/odisha-reporter/media/media_files/2026/01/25/dead-2026-01-25-16-06-27.jpg)
ମୃତ ବ୍ୟକ୍ତି
ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ଜାରି ରହିଛି। ସେଠାରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନରସିଙ୍ଗଡି ଜିଲ୍ଲାରେ ଏହି ଘଟଣା ଘଟିଛି।
ମୃତ ଯୁବକଙ୍କ ନାଁ ଚଞ୍ଚଳ ଚନ୍ଦ୍ର ଭୌମିକ। ତାଙ୍କ ନିଜ ଘର ବାଂଲାଦେଶର କୁମିଲା ଜିଲ୍ଲାର ଲକ୍ଷ୍ମୀପୁର ଗାଁରେ। ଚଞ୍ଚଳ ତାଙ୍କ ବାପାମା’ଙ୍କ ମଝିଆଁ ପୁଅ ଥିଲେ। ସେ ବହୁ ବର୍ଷ ହେଲାଣି ନରସିଙ୍ଗଡିରେ ରହୁଥିଲେ। ସେଠାରେ ସେ ଏକ ଗ୍ୟାରେଜ କରିଥିଲେ।
ନରସିଙ୍ଗଡି ପୁଲିସ ଲାଇନ୍ସ ପାଖରେ ଥିବା ମସଜିଦ ମାର୍କେଟ ପାଖରେ ଗ୍ୟାରେଜ କରିଥିଲେ ଚଞ୍ଚଳ। ଗତ ଶୁକ୍ରବାର ବିଳମ୍ବିତ ରାତିରେ ସେ ଗ୍ୟାରେଜ ଭିତରେ ଶୋଇଥିବା ବେଳେ ସେଥିରେ ନିଆଁ ଲଗାଇ ଦିଆଯାଇଥିଲା। ଅଭିଯୋଗ ଅନୁଯାୟୀ, କିଛି ଲୋକ ପ୍ରଥମେ ତାଙ୍କ ଦୋକାନର ଶଟରରେ ବାହାରପଟୁ ତାଲା ପକାଇ ଦେଇଥିଲେ। ତା’ପରେ ପେଟ୍ରୋଲ ଢାଳି ଦୋକାନରେ ନିଆଁ ଲଗାଇ ଦେଇଥିଲେ।
ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ତାଙ୍କ ଗ୍ୟାରେଜରେ ଜଣେ ଲୋକ ନିଆଁ ଲଗାଉଥିବା ଏଥିରେ ଦେଖିବାକୁ ମିଳିଛି। ନିଆଁ ଅତି ଅଳ୍ପ ସମୟରେ ପୂରା ଗ୍ୟାରେଜକୁ ନିଜ କବଳକୁ ନେଇ ଯାଇଥିଲା।
ଗ୍ୟାରେଜରେ ନିଆଁ ଲାଗିଥିବା ଜାଣିବା ପରେ ସ୍ଥାନୀୟ କିଛି ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ନରସିଙ୍ଗଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ପ୍ରୟାସ କରିଥିଲା। ପ୍ରାୟ ଘଣ୍ଟାଏ ପରେ ନିଆଁ ଲିଭିଥିଲା। ନିଆଁ ଲିଭିବା ପରେ ଗ୍ୟାରେଜ ଭିତରୁ ଚଞ୍ଚଳଙ୍କ ପୋଡ଼ା ମୃତଦେହକୁ ବାହାର କରାଯାଇଥିଲା।
ଚଞ୍ଚଳଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ସେ ଗ୍ୟାରେଜରେ ରହୁଥିବା ନେଇ ସମସ୍ତେ ଜାଣିଥିଲେ। ତେଣୁ ତାଙ୍କୁ ମାରିବା ଉଦ୍ଦେଶ୍ୟରେ ହିଁ ହତ୍ୟାକାରୀ ଗ୍ୟାରେଜରେ ନିଆଁ ଲଗାଇଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସେମାନେ ଦାବି କରିଛନ୍ତି।
ପୁଲିସ କହିଛି ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ମାମଲାର ତଦନ୍ତ ଜାରି ରହିଛି।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ସେମାନଙ୍କ ସୁରକ୍ଷା ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ସ୍ଥାନୀୟ ହିନ୍ଦୁମାନେ ଏହି ଘଟଣାକୁ ତୀବ୍ର ସମାଲୋଚନା କରିଛନ୍ତି ଓ ହତ୍ୟାକାରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ତା’ସହିତ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ପ୍ରଶାସନ ପଦକ୍ଷେପ ନେଉ ବୋଲି ଦାବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
