Advertisment

ଆର୍ମି ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ସଂଘର୍ଷ, ଘରେ ରହିବାକୁ ଭାରତୀୟଙ୍କୁ ପରାମର୍ଶ

ସ୍ଥିତି ଅତ୍ୟନ୍ତ ଖରାପ ଥିବାରୁ ସୁଦାନରେ ରହୁଥିବା ଭାରତୀୟଙ୍କ ପାଇଁ ଜାରି କରାଯାଇଛି ସତର୍କ ସୂଚନା। ସୁଦାନରେ ରହୁଥିବା ଭାରତୀୟମାନଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି।

author-image
Hemant Lenka
Sudan

Sudan

ସୁଦାନରେ ଏବେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଦେଶର ଆର୍ମି ଓ ଅର୍ଦ୍ଧସାମରିକ ବାହିନୀ ପରସ୍ପର ଉପରେ ଆକ୍ରମଣ କରିଛନ୍ତି। ସେମାନେ ପରସ୍ପରର ବେସ୍‌ କ୍ୟାମ୍ପ ଉପରେ ଆକ୍ରମଣ କରିବାରୁ ଗୁଳି ବିନିମୟ ଓ ବିସ୍ଫୋରଣ ଘଟିଛି। ସ୍ଥିତି ଅତ୍ୟନ୍ତ ଖରାପ ଥିବାରୁ ସୁଦାନରେ ରହୁଥିବା ଭାରତୀୟଙ୍କ ପାଇଁ ଜାରି କରାଯାଇଛି ସତର୍କ ସୂଚନା। ସୁଦାନରେ ରହୁଥିବା ଭାରତୀୟମାନଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି।

Advertisment

ସୁଦାନର ରାଜଧାନୀ ଖାରତୁମରେ ଅବସ୍ଥାପତି ଭାରିତୀୟ ଦୂତାବାସ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ଗୁଳି ବିନିମୟ, ବିସ୍ଫୋରକ ଓ ରକ୍ତାକ୍ତ ସଂଘର୍ଷକୁ ଦୃଷ୍ଟିରେ ରଖି ସବୁ ଭାରତୀୟଙ୍କୁ ଅତ୍ୟନ୍ତ ସତର୍କ ରହିବାକୁ କୁହାଯାଉଛି। ସମସ୍ତେ ଘର ଭିତରେ ରୁହନ୍ତୁ ଓ ବାହାରେ ବୁଲାବୁଲି କରନ୍ତୁ ନାହିଁ। ଦୟାକରି ସମସ୍ତେ ଶାନ୍ତ ରୁହନ୍ତୁ ଓ ଅପଡେଟକୁ ଅପେକ୍ଷା କରନ୍ତୁ।”

ସୁଦାନର ମିଲିଟାରୀ ଲିଡର ଅବଦେଲ ଫତାହ ଅଲ ବୁରହାନ ଓ ତାଙ୍କର ନମ୍ବର ୨ ଅର୍ଦ୍ଧ ପାରାମିଲିଟାରୀ କମାଣ୍ଡର ମହମ୍ମଦ ହାମଦାନ ଡାଗୋଲଙ୍କ ମଧ୍ୟରେ ଦୀର୍ଘ ଗୋଟିଏ ସପ୍ତାହ ହେଲା ବିବାଦ ଲାଗି ରହିଥିଲା। ନିୟମିତ ଆର୍ମିରେ ପାରାମିଲିଟାରୀ ରାପିଡ ସର୍ପୋଟ ଫୋର୍ସ(ଆରଏସ୍‌ଏଫ)ଙ୍କୁ ମିଶାଇ ଦେବା ପାଇଁ ଚାଲିଥିବା ଯୋଜନାକୁ ନେଇ ଟପ୍‌ କମାଣ୍ଡରଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।

Advertisment

ଏହି ବିବାଦ ଶନିବାର ଭୟଙ୍କର ରୂପ ନେବା ସହ ଆର୍ମି ଓ ପାରାମିଲାଟାରୀ ଫୋର୍ସ ପରସ୍ପର ଉପରେ ଆକ୍ରମଣ କରି ଦେଇଛନ୍ତି। ଆକ୍ରମଣରେ ଉଭୟଙ୍କ ସଂସ୍ଥାର ବେସ୍‌କ୍ୟାମ୍ପ କ୍ଷତିଗ୍ରସ୍ତ ହୋଇଛି। ଦକ୍ଷିଣ ଖାରତୁମରେ ଥିବା ଆରଏସଏଫ ବେସ୍‌ କ୍ୟାମ୍ପ ନିକଟରେ ପ୍ରବଳ ବିସ୍ଫୋରଣ, ସଂଘର୍ଷ ଓ ଗୁଳି ବିନିମୟ ହୋଇଥିବା ଜଣାପଡ଼ିଛି।

