/odisha-reporter/media/post_attachments/uploadimage/library/16_9/16_9_0/Iran_1750159498.jpg)
Iran
ଜୁନ ୧୩ ତାରିଖ ଭୋର ସମୟରେ ଇସ୍ରାଏଲ ବାୟୁ ସେନା ଇରାନର ବିଭିନ୍ନ ସ୍ଥାନରେ ଥିବା ଆଣବିକ ଠିକଣା ଓ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲା। ଏହି ଆକ୍ରମଣରେ ଇରାନର ଆଣବିକ କାର୍ଯ୍ୟକ୍ରମ ଉପରେ କାମ କରୁଥିବା ଏକାଧିକ ବୈଜ୍ଞାନିକ ଓ ସେନା ବାହିନୀର ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା। ଆକ୍ରମଣରେ ସାଧାରଣ ଲୋକ ମଧ୍ୟ ଜୀବନ ହରାଇଥିଲେ।
ୟୁରାନିୟମ ଗଚ୍ଛିତ କରିବା ସମ୍ପର୍କରେ ଇରାନ ଓ ଆମେରିକା ଉପରେ ହେବାକୁ ଥିବା ଆଲୋଚନା ଏହି ଆକ୍ରମଣ ପରେ ଭଣ୍ଡୁର ହୋଇଥିଲା। ଶାନ୍ତିପୂର୍ଣ୍ଣ ଗବେଷଣା ପାଇଁ ଇରାନ ୟୁରାନିୟମ ଗଚ୍ଛିତ କରୁଥିବା କହିଥିଲେ ହେଁ ଏହାକୁ ଇସ୍ରାଏଲ ନିଜ ପ୍ରତି ବଡ଼ ବିପଦ ବୋଲି ବିବେଚନା କରି ଆକ୍ରମଣ କରିଥିଲା।
ଜୁନ ୧୩ ତାରିଖ ସନ୍ଧ୍ୟା ବେଳକୁ ଇସ୍ରାଏଲ ଆକ୍ରମଣ ବଦଲା ନେବାକୁ ଇରାନ ମଧ୍ୟ ତେଲ ଅଭିଭ, ଜେରୁଜେଲମ ଓ ହାଇଫା ଭଳି ସହର ଉପରେ ମିସାଇଲ ବର୍ଷା କରିଥିଲା। ଯୁଦ୍ଧ ବିମାନ ଓ ଡ୍ରୋନ ଇସ୍ରାଏଲ ଆକାଶରେ ପଇଁତରା ମାରିଥିଲା। ଇରାନ ଆକ୍ରମଣକୁ ପ୍ରତିହତ କରିବାକୁ ଇସ୍ରାଏଲ ଆଇରନ ଡୋମ ଏୟାର ଡିଫେନ୍ସ ବ୍ୟବହାର କରିଥିଲେ ହେଁ କିଛି ମିସାଇଲ ଦେଶର ରାଜଧାନୀ ତେଲ ଅଭିଭକୁ ହିଟ କରିବାରେ ସକ୍ଷମ ହୋଇଥିଲା।
ବାସ୍ ଏହି ଆକ୍ରମଣ ତୀବ୍ର ରୂପ ନେଇଥିଲା। ଏବେ ଦୁଇ ଦେଶ ମଧ୍ୟରେ ଘମାଘୋଟ ଲଢ଼େଇ ୫ମ ଦିନରେ ପହଞ୍ଚି ଥିବା ବେଳେ ଏହା ଥମିବାର ନାଁ ଧରୁନି। ସୋମବାର ଆକ୍ରମଣ ଭୟଙ୍କର ରୂପ ନେଇଥିବା ବେଳେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଲଢ଼େଇ କେବଳ ଇରାନର ସୁପ୍ରିମ ଲିଡର ଅୟତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ ହିଁ ଶେଷ ହେବ ବୋଲି କହିଛନ୍ତି।
