/odisha-reporter/media/media_files/2026/01/09/iran-2026-01-09-10-32-06.jpg)
ଇରାନରେ ବିକ୍ଷୋଭ
ଇରାନ( Iran Protest)ରେ ତୀବ୍ର ହୋଇଛି ଆନ୍ଦୋଳନ। ଦେଶର ସୁପ୍ରିମ ଲିଡର ଅୟୋତୁଲ୍ଲା ଅଲୀ ଖାମେନେଇଙ୍କ ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଗୁରୁବାର ଭୟଙ୍କର ରୂପ ଧାରଣ କରିଛି। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ଭଙ୍ଗାରୁଜା ଯୋଗୁ ସ୍ଥିତି ଅଣାୟାତ୍ତ ହୋଇ ଉଠିଛି। ଏଥିଯୋଗୁ ଗୁରୁବାର ରାତିରୁ ଦେଶରେ ଇଣ୍ଟରନେଟ ଓ ଟେଲିଫୋନ ସେବାକୁ ବନ୍ଦ କରି ଦିଆଯାଇଛି।
ଦେଶର ନିର୍ବାସିତ କ୍ରାଉନ ପ୍ରିନ୍ସ ରେଜା ପହଲାଭି ବଡ଼ ବିକ୍ଷୋଭ ପାଇଁ ଆହ୍ୱାନ ଦେବାରୁ ହଜାର ହଜାର ଲୋକ ରାଜଧାନୀ ତେହରାନରେ ଏକାଠି ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଖାମେନେଇ ସରକାର ଏପରି ପଦକ୍ଷେପ ନେଇଛନ୍ତି।
ପହଲାଭିଙ୍କ ବିକ୍ଷୋଭ ଆହ୍ୱାନ ପରେ ତେହରାନରେ ରହୁଥିବା ଲୋକମାନେ ଘରୁ ବାହାରି ବିକ୍ଷୋଭ ଆରମ୍ଭ କରି ନେଇଛନ୍ତି। ଫଳରେ ୧୨ ଦିନ ଧରି ଦେଶରେ ଚାଲିଥିବା ବିକ୍ଷୋଭ ଆହୁରି ତୀବ୍ର ହୋଇଛି। ଦର ବୃଦ୍ଧି, ନିଯୁକ୍ତି ଓ ଜୀବନ ଧାରଣାରେ ଇରାନବାସୀ ଭୋଗୁଥିବା ସମସ୍ୟା ଯୋଗୁ ରାଜରାସ୍ତାକୁ ଓହ୍ଲାଇଛନ୍ତି।
ଗୁରୁବାର ରାତିରେ ଆନ୍ଦୋଳନ ତୀବ୍ର ହେବାରୁ ଇଣ୍ଟରନେଟ ଓ ଫୋନ ସେବାକୁ ଖାମେନେଇ ସରକାର ବନ୍ଦ କରି ଦେଇଛନ୍ତି। ବିଭିନ୍ନ ଅଞ୍ଚଳର ନୋଟାମ(ନୋଟିସ ଟୁ ଏୟାରମେନ)ମାନଙ୍କୁ ନୋଟିସ କରାଯାଇଛି ଓ ତାବ୍ରିଜ ଅନ୍ତର୍ଜାତୀୟ ବିମାନବନ୍ଦରର ସେବାକୁ ବାତିଲ କରାଯାଇଛି।
ଏକ୍ସରେ ଗୋଟିଏ ପୋଷ୍ଟ କରି ପହଲାଭି ପୂରା ଇରାନରେ ଇଣ୍ଟରନେଟ ସେବାକୁ ବାତିଲ କରିଥିବା ଖାମେନେଇ ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ ପୂରା ଘଟଣା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେହରାନକୁ ଉତ୍ତରଦାୟୀ କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସେ କହିଛନ୍ତି, “ଲାକ୍ଷାଧିକ ଇରାନବାସୀ ଆଜି ରାତିରେ ସେମାନଙ୍କ ସ୍ୱାଧୀନତା ଦାବି କରିଛନ୍ତି। ଏହାର ପ୍ରତିବଦଳରେ ଇରାନ ଯୋଗାଯୋଗର ସମସ୍ତ ଲାଇନକୁ କାଟି ଦେଇଛି। ଇଣ୍ଟରନେଟକୁ ବନ୍ଦ କରିଛି। ଲ୍ୟାଣ୍ଡସେବା ବନ୍ଦ ରହିଛି। ଇରାନ ସରକାର ସ୍ୟାଟେଲାଇଟ ସିଗ୍ନାଲକୁ ମଧ୍ୟ ଜାମ କରିବାକୁ ଉଦ୍ୟମ କରିପାରନ୍ତି।
ମୁକ୍ତ ବିଶ୍ୱର ନେତା, ରାଷ୍ଟ୍ରପତି ଟ୍ରମ୍ପଙ୍କୁ ମୁଁ ଧନ୍ୟବାଦ ଜଣାଉଛନ୍ତି। ପୂରା ଘଟଣା ପାଇଁ ସେ ଶାସକ ଦଳକୁ ଉତ୍ତରଦାୟୀ କରିଛନ୍ତି। ଏବେ ଅନ୍ୟମାନଙ୍କର ସମୟ। ୟୁରୋପୀୟ ନେତାମାନେ ତାଙ୍କ ନେତୃତ୍ୱକୁ ଅନୁକୋରଣ କରନ୍ତୁ। ନିଜର ନୀରବତା ଭାଙ୍ଗନ୍ତୁ। ସେମାନେ ଇରାନବାସୀଙ୍କ ସମର୍ଥନରେ ପଦକ୍ଷେପ ଗ୍ରହଣ କରନ୍ତୁ।”
ଇଣ୍ଟରନେଟ ମନିଟରିଂ ଗ୍ରୁପ ନେଟବ୍ଲକ୍ସ କହିଛି ଯେ ଏକାଧିକ ସେବା ପ୍ରଦାନକାରୀ ସଂସ୍ଥାର ଯୋଗାଯୋଗ ସେବା ଭୁଶୁଡ଼ି ପଡ଼ିଛି। ଗୋଟିଏ ସମ୍ବେଦନଶୀଳ ମୁହୂର୍ତ୍ତରେ ଦେଶର ଅଧିକାଂଶ ଅଞ୍ଚଳ ଅଫଲାଇନ ହୋଇଯାଇଛି। ଏବେ ପୂରା ଇରାନରେ ଇଣ୍ଟରନେଟ ବ୍ଲାକଆଉଟ ହୋଇଯାଇଛି।
ବିକ୍ଷୋଭ ବଢ଼ୁଥିବାରୁ ଇରାନର ଖାମେନେଇ ସରକାର ପୁଲିସ୍ ପ୍ରଶାସନକୁ ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିକ୍ଷୋଭକୁ ଦମକ କରିବା ପାଇଁ ପୁଲିସ୍ ପକ୍ଷରୁ ମଧ୍ୟ ବଳପ୍ରୟୋଗ କରାଯାଉଛି। ଖାସ ଏଥିପାଇଁ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି।
କିଛି ସ୍ଥାନରେ ପୁଲିସ୍ ପକ୍ଷରୁ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରାଯାଇଛି। ୧୨ ଦିନ ହେଲା ବିକ୍ଷୋଭ ଚାଲିଥିବା ବେଳେ ପ୍ରାୟ ୩୯ ଜଣ ବିକ୍ଷୋଭକାରୀ ପ୍ରାଣ ହରାଇଥିବା ବେଳେ ୨୨୬୦ ଜଣ ଅଟକ ରହିଥିବା ମଧ୍ୟ ବିଭିନ୍ନ ଏଜେନ୍ସି ରିପୋର୍ଟ କରିଛନ୍ତି।
ଏହାକୁ ଦୃଷ୍ଟିରେ ରଖି ଟ୍ରମ୍ପ ପ୍ରଶାସନ ଇରାନକୁ ଖୋଲା ଧମକ ଦେଇଛି। ଯଦି ବିକ୍ଷୋଭକାରୀଙ୍କ ଉପରେ ଇରାନର ଖାମେନେଇ ସରକାର ବଳ ପ୍ରୟୋଗ କରନ୍ତି, ତା’ହେଲେ ସେମାନଙ୍କ ସୁରକ୍ଷା ପାଇଁ ଆମେରିକା ବାଧ୍ୟ ହୋଇ ହସ୍ତକ୍ଷେପ କରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
