Advertisment

ଇରାନର ୩ଟି ପରମାଣୁ କେନ୍ଦ୍ର ଉପରେ ଆମେରିକାର ବୋମାମାଡ଼

ଇରାନର ୩ଟି ପରମାଣୁ କେନ୍ଦ୍ରକୁ ଆମେରିକା ସେନା ଧ୍ୱଂସ କରିଦେବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ପ୍ରଶଂସା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ।

author-image
Jitendra Garnayak
ଅଦ୍ୟତନ ହୋଇଛି
Bomb Attack

Bomb Attack

ଇସ୍ରାଏଲ ଓ ଇରାନ ଯୁଦ୍ଧରେ ସାମିଲ ହୋଇଛି ଆମେରିକା। ଭାରତୀୟ ସମୟ ଅନୁସାରେ ଗତକାଲି ରାତିରେ ଇରାନର ୩ଟି ପରମାଣୁ କେନ୍ଦ୍ର ଉପରେ ବୋମାମାଡ଼ କରିଛି ଆମେରିକା। ଫୋର୍ଦୋ, ନତାଞ୍ଜ ଓ ଇସଫହାନ ପରମାଣୁ କେନ୍ଦ୍ରରେ ଆମେରିକାର ଏହି ଆକ୍ରମଣ ପରେ ଇରାନ ଓ ଇସ୍ରାଏଲ ପରସ୍ପର ଉପରକୁ ମିସାଇଲ ମାଡ଼ କରିଛନ୍ତି।

Advertisment

ଇରାନର ୩ଟି ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶବାସୀଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଫୋର୍ଦୋ, ନତାଞ୍ଜ ଓ ଇସଫହାନରେ ଆମେରିକୀୟ ଯୁଦ୍ଧବିମାନଗୁଡ଼ିକର ଆକ୍ରମଣ ସଫଳତା ପୂର୍ବକ ଶେଷ ହୋଇଛି। ଇରାନର ପ୍ରମୁଖ ପରମାଣୁ ସମୃଦ୍ଧ କେନ୍ଦ୍ରଗୁଡ଼ିକୁ ସଂପୂର୍ଣ୍ଣ ଭାବରେ ଧ୍ୱଂସ କରିଦିଆଯାଇଛି। ଏହି ଆକ୍ରମଣଗୁଡ଼ିକ ଏକ ଅଦ୍ଭୁଦପୂର୍ବ ସାମରିକ ସଫଳତା।

ସେ ଆହୁରି କହିଥିଲେ, ବର୍ତ୍ତମାନ ଇରାକ ଶାନ୍ତି ପ୍ରତିଷ୍ଠା କରିବା ଉଚିତ। ଯଦି ସେମାନେ ଶାନ୍ତି ପ୍ରତିଷ୍ଠା ନକରିବେ, ତା’ହେଲେ ଭବିଷ୍ୟତରେ ଯେଉଁ ଆକ୍ରମଣ ହେବ, ତାହା ଏହାଠାରୁ ବି ବଡ଼ ହେବ। ଇରାନ ପାଖରେ କେବଳ ଦୁଇଟି ବିକଳ୍ପ ଅଛି। ସେମାନେ ଶାନ୍ତି ପ୍ରତିଷ୍ଠା କରନ୍ତୁ ନହେଲେ ଗତ ୮ ଦିନରେ ଯେତିକି କ୍ଷତି ଘଟିଛି, ତା’ଠାରୁ ବହୁଗୁଣା କ୍ଷତି ସହିବାକୁ ପ୍ରସ୍ତୁତ ହୁଅନ୍ତୁ। ଯଦି ସେମାନେ ଶୀଘ୍ର ଶାନ୍ତି ପ୍ରତିଷ୍ଠା ଦିଗରେ କାର୍ଯ୍ୟ ନକରନ୍ତି, ଆମେ ଠିକଣା ଭାବେ ଦକ୍ଷତାର ସହିତ ଖୁବ୍ ଦ୍ରୁତଗତିରେ ଚୟନ ହୋଇଥିବା ଅନ୍ୟ ସ୍ଥାନଗୁଡ଼ିକୁ ଟାର୍ଗେଟ କରିବୁ। ସେଗୁଡ଼ିକରୁ ଅଧିକାଂଶକୁ ଟାର୍ଗେଟ କରିବା ମାତ୍ର କିଛି ମିନିଟର କଥା ବୋଲି କହିଛନ୍ତି ଟ୍ରମ୍ପ।

Advertisment

ଟ୍ରମ୍ପକୁ ନେତାନ୍ୟାହୁଙ୍କ ପ୍ରଶଂସା

ଇରାନର ୩ଟି ପରମାଣୁ କେନ୍ଦ୍ରକୁ ଆମେରିକା ସେନା ଧ୍ୱଂସ କରିଦେବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ପ୍ରଶଂସା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ।

ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇ ସେ କହିଛନ୍ତି, ଇରାନର ପରମାଣୁ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ କରିବା ପାଇଁ ଆପଣ ଯେଉଁ ସାହାସିକ ନିଷ୍ପତ୍ତି ନେଲେ ତାହା ଇତିହାସ ବଦଳାଇ ଦେବ। ରାଷ୍ଟ୍ରପତି ଟ୍ରମ୍ପ ଓ ମୁଁ ପ୍ରାୟତଃ କହୁ ଯେ ଶକ୍ତି ମାଧ୍ୟମରେ ଶାନ୍ତି ଆସେ। ପ୍ରଥମେ ଶକ୍ତି ଆସେ। ତା’ପରେ ଶାନ୍ତି ଆସେ। ଆଜି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକା ବହୁତ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆମେରିକା ସେହି କାର୍ଯ୍ୟ କରିଛି ଯାହା ପୃଥିବୀର ଅନ୍ୟ କୌଣସି ଦେଶ କରିପାରିବେ ନାହିଁ। ପୃଥିବୀର ସବୁଠୁ ବିପଜ୍ଜନକ ଶାସକ ଓ ବିପଜ୍ଜନକ ଅସ୍ତ୍ରକୁ ମାତ୍ ଦେବାକୁ ଟ୍ରମ୍ପ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ତାହାକୁ ଇତିହାସ ମନେ ରଖିବ।

ଏହା ସହିତ ଯେତେ ଦିନ ପର୍ଯ୍ୟନ୍ତ ଇରାନର ପରମାଣୁ କାର୍ଯ୍ୟକ୍ରମ ନେଇ ବିପଦ ସଂପୂର୍ଣ୍ଣ ଭାବେ ଟଳି ନାହିଁ ସେପର୍ଯ୍ୟନ୍ତ ଇରାନ ବିରୋଧରେ ଇସ୍ରାଏଲର ଅପରେସନ ଜାରି ରହିବ ବୋଲି ନେତାନ୍ୟାହୁ ସ୍ପଷ୍ଟ କରି ଦେଇଛନ୍ତି।

ଇସ୍ରାଏଲ ଓ ଇରାକ ମଧ୍ୟରେ ପୁଣି ଆକ୍ରମଣ ଏବଂ ପ୍ରତିଆକ୍ରମଣ

ଆମେରିକା ଆକ୍ରମଣ କରିବାର କିଛି ଘଣ୍ଟା ପରେ ଇରାନ ପୁଣି ଥରେ ଇସ୍ରାଏଲ ଉପରେ ମିସାଇଲ ମାଡ଼ କରିଛି। ଇରାନ ସେନା ପକ୍ଷରୁ ଇସ୍ରାଏଲର ହାଇଫା ଓ ତେଲ ଅଭିଭ ସହର ଉପରେ ୩୦ରୁ ଅଧିକ ମିସାଇଲ ମାଡ଼ କରାଯାଇଥିବା ବେଳେ ୮୬ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଇସଲାମିକ ରିଭୋଲ୍ୟୁସୋନାରୀ ଗାର୍ଡ ଗ୍ରୁପ (ଆରଆରଜିସି) କହିଛି ଯେ ସେମାନେ ତେଲ ଅଭିଭ ନିକଟରେ ଥିବା ବେନ ଗୁରୀୟନ ବିମାନ ବନ୍ଦରରେ ମଧ୍ୟ ଆକ୍ରମଣ କରିଛନ୍ତି।

ଇସ୍ରାଏଲ ପକ୍ଷରୁ ଇରାନକୁ ଏହି ଆକ୍ରମଣର ଜବାବ ଦିଆଯାଇଛି। ଇରାନର ଏକାଧିକ ସେନା କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ। ମିସାଇଲ ମାଡ଼ କରୁଥିବା ଇରାନର ଏକାଧିକ ମିସାଇଲ ଲଞ୍ଚରଗୁଡ଼ିକୁ ନଷ୍ଟ କରିଦିଆଯାଇଛି ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି। ସେହିପରି ଇରାନର ୨ଟି ଏଫ୫ ଯୁଦ୍ଧ ବିମାନକୁ ମଧ୍ୟ ଏହା ଧ୍ୱଂସ କରିଥିବା ଦାବି କରିଛି। 

ଗତ ଶୁକ୍ରବାର (ଜୁନ ୧୩)ଠାରୁ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଇରାନ ବିରୋଧରେ ଇସ୍ରାଏଲ ‘ଅପରାସନ ରାଇଜିଂ ଲାୟନ’ ଆରମ୍ଭ କରିବା ପରେ ଏହି ଯୁଦ୍ଧ ଆରମ୍ଭ ହୋଇଛି। ଇରାନର ପରମାଣୁ କେନ୍ଦ୍ର ଓ ସେନାର ପ୍ରମୁଖ ସ୍ଥାନରେ ଆକ୍ରମଣ କରିଛି ଇସ୍ରାଏଲ।

ୱାଶିଂଟନରେ କାର୍ଯ୍ୟ କରୁଥିବା ଇରାନର ଏକ ମାନବ ଅଧିକାର ଗ୍ରୁପ୍‌ର ଦାବି ଅନୁସାରେ ଏହି ଯୁଦ୍ଧରେ ଇରାନରେ ଏଯାବତ ୬୦୦ ଲୋକଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଇସ୍ରାଏଲ କହିଛି ଯେ ଇରାନ ଏଯାବତ ସେମାନଙ୍କ ଉପରକୁ ୪୫୦ ମିସାଲ ଓ ୧୦୦୦ ଡ୍ରୋନ୍‌ ମାଡ଼ କରସାରିଛି। ଏଥିରେ ଇସ୍ରାଏଲର ୨୪ ଜଣ ନାଗରିକ ପ୍ରାଣ ହରାଇଛନ୍ତି।