ଇରାନ ଠାରୁ ବିପଦ ଆଶଙ୍କା କରୁଥିଲା ଇସ୍ରାଏଲ୍
ବେଶ କିଛି ବର୍ଷ ହେଲା ଇସ୍ରାଏଲ କହି ଆସୁଛି ଯେ ଯଦି ଇରାନ ଆଣବିକ ବୋମାର ଅଧିକାର ହୋଇଯାଏ, ତା’ହେଲେ ତେଲ ଅଭିଭ ସବୁଠାରୁ ଅଧିକ କ୍ଷତି ସହିବ। କାରଣ ଇରାନ ସବୁବେଳେ ଇସ୍ରାଏଲକୁ ବିରୋଧ କରି ଆସୁଛି। ଇସ୍ରାଏଲର ତିଷ୍ଠି ରହିବାର ଅଧିକାର ନାହିଁ ବୋଲି ଇରାନ ମତ ରଖି ଚାଲିଛି। ଦୀର୍ଘ ଦଶନ୍ଧି ଧରି ଇସ୍ରାଏଲ ଓ ଇରାନ ମଧ୍ୟରେ ଚ୍ଛାୟା ଯୁଦ୍ଧ ଜାରି ରହିଛି।
ତେହରାନ ସ୍ଥାନୀୟ ସଶସ୍ତ୍ର ଗୋଷ୍ଠୀ ବା ସଂଗଠନ ଗୁଡ଼ିକର ସମର୍ଥନ କରୁଛି। ଏହି ଗ୍ରୁପ ଗୁଡ଼ିକ ସିଧାସଳଖ ଇସ୍ରାଏଲ ସହ ଲଢ଼େଇ କରୁଛନ୍ତି। ବିଶେଷ କ ଲେବାନନରେ ଥିବା ହେଜବୁଲ୍ଲା, ଗାଜାରେ ହମାସ ଓ ୟେମେନରେ ହାଉଥୀ ଭଳି ସଂଗଠନକୁ ଇରାନ ସହାୟତା କରୁଛି। ଏହି ସଂଗଠନଗୁଡ଼ିକ ଇସ୍ରାଏଲ ବିରୋଧରେ ଲଢ଼େଇ କରୁଛନ୍ତି। ଇସ୍ରାଏଲ ସେନା ଗାଜାରେ ଆକ୍ରମଣ କରିବା ଦିନ ଠାରୁ ଇରାନ ସମର୍ଥିତ ଛାୟା ସଂଗଠନ ଗୁଡ଼ିକ ପାଲେଷ୍ଟାଇନ ସମର୍ଥନରେ ବାହାରିଛନ୍ତି। ସେମାନେ ଇସ୍ରାଏଲ ବିରୋଧରେ ନିଜର ଆକ୍ରମଣକୁ ଜୋରଦାର କରିଛନ୍ତି।
ଏକଦା ଭଲ ବନ୍ଧୁ ଥିଲେ ଇରାନ ଓ ଇସ୍ରାଏଲ
୧୯୪୮ ମସିହାକୁ ଆମେ ଫେରିଯିବା। ପଶ୍ଚିମ ଏସିଆରେ ଥିବା ଅଧିକାଂଶ ମୁସଲିମ ବହୁଳ ଅଞ୍ଚଳ ନୂଆ କରି ଗଢ଼ି ଉଠିଥିବା ଇସ୍ରାଏଲକୁ ଅନୁମୋଦନ ଦେଇ ନଥିଲେ। କିନ୍ତୁ ଶିହା ବହୁଳ ଇରାନ ଓ ତୁର୍କୀ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଯାଇଥିଲା। ଏହି ଦୁଇ ଇସଲାମିକ ଦେଶ ଇସ୍ରାଏଲର ସାର୍ବଭୌମତ୍ୱକୁ ସ୍ୱୀକୃତି ଦେଇଥିଲେ। ଏହା ପଛର କାରଣ ଥିଲା ଆମେରିକା।
