Advertisment

ତୁର୍କୀରେ ତୁହାକୁ ତୁହା ଭୂମିକମ୍ପ, ବଢ଼ୁଛି ମୃତ୍ୟୁ ସଂଖ୍ୟା

ଦକ୍ଷିଣ ତୁର୍କୀର ଏଲବିଷ୍ଟନ ଜିଲ୍ଲାରେ ଆଉ ଏକ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Earthquake

Earthquake

ତୁହାକୁ ତୁହା ଭୂମିକମ୍ପ। ପୁଣି ଦୋହଲିଲା ତୁର୍କୀ। ୧୨ ଘଣ୍ଟା ଭିତରେ ଉତ୍ତର ତୁର୍କୀରେ ଆଉ ଏକ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟରେ ସ୍କେଲରେ ଏହାର ତୀବ୍ରତା ୭.୬ ରେକର୍ଡ କରାଯାଇଛି।

Advertisment

ଦକ୍ଷିଣ ତୁର୍କୀର ଏଲବିଷ୍ଟନ ଜିଲ୍ଲାର କାହରାମନାରାଶରେ ମଧ୍ୟାହ୍ନ ସାଢ଼େ ଗୋଟାଏରେ ଆଉ ଏକ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏନେଇ ତୁର୍କୀର ଡିଜାଷ୍ଟର ଏଜେନ୍ସି ସୂଚନା ଦେଇଇଛି। ଏଥିଲାଗି ମୃତ୍ୟୁସଂଖ୍ୟା ଆଗକୁ ବଢ଼ିବା ନେଇ ଆଶଙ୍କା କରାଯାଇଛି। ଏଥିସହ ଏହି ଭୂକମ୍ପ ଯୋଗୁ ଉଦ୍ଧାର କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି।

Advertisment

କେବଳ ତୁର୍କୀ ନୁହେଁ ସିରିୟାରେ ମଧ୍ୟ ପୁଣି ଥରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ସିରିୟାର ଦମିସ୍କ, ଲତାକିୟା ଓ ଅନ୍ୟ ଅଞ୍ଚଳ ପୁଣିଥରେ ଦୋହଲିଛି। ଏନେଇ ସିରିୟାର ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି। ତେବେ ଏଥିରେ କେତେ କ୍ଷୟକ୍ଷତି ଘଟିଛି ସେ ନେଇ କିଛି ସୂଚନା ମିଳିନାହିଁ।

ସେପଟେ ସୋମବାର ଭୋର ୪.୧୮ରେ ଆସିଥିବା ଭୂମିକମ୍ପ ତୁର୍କୀ ଓ ସିରିୟାରେ ପ୍ରଳୟ ରଚିଛି। ୭.୮ ତୀବ୍ରତାର ଆସିଥିବା ଏହି ଭୂମିକମ୍ପ ଯୋଗୁ ବହୁ କ୍ଷୟକ୍ଷତି ଘଟିଛି। ମୃତ୍ୟୁ ସଂଖ୍ୟା ୧୪୦୦ ଟପିଛି। ୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେ ବି ଅନେକ ଲୋକ ଧ୍ୱଂସାବଶେଷ ତଳେ ଫସି ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବା ଆଶଙ୍କା କରାଯାଉଛି।

ଭୂମିକମ୍ପ ଭୋର ସମୟରେ ଆସିଥିବାରୁ ସେତେବେଳେ ଅନେକ ଲୋକ ଶୋଇଥିଲେ। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ତାହା ସାଇପ୍ରସ ଓ ଇଜିପ୍ଟରେ ମଧ୍ୟ ଅନୁଭୂତ ହୋଇଥିଲା। ସିରିଆର ନ୍ୟାସନାଲ ସେସମୋଲୋଜିକାଲ ସେଣ୍ଟରର ମୁଖ୍ୟ କହିଛନ୍ତି ଯେ ଏହା ଦେଶର ଇତିହାସରେ ସବୁଠାରୁ ବଡ଼ ଭୂମିକମ୍ପ। ତୁର୍କୀ ଓ ସିରିୟାରେ ପ୍ରବଳ ଥଣ୍ଡା ଓ ବରଫ ଝଡ଼ ଯୋଗୁଁ ବି ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଛି।

ସେପଟେ ତୁର୍କୀରେ ଉଦ୍ଧାର କାମ ପାଇଁ ଭାରତ ସହାୟତାର ହାତ ବଢ଼ାଇଛି। ଦୁଇଟି ଏନ୍‌ଡିଆର୍‌ଫ ଟିମ୍‌, ଡଗ୍ ସ୍କ୍ୱାଡ, ଡାକ୍ତରୀ ଟିମ୍‌ଙ୍କ ସମେତ ଆବଶ୍ୟକୀୟ ସାମଗ୍ରୀ ତୁର୍କୀକୁ ପଠାଇବା ପାଇଁ ଭାରତ ସରକାର ଘୋଷଣା କରିଛନ୍ତି। ଏଭଳି ଦୁଃଖଦ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତୁର୍କୀ ସହ ଠିଆ ହେବାକୁ ଭାରତ ପ୍ରତିଶ୍ରୁତି ଦେଇଛି।

Earthquake Turkey