Advertisment

ହେଜବୁଲ୍ଲାକୁ ଆଉ ଏକ ଝଟକା: ଗୁଇନ୍ଦା ବିଭାଗର କମାଣ୍ଡରଙ୍କୁ ହତ୍ୟା କଲା ଇସ୍ରାଏଲ

ଇସ୍ରାଏଲ ସେନା ହେଜବୁଲ୍ଲାର ମୂଳପୋଛ କରିବା ପାଇଁ ଲେବାନନରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିପାରେ ବୋଲି କୁହାଯାଉଛି।

author-image
Hemant Lenka
hezbollah

hezbollah

ଇରାନ ସମର୍ଥିତ ବିଦ୍ରୋହୀ ସଂଗଠନ ହେଜବୁଲ୍ଲାକୁ ଲାଗିଛି ଆଉ ଏକ ଝଟକା। ଲେବାନନରେ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ସଂଗଠନର ଆଉ ଜଣେ ଶୀର୍ଷ ନେତା ପ୍ରାଣ ହରାଇଛନ୍ତି। ଶୁକ୍ରବାର ଏୟାର ଷ୍ଟ୍ରାଇକରେ ହେଜବୁଲ୍ଲାର ମୁଖ୍ୟ ଶେଖ ହାସନ ନସ୍ରଲ୍ଲାଙ୍କ ସମେତ ଆଉ କିଛି କମାଣ୍ଡର ପ୍ରାଣ ହରାଇଥିଲେ। ଶନିବାର ଇସ୍ରାଏଲ ବେରୁଟ ଉପକଣ୍ଠ ଦାହିୟେରେ ପୁଣି ବୋମା ମାଡ଼ କରିଥିଲା। ଏଥିରେ ହେଜବୁଲ୍ଲା ଗୁଇନ୍ଦା ଡିଭିଜନର ଜଣେ ଟପ କମାଣ୍ଡର ପ୍ରାଣ ହରାଇଛନ୍ତି।

Advertisment

ଇସ୍ରାଏଲ ସେନା ଦେଇଥିବା ସୂଚନାକୁ ଆଧାର କରି ଟାଇମ୍ସ ଅଫ ଇସ୍ରାଏଲରେ ଏନେଇ ଖବର ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ହେଜବୁଲ୍ଲାର ଏକାଧିକ ଗୁଇନ୍ଦା ଡିଭିଜନ ମଧ୍ୟରୁ ଗୋଟିଏର ନେତୃତ୍ୱ ନେଉଥିବା ହାସନ ଖଲିଲ ୟାସିନର ମୃତ୍ୟୁ ହୋଇଛି। ଇସ୍ରାଏଲ ଶନିବାର କରିଥିବା ଏୟାର ଷ୍ଟ୍ରାଇକରେ ୟାସିନ ଆଖି ବୁଜିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଆଇଡିଏଫର କହିବା କଥା ଯେ ହେଜବୁଲ୍ଲାର ଟପ କମାଣ୍ଡର ୟାସିନ ଇସ୍ରାଏଲରେ ଥିବା ଇସ୍ରାଏଲ ସେନା ଓ ଜନବସତିକୁ ଚିହ୍ନଟ କରୁଥିଲେ। ଏହାପରେ ହେଜବୁଲ୍ଲା ସେଗୁଡ଼ିକୁ ଟାର୍ଗେଟ କରୁଥିଲା। ହେଜବୁଲ୍ଲାର ରକେଟ, ମିଶାଇଲ ଓ ଡ୍ରୋନ ୟୁନିଟ ସହ ସମନ୍ୱୟ ରକ୍ଷା କରି ୟାସିନ କାର୍ଯ୍ୟ କରୁଥିଲେ।

Advertisment

ଏହାବାଦ ସେ ବ୍ୟକ୍ତିଗତ ଭାବେ ଇସ୍ରାଏଲ ଓ ହେଜବୁଲ୍ଲା ଯୁଦ୍ଧ ଆରମ୍ଭରୁ ସାଧାରଣ ଲୋକ ଏବଂ ସେନା ବିରୋଧରେ ଆକ୍ରମଣର ରଣନୀତି ପ୍ରସ୍ତୁତ କରିଥିଲେ ବୋଲି ଇସ୍ରାଏଲ ସେନା କହିଛି।

ଶୁକ୍ରବାର ଏୟାର ଷ୍ଟ୍ରାଇକରେ ହେଜବୁଲ୍ଲା ମୁଖ୍ୟ ପ୍ରାଣ ହରାଇଥିଲେ ହେଁ ଇସ୍ରାଏଲ ସେନା ଲେବାନନରେ ଆକ୍ରମଣ ବନ୍ଦ କରି ନାହାନ୍ତି। ଏବେ ଇସ୍ରାଏଲ ସେନା ହେଜବୁଲ୍ଲାର ମୂଳପୋଛ କରିବା ପାଇଁ ଲେବାନନରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିପାରେ ବୋଲି ମଧ୍ୟ କୁହାଯାଉଛି।

Hezbollah Israel-Hezbollah War Hezbollah Chief