ସେତେବେଳେ ଇରାନରେ ଶାହ ମହମ୍ମଦ ରେଜା ପହଲଭୀଙ୍କ ଶାସନ ଚାଲିଥାଏ। ସେ ସବୁବେଳେ ପଶ୍ଚିମ ଦେଶ ସହ ସମ୍ପର୍କ ସ୍ଥାପନ ସପକ୍ଷରେ ରହିଥିଲେ। ଶୀତଳ ଯୁଦ୍ଧ ସମୟରେ ଆମେରିକାର ଜଣେ ଘନିଷ୍ଠ ସହଯୋଗୀ ଭାବେ ଆଞ୍ଚଳିକ ସ୍ତରରେ ଇରାନ କାମ କରିଥିଲା। ନୂଆ କରି ଗଠନ ହୋଇଥିବା ଇସ୍ରାଏଲକୁ ଆମେରିକାର ସମର୍ଥନ ଆବଶ୍ୟକ ଥିଲା। ଏପରି ସ୍ଥିତିରେ ଇରାନର ବନ୍ଧୁତା ଇସ୍ରାଏଲକୁ ଆହୁରି ଲାଭ ଦେଇଥିଲା।
ବିଗତ କିଛି ଦଶନ୍ଧି ଧରି ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ଡାଭିଡ ବେନ ଗୁରିଅନଙ୍କ ସିଦ୍ଧାନ୍ତ ଅନୁସାରେ ଅଣ ଆରବ ଦେଶଗୁଡ଼ିକ ସହ ଭଲ ବନ୍ଧୁତା ସ୍ଥାପନ କାମରେ ଲାଗି ପଡ଼ିଥିଲା। ଇସ୍ରାଏଲର ଏପରି ଆଭିମୁଖ୍ୟ ଯୋଗୁ ଇରାନ, ତୁର୍କୀ ଓ ଇଥୋପିଆ ମଧ୍ୟ ଲାଭ ପାଇଥିଲେ। ଏହି ୪ ରାଷ୍ଟ୍ର ଅର୍ଥନୀତିକ ଭାଗିଦାରୀ, ଅସ୍ତ୍ରଶସ୍ତ୍ର ବିକ୍ରି ଓ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନର ଲାଭ ପାଇବା ନେଇ ଆଶା ରଖିଥିଲେ।
ବିଶେଷ କରି ଇସ୍ରାଏଲର ମୋସାଦ ଓ ଇରାନର ସାବାକ ମିଳିତ ଭାବେ କାମ କରିଥିଲେ। ଇରାନ ପକ୍ଷରୁ ଇସ୍ରାଏଲକୁ ଅଶୋଧିତ ତୈଳ ଯୋଗାଣ କରାଯାଇଥିଲା। ଇସ୍ରାଏଲକୁ ବୟକଟ କରି ଆରବ ଦେଶରେ ୬ ଦିନ କାଳ ଯୁଦ୍ଧ ଲାଗି ରହିଥିଲେ ହେଁ ଇରାନ ସମର୍ଥନ ବନ୍ଦ କରି ନଥିଲା। ଏହାର ବଦଳରେ ଇରାନର ବାଣିଜ୍ୟ ଓ ଭିତ୍ତିଭୂମି ଅଭିବୃଦ୍ଧିରେ ଇସ୍ରାଏଲ ସହାୟତା କରିଥିଲା।
ସମୟକ୍ରମେ ସବୁ କିଛି ଠିକ ହୋଇ ଯାଇଥିଲା। ଆଗକୁ ମଧ୍ୟ ସବୁ କିଛି ଠିକଠାକ ଚାଲିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଠିକ ଏହି ସମୟରେ ଅର୍ଥାତ ୧୯୭୯ ବେଳକୁ ସମଗ୍ର ଇରାନରେ ଇସଲାମିକ ବିପ୍ଳବ ଆରମ୍ଭ ହୋଇଥିଲା। ଶାହ ସରକାର ହଟିବା ପରେ ଅୟତୋଲ୍ଲା ରୁହୋଲ୍ଲା ଖାମେନିଙ୍କ ନେତୃତ୍ୱରେ ଇସଲାମିକ ରିପବ୍ଲିକ ଗଠନ ହେବା ପରେ ଇରାନ-ଇସ୍ରାଏଲ ସମ୍ପର୍କ ବଦଳି ଯାଇଥିଲା।
ଦୁଇ ଦେଶ ମଧ୍ୟରେ ବ୍ରେକ ଅପ୍