ଆରଏସଏଫ କହିଛି ଯେ ଏହାର ଯବାନମାନେ ଖାରତୁମ ଏୟାରପୋର୍ଟକୁ ନିଜ ଅକ୍ତିଆରକୁ ନେଇଛନ୍ତି। ଟ୍ରକ୍‌ରେ ଯବାନମାନେ ଏୟାରପୋର୍ଟ ମଧ୍ୟକୁ ଯାଉଥିବା ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି। ଏୟାରପୋର୍ଟ, ବୁରହାନଙ୍କ ବାସଭବନ ଓ ଉତ୍ତର ଖାରତୁମରେ ମଧ୍ୟ ଗୁଳି ବିନିମୟ ହୋଇଛି। ବିଚ୍‌ ରାସ୍ତାରେ ଗୁଳି ଗୋଳା ଚାଳୁଥିବାରୁ ସାଧାରଣ ଲୋକ ଭୟରେ ଦୌଡ଼ାଦୌଡ଼ି ହେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଉଭୟ ଆର୍ମି ଓ ପାରାମିଲାଟାରୀ ଫୋର୍ସ ଲଢ଼େଇ ପାଇଁ ପରସ୍ପର ଉପରେ ଦୋଷ ଲଦିଛନ୍ତି।

ଆରଏସଏଫ କହିଛି, ଖାରତୁମର ସୋବାରେ ଥିବା ଆରଏସ୍‌ଏଫ କ୍ୟାମ୍ପ ଭିତରକୁ ଆଜି ବିପୁଳ ସଂଖ୍ୟାର ଆର୍ମି ଯବାନ ପ୍ରବେଶ କରିଥିଲେ। ଏହାକୁ ଦେଖି ଆରଏସଏଫ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଆର୍ମି ଯବାନମାନେ କ୍ୟାମ୍ପ ଭିତରେ ପ୍ରବେଶ କରିବା ସହ ଉକ୍ତ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା କରିଥିଲେ। ଏହି ଘଟଣାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ଯୋଦ୍ଧାମାନେ ମେରୋୱେ ଥିବା ଏୟାରପୋର୍ଟକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇଛନ୍ତି।

ଅନ୍ୟପକ୍ଷରେ ଭୟଙ୍କର ଲଢ଼େଇ ପାଇଁ ଆର୍ମି ପକ୍ଷରୁ ପାରାମିଲିଟାରୀକୁ ଦାୟୀ କରାଯାଇଛି। ଆର୍ମି ପକ୍ଷରୁ କୁହାଯାଇଛି ଯେ “ଆରଏସଏଫର ଫାଇଟରମାନେ ଖାରତୁମ ଓ ସୁଦାନର ବିଭିନ୍ନ ସ୍ଥାନରେ ଥିବା ଏକାଧିକ ଆର୍ମି କ୍ୟାମ୍ପ ଉପରେ ହମଲା କରିଛନ୍ତି। ସଂଘର୍ଷ ଜାରି ରହିଛି। ତଥାପି ଆର୍ମି ଦେଶର ସୁରକ୍ଷା କାମରେ ଲାଗିଛୁ।”

ଖାରତୁମ ଓ ଏହାର ଆଖପାଖ ଅଞ୍ଚଳକୁ ଲାଗି ରହିଥିବା ବ୍ରିଜ୍‌ଗୁଡ଼ିକୁ ଦୁଇ ପକ୍ଷ ବନ୍ଦ କରି ଦେଇଛନ୍ତି। ରାଷ୍ଟ୍ରପତି ଭବନକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ସିଲ୍ କରି ଦିଆଯାଇଛି।

ମିଲିଟାରୀ ଲିଡର ବୁରହାନ ଓ ତାଙ୍କ ନମ୍ବର ୨ ଆରଏସଏଫ କମାଣ୍ଡରଙ୍କ ମଧ୍ୟରେ ଦେଶରେ ସିଭିଲିଆନ ଶାସନ ଲାଗୁ କରିବା ପ୍ରସ୍ତାବକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହିକ୍ରମରେ ଆରଏସଏଫକୁ ରେଗୁଲାର ଆର୍ମି ମଧ୍ୟରେ ସାମିଲ କରିବାକୁ ଯୋଜନା ହୋଇଥିଲା। ତେବେ ଦୁଇ ପକ୍ଷ ମଧ୍ୟରେ ସହମତି ନ ହେବାରୁ ସଂଘର୍ଷ ଘଟିଛି।

Army Jawan Sudan