ଚିନ୍ତା ପ୍ରକଟ କଲେ ବିଭିନ୍ନ ଦେଶ

ଇରାନର ୩ଟି ପରମାଣୁ କେନ୍ଦ୍ରକୁ ଆମେରିକା ବୋମା ପକାଇ ଉଡ଼ାଇ ଦେବା ପରେ ପୃଥିବୀର ବିଭିନ୍ନ ଦେଶ ଚିନ୍ତା ପ୍ରକଟ କରିଛନ୍ତି। ତୁରନ୍ତ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ପାଇଁ ସେମାନେ ଇରାନ ସହିତ ଇସ୍ରାଏଲକୁ ପରାମର୍ଶ ଦେଇଛନ୍ତି। ତା’ସହିତ ରୁଷ ଓ ତୁର୍କୀ ଭଳି ଦେଶ ଆମେରିକାର ଏଭଳି କାର୍ଯ୍ୟକୁ ସମାଲୋଚନା କରିଛନ୍ତି। ଏମିତିକି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ସୁପାରିସ କରିଥିବା ପାକିସ୍ତାନ ମଧ୍ୟ ଆମେରିକାର ଏହି କାର୍ଯ୍ୟକୁ ନାପସନ୍ଦ କରିଛି। ଆମେରିକାକୁ ଚୀନ ବି ସମାଲୋଚନା କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିୟନଙ୍କ ସହିତ ଫୋନ୍‌ରେ କଥା ହେବା ସହିତ ମଧ୍ୟ ପ୍ରାଚ୍ୟର ସ୍ଥିତି ଉପରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏହା ସହିତ ଉତ୍ତେଜନା ହ୍ରାସ କରି ଶାନ୍ତି ପ୍ରତିଷ୍ଠା ନିମନ୍ତେ ଆଲୋଚନା ଓ କୂଟନୀତିକ ମାର୍ଗରେ ଯିବାକୁ ପରାମର୍ଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଆମେରିକାର ଆକ୍ରମଣ ପରେ ଇରାନ ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ପରିସ୍ଥିତି ସଂପର୍କରେ ଅବଗତ କରାଇବା ସହିତ ପ୍ରାୟ ୪୫ ମିନିଟ୍ ଧରି ଆଲୋଚନା କରିଥିଲେ।

ଯୁଦ୍ଧରୁ ବିରତ ରହିବା ପାଇଁ ଆମେରିକା, ଇସ୍ରାଏଲ ଓ ଇରାନକୁ ଅନୁରୋଧ କରିଛି ଫ୍ରାନ୍ସ। ସବୁ ପକ୍ଷ କୂଟନୀତିକ ସ୍ତରରେ ସମସ୍ୟାର ସମାଧାନ କରନ୍ତୁ ବୋଲି ଫ୍ରାନ୍ସ କହିଛି। ସେହିପରି ଅତିଶୀଘ୍ର ଆମେରିକା ଓ ଇସ୍ରାଏଲ ସହିତ ଆଲୋଚନା କରିବାକୁ ଇରାନକୁ ପରାମର୍ଶ ଦେଇଛି ଜର୍ମାନୀ।

ଇଜିପ୍ଟ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କଲା ବେଳେ ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିୟନ କହିଛନ୍ତି ଯେ ଆଲୋଚନା ମାଧ୍ୟମରେ ଉତ୍ତେଜନା ହ୍ରାସ କରିବାକୁ ଇରାନ ପ୍ରାୟସ କରିଥିଲା। କିନ୍ତୁ ଇସ୍ରାଏଲ ଆକ୍ରମଣ କରିବା ପରେ ଆମେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେଉଛୁ। ଇରାନ ଏହି ଲଢ଼େଇ ଆରମ୍ଭ କରି ନଥିଲା କି ଏହାକୁ ବଢ଼ାଇବାକୁ ଚାହୁଁନାହିଁ। କିନ୍ତୁ ଇସ୍ରାଏଲର ଆକ୍ରମଣ ଜାରି ରହିଲେ ଇରାନ ଜବାବ ଦେବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଆସନ୍ତାକାଲି ଇରାନ ବୈଦେଶିକ ମନ୍ତ୍ରୀ ରୁଷ ଗସ୍ତରେ ଯାଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ଇତି ମଧ୍ୟରେ ରୁଷ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଇରାନର ପରମାଣୁ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣ ସଂପୂର୍ଣ୍ଣ ଦାୟିତ୍ୱହୀନ ନିଷ୍ପତ୍ତି। ଏହା ଅନ୍ତର୍ଜାତୀୟ ଆଇନକୁ ବି ଉଲ୍ଲଂଘନ କରିଛି।

USA Israel Iran President