ଅୟତୋଲ୍ଲା ରୁହୋଲ୍ଲା ଖାମେନି ଶାସନକୁ ଆସିବା ପରେ ବ୍ରେକ ଅପ ସୁନିଶ୍ଚିତ ବୋଲି ସମସ୍ତେ ଜାଣିଥିଲେ। କାରଣ ଏହାପୂର୍ବରୁ ମଧ୍ୟ ଇରାନରେ ଥିବା ଇସଲାମିକ ତତ୍ତ୍ୱମାନେ ଇସ୍ରାଏଲ ସହ ତେହରାନର ସମ୍ପର୍କକୁ ବିରୋଧ କରୁଥିଲେ। ସେମାନେ ପାଲେଷ୍ଟାଇନ ଲୋକଙ୍କ ଅଧିକାର ପାଇଁ ଓକିଲାତି କରୁଥିଲେ ଓ ସେମାନେ ଇସ୍ରାଏଲ ସହ କରୁଥିବା ଲଢ଼େଇକୁ ସହାୟତା କରୁଥିଲେ। ଏପରି କି ପାଲେଷ୍ଟାଇନ ଲୋକଙ୍କ ପାଇଁ ପାଣ୍ଠି ଯୋଗାଡ଼ କରୁଥିଲେ।
୧୯୭୯ ମସିହା ପରେ ଗୋଟିଏ ବଡ଼ ବ୍ରେକ ହୋଇଥିଲା। ଇରାନ ଆଉ ଇସ୍ରାଏଲ ପାସପୋର୍ଟକୁ ଗ୍ରହଣ କରି ନଥିଲା। ସେହିପରି ଇସ୍ରାଏଲ ଅଧୀନରେ ଥିବା ପାଲେଷ୍ଟାଇନକୁ ଇରାନ ପାସପୋର୍ଟଧାରୀଙ୍କୁ ଛଡ଼ା ଯାଇ ନଥିଲା। ଏପରି ସ୍ଥିତିରେ ଇରାନ ପକ୍ଷରୁ ଇସ୍ରାଏଲକୁ ଇସଲାମର ଶତ୍ରୁ ଭାବେ ଘୋଷଣା କରାଯାଇଥିଲା।
୧୯୮୦ ଓ ୯୦ ଦଶକରେ ଇରାନ ବିଭିନ୍ନ ବିଦ୍ରୋହୀ ସଶସ୍ତ୍ର ବଳଙ୍କ ପ୍ରାୟୋଜକ ସାଜିବା ଆରମ୍ଭ କରିଥିଲା। ଲେବାନନରେ ହେଜବୁଲ୍ଲାକୁ ଇରାନ ସମର୍ଥନ କରିଥିଲା। ବିଶେଷ କରି ୧୯୮୨ରେ ଇସ୍ରାଏଲ ସେଠାରେ ତା’ର ବିଭିନ୍ନ ପ୍ରତିଷ୍ଠାନ ଖୋଲିବାରୁ ଏହାକୁ ବିରୋଧ କରି ଇରାନ ହେଜବୁଲ୍ଲାକୁ ବିଦ୍ରୋହ କରିବାରେ ସହାୟତା ଯୋଗାଇ ଦେଇଥିଲା।
ଏହାପରେ ୟେମେନରେ ହାଉଥୀ ଓ ଗାଜାରେ ହମାସକୁ ମଧ୍ୟ ଇସ୍ରାଏଲ ବିରୋଧରେ ପାଣ୍ଠି ଯୋଗାଣ କରିଥିଲା। ସେମାନଙ୍କୁ ପାଣ୍ଠି ଠାରୁ ଆରମ୍ଭ କରି ତାଲିମ ଦେବାରେ ଇରାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହାପରେ ସେମାନଙ୍କୁ ଇସ୍ରାଏଲ ବିରୋଧରେ ଆକ୍ରମଣ କରିବାକୁ ଉସକାଉଥିଲା।
୧୯୮୩ରେ ଲେବାନନରେ ଥିବା ଇସ୍ରାଏଲ ସାମରିକ ମୁଖ୍ୟାଳୟରେ ଇରାନ ନିର୍ଦ୍ଦେଶରେ ହେଜବୁଲ୍ଲା ପକ୍ଷରୁ ଆତ୍ମଘାତୀ କାର ବିସ୍ଫୋରଣ କରାଯାଇଥିଲା। ଏଥିଯୋଗୁ ପଶ୍ଚିମ ଦେଶ ଓ ଇସ୍ରାଏଲକୁ ଲେବାନନ ଛାଡ଼ିବାକୁ ପଡ଼ିଥିଲା। ଏପରି କାଣ୍ଡ କାରନାମା ଇରାନ ଦୀର୍ଘ ଦୁଇ ଦଶନ୍ଧି ଧରି ଇସ୍ରାଏଲ ବିରୋଧରେ ଜାରି ରଖିଥିଲା। ୨୦୦୦ ମସିହା ଡିସେମ୍ବର ମାସରେ ଅୟତୋଲ୍ଲା ଅଲୀ ଖାମେନି କ୍ଷମତା ଦଖଲ କରିବା ପରେ ଇସ୍ରାଏଲକୁ ‘କର୍କଟ ରୂପକ ଟ୍ୟୁମର’ ବୋଲି ଘୋଷଣା କରିଥିଲେ।
