପି ସେ ଦେଖାଇଥିବା ସାହାସର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ତାଙ୍କୁ ସଲାମ କରିଛନ୍ତି।
ଅହମଦ ଅଲ ଅହମଦ ସିରିୟାରେ ଜନ୍ମ ଗ୍ରହଣ କରିଥିଲେ। ୧୦ ବର୍ଷ ତଳେ ସେ ଅଷ୍ଟ୍ରେଲିଆକୁ ଆସିବା ସହ ଏଠାରେ ଫଳ ଦୋକାନ କରିଥିଲେ। ରବିବାର ଅହମଦ ଯେଉଁ ବନ୍ଧୁକଧାରୀକୁ କାବୁ କରିଛନ୍ତି ସେ ହାନୁକା ଉତ୍ସବ ପାଳନ କରୁଥିବା ଇହୁଦୀମାନଙ୍କ ଉପରକୁ ଗୁଳି ମାଡ଼ କରୁଥିଲା। ଗୋଟିଏ ଦଶନ୍ଧି ଧରି ମଧ୍ୟପ୍ରାଚ୍ୟର ଇତିହାସ ସମ୍ପର୍କରେ ଯଦି କେହି ସାମାନ୍ୟ କଥା ବି ଜାଣିଥିବେ, ତା’ହେଲେ ଏପରି ଘଟଣା ବେଶ ଗୁରୁତ୍ୱ ବହନ କରୁଛି।
ମୁସଲିମ ଓ ଇହୁଦୀଙ୍କ ବିବାଦ କଥା ସମସ୍ତଙ୍କୁ ଜଣା। ସେହିପରି ସିରିୟା ଓ ଇସ୍ରାଏଲ ଶତ୍ରୁତା କଥା କାହାକୁ ଅଛପା ନାହିଁ। ଏମାନେ ୧୯୪୮ରୁ ପରସ୍ପରର ଶତ୍ରୁ। ଦଶନ୍ଧି ଧରି ଯୁଦ୍ଧ ଓ ଛାୟା ଯୁଦ୍ଧ ଯୋଗୁ ଦୁଇ ଦେଶର ସୀମା ସବୁବେଳେ ରକ୍ତ ରଞ୍ଜିତ।
ହେଲେ ଅହମଦ ସେସବୁ ସୀମାକୁ ମାତ୍ର ୪ ସେକେଣ୍ଡରେ ଅତିକ୍ରମ କରିଥିଲେ। କେବଳ ଲୋକ ଦେଖାଣିଆ କିମ୍ବା ସାଙ୍କେତିକ ଭାବେ ନୁହେଁ, ବରଂ ସେ ଦେଖାଇଥିଲେ ଯେ ମାନବତା ହେଉଛି ଶ୍ରେଷ୍ଠ ଧର୍ମ। ସେ କିଛି କଥା କିମ୍ବା ନିଜ ଜୀବନ କଥା ଚିନ୍ତା କରି ନଥିଲେ। ସେ ନରସଂହାର ଊଦ୍ୟମ କରୁଥିବା ବନ୍ଧୁକଧାରୀ ଲୋକ ଆଡ଼କୁ ମାଡ଼ି ଯାଇଥିଲେ। ଏହି ବନ୍ଧୁକଧାରୀ ଏମିତି ଲୋକଙ୍କୁ ମାରୁଥିଲା, ଯେଉଁମାନଙ୍କ ଦେଶ ସହ ଅହମଦଙ୍କ ମୂଳ ଦେଶର ଯୁଦ୍ଧ ୭୦ ବର୍ଷ ହେଲା ଚାଲିଛି।
ଅହମଦ ଏହାକୁ ଆଦୌ ଖାତିର କରି ନଥିଲେ। ସେ ସବୁ କିଛି ଭୁଲି ଗୁଳି ମାଡ଼ କରୁଥିବା ଲୋକକୁ ମାଡ଼ି ବସିଥିଲେ। ତା’କୁ ତଳେ ପକାଇ ତା’ ଠାରୁ ବନ୍ଧୁକ ଛଡ଼ାଇ ଆଣିଥିଲେ। ସେ ଏମିତି କିଛି କରି ନଥିଲେ ଯେ ଅନେକ ଇହୁଦୀଙ୍କ ଜୀବନ ବଞ୍ଚି ଯାଇଥିଲା। ସେ ଜଣେ ଆତଙ୍କୀକୁ କାବୁ କରିଥିବା ବେଳେ ଆଉ ଜଣକର ଗୁଳିରେ ସେ ଆହତ ହୋଇଛନ୍ତି। ତାଙ୍କ ଦେହରେ ୨ଟି ଗୁଳି ବାଜିଛି। ଏବେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
After Brown University, massive shooting was seen during the festival of Hanukkah on the Jewish people at Bondi Beach in Sydney Australia
— Dennis jacob (@12431djm) December 14, 2025
Seen here is a brave man single handedly taking down on the shooter
Incredible pic.twitter.com/DfoFzVKYjv
ଅଷ୍ଟ୍ରେଲିଆରେ ଅହମଦ ଅଲ ଅହମଦଙ୍କୁ ସମସ୍ତେ ହିରୋ ବୋଲି ସମ୍ବୋଧନ କରିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କୁ ସାହାସୀ ମୁସଲିମ ବୋଲି ସମ୍ବୋଧନ କରିଛନ୍ତି। ତେବେ ଏବେ ଅହମଦ କେବଳ ଜଣେ ମୁସଲିମ ନୁହନ୍ତି। ତାଙ୍କ ପାଖରେ ରବିବାର ଭୌଗଳିକ ଇତିହାଦସକୁ ପରଖିବାର ସମୟ ନଥିଲା। କିଏ ଶତ୍ରୁ କିଏ ମିତ୍ର ସେକଥା ସେ ଭାବି ନଥିଲେ। ସେ କେବଳ ଲୋକଙ୍କ ଜୀବନ କଥା ଚିନ୍ତା କରିଥିଲେ।
ଅହମଦଙ୍କ ସମ୍ପର୍କୀୟ ମୁସ୍ତାଫା କହିଛନ୍ତି ଯେ “ସେ ଏବେ ହସ୍ପିଟାଲରେ ରହିଛନ୍ତି। ଆମେ ଭିତରେ କ’ଣ ସବୁ ଚାଲିଛି, ସେକଥା ଆମେ ଜାଣିନୁ। ଆମର ଆଶା ସେ ଭଲ ଥିବେ। ସେ ଜଣେ ହିରୋ। ଏଥିରେ କୌଣସି ସନ୍ଦେହ ନାହିଁ।”
କୁହାଯାଉଛି ଯେ ରବିବାର ରାତିରେ ହିଁ ଅହମଦଙ୍କ ସର୍ଜରୀ ହୋଇଛି। ବନ୍ଧୁକ ସହ ଅହମଦ ଆଦୌ ପରିଚିତ ନୁହନ୍ତି। ଘଟଣା ବେଳେ ସେ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ତାଙ୍କ ନଜର ଆତଙ୍କବାଦୀ ଉପରେ ପଡ଼ିଥିଲେ। ସେ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ପଛପଟୁ ଗୁଳି ମାଡ଼ କରୁଥିବା ଲୋକର ବେକକୁ ମାଡ଼ି ବସି ତଳେ ପକାଇ ଦେଇଥିଲେ। ଏଥିସହ ତା’ ଠାରୁ ବନ୍ଧୁକ ଛଡ଼ାଇ ଆଣିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