ଏଥିସହ ଇସ୍ରାଏଲକୁ ମଧ୍ୟପ୍ରାଚ୍ୟରୁ ହଟାଇ ଦେବାକୁ ଆହ୍ୱାନ ଦେଇଥିଲେ। ଏହାର ୫ ବର୍ଷ ପରେ ସେ ଘୋଷଣା କରିଥିଲେ ଯେ ପାଲେଷ୍ଟାଇନ ସଂପୂର୍ଣ୍ଣ ଭାବେ ପାଲେଷ୍ଟାଇନ ଲୋକଙ୍କର। ଏହାର ଭବିଷ୍ୟତ ପାଲେଷ୍ଟାଇନ ଲୋକଙ୍କ ହିଁ ନିର୍ଦ୍ଦାରଣ କରିବେ।
ବାସ୍ ସେବେଠାରୁ ଇସ୍ରାଏଲ ବିରୋଧରେ ବିଭିନ୍ନ ଆଡ଼ୁ ଆକ୍ରମଣର ଭୟ ସୃଷ୍ଟି ହୋଇଥିଲା। ତେବେ ୨୦୨୩ ଅକ୍ଟୋବର ମାସରେ ହମାସ ପକ୍ଷରୁ ଇସ୍ରାଏଲ ଉପରେ ସବୁଠାରୁ ବଡ଼ ହମଲା କରାଯାଇଥିଲା। ଏହାର ବଦଲା ନେବାକୁ ଇସ୍ରାଏଲ ସେବେଠାରୁ ହେଜବୁଲ୍ଲା ଓ ହମାସ ବିରୋଧରେ ଲଢ଼େଇ କରି ଚାଲିଛି। ଗାଜାରେ ସକ୍ରିୟ ଥିବା ହମାସ ବିରୋଧରେ ଇସ୍ରାଏଲ ନିର୍ଣ୍ଣାୟକ ଯୁଦ୍ଧ କରୁଛି।
ଏହି ଲଢ଼େଇ ଭିତରେ ଗତବର୍ଷ ଇରାନ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଏହାର ଜବାବ ଦେଇ ଇସ୍ରାଏଲ ମିସାଇଲ ମାଡ଼ କରିଥିବାରୁ ଇରାନର ମିସାଇଲ ଠିକଣା ଓ ଏୟାର ଡିଫେନ୍ସ ସିଷ୍ଟମ ଦୁର୍ବଳ ହୋଇ ପଡ଼ିଥିଲା।
ସେବେଠାରୁ ଛକା ପଞ୍ଝା ଲାଗି ରହିଥିବା ବେଳେ ଜୁନ ୧୩ରେ ଇରାନ ବିରୋଧରେ ଇସ୍ରାଏଲ ତା’ର ଅପରେସନ ରାଇଜିଂ ଲାୟନ ଆରମ୍ଭ କରିଛି। ଇରାନ ଆଣବିକ ଯୁଦ୍ଧାସ୍ତ୍ରକୁ ବିକଶିତ କରୁଥିବା ଖବର ମିଳିବା ପରେ ଇସ୍ରାଏଲ ଏହାକୁ ନଷ୍ଟ କରିବାକୁ ଲାଗି ପଡ଼ିଛି। କାରଣ ଇସ୍ରାଏଲ ଭଲ ଭାବେ ଜାଣିଛି ଯେ ଯଦି ଇରାନ ଆଣବିକ ଯୁଦ୍ଧାସ୍ତ୍ରର ଅଧିକାରୀ ହେବ, ତା’ହେଲେ ବିଶ୍ୱ ମାନଚିତ୍ରରୁ ଇସ୍ରାଏଲର ଚିହ୍ନବର୍ଣ୍ଣ ଲିଭି ଯିବ। ଏବେ ନିଜର ସୁରକ୍ଷା ପାଇଁ ଇସ୍ରାଏଲ ଲାଗି ପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
